Odisha news

୭୫ତମ ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ ହେବେ ୪ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଳା ଅନ୍ତର୍ନିବେଶି ଶିକ୍ଷା ସାଧନ କେନ୍ଦ୍ର, ବାରିପଦା ପରିସରରେ ସମଗ୍ର ଶିକ୍ଷା ତରଫରୁ ଭିନ୍ନକ୍ଷମ ପିଲା ମାନଙ୍କୁ ନେଇ ଏକ ଜିଲ୍ଳା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ଶିକ୍ଷା ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପୌରହିତରେ ଉକ୍ତ କାର୍ଯ୍ୟକ୍ରମଟି ଆୟୋଜନ କରାଯାଇଥିଲା । ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି ଓ ସ୍ୱେଛାସେବୀ ସଂଗଠନ ସାଧନାର ନିଦେ୍ର୍ଦଶକ ରଞ୍ଜିତ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଜିଲ୍ଳାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିବା ସ୍ଥଳେ ସେମାନଙ୍କ ମଧ୍ୟରେ ଥିବା ଲୁକାଇତ ପ୍ରତିଭାର ବିକାଶର ଏହା ଏକ ମାଧ୍ୟମ ବୋଲି କହିଥିଲେ । ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସେଠୀ, ତାଙ୍କ ଉଦ୍ବୋଧନରେ ଭୀମ ଭୋଇଙ୍କର ଏକ କବିତା ଗାନ କରି ପିଲା ମାନଙ୍କ ମଧ୍ୟରେ ଏକ ନୂତନ ସୂର୍ଯ୍ୟର ଆଲୋକ ଦେଖାଇ ଥିଲେ । ଜିଲ୍ଲାର ୨୬ଗୋଟି ବ୍ଲକରୁ ୨୬୦ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ଶ୍ରବଣ ଓ ବାକ ଶକ୍ତି ବିଭାଗରୁ ୭୮ଜଣ, ଚଳନ ଶକ୍ତି ରହିତ ବିଭାଗରୁ ୭୮ଜଣ, ମାନସିକ ଅନଗ୍ରସର ବିଭାଗରୁ ୫୨ଜଣ ଓ ସ୍ୱଳ୍ପ ଦୃଷ୍ଟିବାଧିତ ବିଭାଗରୁ ୫୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶ୍ରବଣ ଓ ବାକ ଶକ୍ତି ବିଭାଗରୁ କପ୍ତିପଦା ବ୍ଲକ ଅଧିନସ୍ଥ ତ୍ରିନାଥ ସଂସ୍କୃତ ବିଦ୍ୟାଳୟ, ଗୋହିରାରେ ଅଧୟନରତ ଦଶମ ଶ୍ରେଣୀ ଛାତ୍ରୀ କୁମାରୀ ମିନାକ୍ଷୀ ବେହେରା, ଚଳନ ଶକ୍ତି ରହିତ ବିଭାଗରୁ କେନ୍ଦ୍ରୀୟ ବିଦ୍ୟାଳୟ ଲକ୍ଷ୍ମୀପୋଷୀରେ ଅଧୟନରତ ଅଷ୍ଠମ ଶ୍ରେଣୀର ଛାତ୍ରୀ ଅଦ୍ୱୈତା ବାରିକ, ମାନସିକ ଅନଗ୍ରସର ବିଭାଗରୁ କପ୍ତିପଦା ଉପେନ୍ଦ୍ର ଦାସ ଊପ୍ରା ବିଦ୍ୟାଳୟ, ଗୋଲଗଡିଆରେ ଅଧୟନରତ ଦଶମ ଶ୍ରେଣୀ ଛାତ୍ରୀ ଅନୁରାଧା ବାରିକ ଓ ସ୍ୱଳ୍ପ ଦୃଷ୍ଟିବାଧିତ ବିଭାଗରୁ କରଞ୍ଜିଆ ବଳା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ନବମ ଶ୍ରେଣୀ ଛାତ୍ର ହିନ୍ଦୁ ସୋରେନ ଯଥାକ୍ରମେ ପ୍ରତ୍ଯେକ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ନଗଦ ଦୁଇହଜାର ଟଙ୍କା ଓ ମାନପତ୍ର ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯିବ । ଅନ୍ୟ ସମସ୍ତ ପ୍ରତିଯୋଗି ମାନଙ୍କୁ ସ୍ୱାନ୍ତନା ମୂଳକ ପୁରସ୍କାର ସହ ମାନପତ୍ର ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ସମଗ୍ର ଶିକ୍ଷା ମୟୂରଭଞ୍ଜର ଜିଲ୍ଳା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଥିଲା । ବାରିପଦା ଉଚ୍ଚତର ବିଦ୍ୟାଳୟର ୨୦ଜଣ ଏନଏସଏସ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ ସାଧନାର କର୍ମୀ ତଥା ବିଭିନ୍ନ ବ୍ଲକରେ କାର୍ଯ୍ୟ କରୁଥିବା ସମସ୍ତ ସାଧନ କର୍ମୀଙ୍କ ସହିତ ବିରେନ୍ଦ୍ର କୁମାର ସାହୁ, ରୋହିତ କୁମାର ବିଶ୍ୱାଳ ଓ ରେଖାରଣୀ ଦାସ ପ୍ରମୁଖ କାର୍ଯ୍ୟ ପରିଚାଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply