ବାରିପଦା : ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସତ୍ୟନାରାୟଣ ପାତ୍ର ଅଭିଯୁକ୍ତ ଶ୍ୟାମସୁନ୍ଦର ବାରିକ(୬୨)ଙ୍କୁ ଆଜୀବନ କାରାଦଣ୍ଡ ସହ ୫୨ହଜାରଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୯ମାସ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି କୃଷ୍ଣଚନ୍ଦ୍ର ଦାସ ମାମଲା ପରିଚାଳନା କରିଥିଲେ । ଘଟଣାରୁ ପ୍ରକାଶ ଯେ, ନୂଆଗାଁ ଗ୍ରାମ ନିବାସୀ ଆସାମୀ ଶ୍ୟାମସୁନ୍ଦର ଏବଂ ମୃତକ ରାଧାକୃଷ ବାରିକଙ୍କ ମଧ୍ୟରେ କୌଣସି କାରଣ ପାଇଁ ପୂର୍ବ ଶତ୍ରୁତା ରହିଥିଲା । ଯାହାକୁ ନେଇ ୨୦୨୦ ମସିହା ଜାନୁଆରୀ ୧୬ତାରିଖ ସନ୍ଧ୍ୟା ସମୟରେ ଗ୍ରାମର ଏକ ପାନ ଦୋକାନ ସମ୍ମୁଖରେ ଉଭୟଙ୍କ ଝଗଡା ହୋଇଥିଲା । ସ୍ଥାନୀୟ ଲୋକମାନେ ବୁଝାସୁଝା କରିବା ପରେ ଶ୍ୟାମ ସୁନ୍ଦର ସେଠାରୁ ପଳାଇଯାଇଥିଲା । ତେବେ ଏହାକୁ କେନ୍ଦ୍ର କରି ଶ୍ୟାମ ସୁନ୍ଦର ପ୍ରତିଶୋଧ ପରାୟଣ ହୋଇ ପରେ ଆକ୍ରମଣ କରିବା ନିମନ୍ତେ ଗ୍ରାମ ରାସ୍ତାର ଏକ ସ୍ଥାନରେ ଛପି ରହିଥିଲା । ଉକ୍ତ ରାସ୍ତା ଦେଇ ରାଧାକୃଷ୍ଣ ବାରିକ ଓ ବସନ୍ତ ବାରିକ ଯାଉଥିବାବେଳେ ଉତ୍କ୍ଷିପ୍ତ ହୋଇ ଠେଙ୍ଗାରେ ମୁଣ୍ଡକୁ ଆକ୍ରମଣ କରିଥିଲା । ଯେଉଁଥିରେ ଉଭୟ ଗୁରୁତର ଆହାତ ହୋଇଥିଲେ । ରାଧାକୃଷ୍ଣ ବାରିକଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଯାଇଥିବା ବେଳେ ମୃତ୍ୟ ହୋଇଥିଲା । ତେବେ ଏହାକୁ ନେଇ ବୈଶିଙ୍ଗା ଥାନାରେ ୧୨/୨୦ରେ ଏକ ମାମଲା ରୁଜୁ କରି ଶ୍ୟାମସୁନ୍ଦରକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ମଙ୍ଗଳବାର ୧୧ଜଣ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଅଦାଲତ ଉପରୋକ୍ତ ଦାୟ ପ୍ରଦାନ କରିଛନ୍ତି ।
