ବାରିପଦା : ଗତ ସପ୍ତାହରେ ୧୭ଟି ବଣୁଆ ହାତୀ ଝାଡ଼ଖଣ୍ଡ ପଟୁ ମୟୁରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକ ଅଞ୍ଚଳରେ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇ ଥିଲେ। ସେହି ସମୟରେ କେତେକ ସ୍ଥାନରେ ଘର ଭାଙ୍ଗି ସାଇତା ଶସ୍ୟ ଖାଇବା ସହ ଧାନଚାଷ ଜମିରେ ଫସଲ ନଷ୍ଟ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ ବନ ବିଭାଗର କର୍ମଚାରୀ ଏହି ହାତୀ ପଲକୁ ତଡିବାରେ ସକ୍ଷମ ହୋଇ ପାରିଥିଲେ। ତେବେ ମାତ୍ର ତିନି ଦିନ ର ବ୍ୟବଧାନ ପରେ ଆହୁରି ଅଧିକ ସଂଖ୍ୟକ ହାତୀ ୩ଟି ଦଳରେ ବିଭକ୍ତ ହୋଇ ମଙ୍ଗଳବାର ରାତିରେ ରରୁଆଁ ବ୍ଲକର ଚିରୁହାତୁ ଗ୍ରାମରେ ପହଞ୍ଚିଥିଲେ। ସେଠାରେ ଯତୀନ ଜେରାଇଙ୍କ ଘରର କାନ୍ଥ କଣା କରି ଧାନ, ଚାଉଳ ଆଦି ସାମଗ୍ରୀ ଖାଇ ଦେଲେ।
ପରେପରେ ସେହି ଗ୍ରାମର କୈଳାସ ମୁଣ୍ଡାଙ୍କ ବାଡ଼ିରେ ପହଞ୍ଚି ପାଚିଲା ପଣସ ଖାଇବା ସହ ଦନ୍ତା ହାତୀଟି ଘରର କାନ୍ଥ ଭାଙ୍ଗି ଦେବାରୁ ଭିତରେ ଛୁଆ ପିଲାଙ୍କ ସହ ଶୋଇଥିବା ସ୍ତ୍ରୀ ଜଣକ ଗୁରୁତର ଆହତ ହୋଇଛନ୍ତି। ନିକଟବର୍ତ୍ତୀ ଚନ୍ଦ୍ରମୋହନ ବିରୁଆଙ୍କର ମଧ୍ୟ ଘର ଛପର ତାଡି ପ୍ରାୟ ୨୦ କ୍ୱିଣ୍ଟାଲ ଧାନ ଖାଇ ନଷ୍ଟ କରିଛନ୍ତି। ଏହି ଦଳରେ ଛଅଟି ବଡ଼ବଡ଼ ଦନ୍ତା ରହିଥିବା ଗ୍ରାମବାସୀଙ୍କଠାରୁ ପ୍ରକାଶ। ସେହିଭଳି ମେଣ୍ଢାମୁଣ୍ଡି ଗ୍ରାମରେ ନିବାରଣ ମହାକୁଡ଼ଙ୍କ ଘର ଭାଙ୍ଗି ଦେଇଛନ୍ତି। ଏହାପରେ ଅଭି ମହାକୁଡ଼, ମାନସ ମହାକୁଡ଼ ଆଦିଙ୍କ ଘର କାନ୍ଥ କଣା କରିଥିଲେ। ରରୁଆଁ ପ୍ରାଣୀ ଚିକିତ୍ସାଳୟ, ହାଇସ୍କୁଲ ପାଚେରୀ ଭାଙ୍ଗି ଦେଇଛନ୍ତି।ମୁନୀ କାରୁଆଙ୍କ ଘରଭାଙ୍ଗିଛନ୍ତିି। ଖୁଣ୍ଟଟା ପଡା ଗ୍ରାମ ଅଜୟ ନାୟକଙ୍କ ଘର ଭାଙ୍ଗି ୨୦କ୍ୱିଣ୍ଟାଲ ଧାନ ଶସ୍ୟ ଖାଇ ଦେଇ ଥିଲେ।
ରରୁଆଁ ଫରେଷ୍ଟର ଚନ୍ଦ୍ରଭାନୁ ମହାନ୍ତଙ୍କ ନେତୃତ୍ୱରେ ବନ କର୍ମଚାରୀ, ସବୁଜ ବାହିନୀ ତଥା ଗ୍ରାମବାସୀ ମିଳିତଭାବେ ହାତୀ ପଲକୁ ଖେଦିବା ପାଇଁ ଚେଷ୍ଟା କରୁଛନ୍ତି ମାତ୍ର ୩୦ରୁ ଉର୍ଦ୍ଧ୍ବ ହାତୀ ବିଭିନ୍ନ ଦଳରେ ବିଭକ୍ତ ହୋଇ ଏଣେତେଣେ ବୁଲୁଥିବାରୁ ସଠିକ ଭାବେ ଗତିବିଧି ନିରୀକ୍ଷଣ କରିବା ସମ୍ଭବ ହେଉନାହିଁ। ଗତ ରାତିରେ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଗ୍ରାମର ଲୋକମାନେ ଅନିଦ୍ରା ହୋଇ ହାତୀ ଘଉଡାଇବାକୁ ଉଦ୍ୟମ କରିଥିଲେ। ବୁଧବାର ସଂନ୍ଧ୍ୟାରେ ହାତୀ ଦଳ ନିକଟସ୍ଥ ଖୁଣ୍ଟାପଡା ଶାଳ ଜଙ୍ଗଲରୁ ବାହାରି ଗ୍ରାମାଭିମୁଖୀ ହେଉଥିବା ସୂଚନା ମିଳିଛି। ହାତୀ ପାଇଁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ହାତୀ ଚଳାଚଳ ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରଖାଯାଇଛି ଫଳରେ ହାତୀ ଭୟ ଦ୍ବିଗୁଣିତ କରୁଛି। ହାତୀ ଉପଦ୍ରବ ଜନିତ କ୍ଷୟକ୍ଷତି ଆକଳନ କରି ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି। ଗ୍ରାମବାସୀଙ୍କୁ ସଚେତନ କରିବା ସହ ଧନଜୀବନ ରକ୍ଷା କରିବା ଦିଗରେ ବନବିଭାଗ ଅଧିକ ତତ୍ପରତା ପ୍ରଦର୍ଶନ କରିବା ଆବଶ୍ୟକ।