ବାରିପଦା : ମହାରାଜା ପୂର୍ଣ୍ଣଚନ୍ଦ୍ର ଜୁନିୟର କଲେଜର ଅଧ୍ୟକ୍ଷ ଶୁଭଙ୍କର ସାହୁଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ୪ଜଣ ଅଧ୍ୟାପିକା । ଏହି କଲେଜର ୪ଜଣ ଅଧ୍ୟାପିକାଙ୍କ ଅଭିଯୋଗକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବା ଜଣାଯାଇଛି । ଏହି ଅଭିଯୋଗ ଅନୁଯାୟୀ ଉକ୍ତ ଅଧ୍ୟାପିକା ମାନଙ୍କୁ ଅଧ୍ୟକ୍ଷ ବିଭିନ୍ନ ସମୟରେ ମାନସିକ ନିର୍ଯାତନା ଦେଇଆସୁଥିବା ତଥା ବିଭିନ୍ନ ଆଳ ଦେଖାଇ ଚେମ୍ବରକୁ ଡାକିବା, ଆଶାଳୀନ ବ୍ୟବହାର କରିବା ଓ ବିଳମ୍ବିତ ରାତିରେ ଅଧ୍ୟାପିକା ମାନଙ୍କୁ ମେସେଜ୍ କରିବା, ଏପରିକି ଆଦିବାସୀ ଜାତିଆଣ ଆକ୍ଷେପ କରି ଗାଳିଦେବା ଆଦି ଅଭିଯୋଗକୁ ନେଇ ଥାନାର ଦ୍ୱାରାସ୍ଥ ହୋଇଛନ୍ତି ଅଧ୍ୟାପିକାମାନେ । ଏନେଇ ବାରିପଦା ଟାଉନ ଥାନାରେ ୭୯୨/୨୩ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ଏନେଇ ବାରିପଦା ଏସଡିପିଓ ସୁଜିତ ପ୍ରଧାନ ଘଟଣାର ପଙ୍ଖାନୁପଙ୍ଖ ତଦନ୍ତ କରାଯାଉଛି ଏବଂ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଚୂନା ଦେଇଛନ୍ତି । ଅନ୍ୟପକ୍ଷରେ ଏହି ଘଟଣା ସମ୍ବନ୍ଧରେ ଏମପିସି ଜୁନିୟର କଲେଜ ଅଧ୍ୟକ୍ଷ ଶୁଭଙ୍କର ସାହୁଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା ।