ବାରିପଦା : ବେସରକାରୀ ଉଦ୍ୟମରେ ୨୪ବର୍ଷ ଧରି ମୟୂରଭଞ୍ଜ ଜିଲାର ୨୬ଟି ବ୍ଲକର ଅଗ୍ରଣୀ କୃଷକଙ୍କୁ ସମ୍ବର୍ଦ୍ଧିତ କରାଯିବା ପରମ୍ପରା ସମଗ୍ର ଓଡ଼ିଶାରେ ଅନନ୍ୟ ବୋଲି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟଅତିଥି ଏବଂ ସଦ୍ଭାବନା ସମିତିର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ମୁଖ୍ୟବକ୍ତାଭାବେ ଯୋଗଦେଇ ମତପୋଷଣ କରିଛନ୍ତି । ଅନ୍ୟତମ ଅତିଥି ଭାବେ ଜିଲା କୃଷି ଅଧିକାରୀ ଲକ୍ଷ୍ମଣ ମୁର୍ମୁ ବିଭାଗୀୟ ସଂଯୋଜନାରେ ବ୍ଲକୱାରି ଶ୍ରେଷ୍ଠ କୃଷକଙ୍କୁ ଚୟନ କରାଯାଇ ୨୪ବର୍ଷ ଧରି ବାବୁଲାଲ ଅଗରୱାଲା ସ୍ମୃତି ବାର୍ଷିକ ପୁରସ୍କାର ପ୍ରଦାନ କରାଯାଉଥିବାର ଉଲ୍ଲେଖ କରିବା ସହିତ ଚାଷ କାର୍ଯ୍ୟ ପାଇଁ ସରକାରୀ ପ୍ରୋହତ୍ସନା ଦିଆଯାଉଥିବା ସମ୍ପର୍କରେ ବିଶଦଭାବରେ ପ୍ରକାଶ କରିଥିଲେ । ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାବୁଲାଲ ଅଗରୱାଲା ମେମୋରିଆଲ ଆୱାର୍ଡ ଫାଉଣ୍ଡେସନ ପକ୍ଷରୁ ସ୍ୱର୍ଗତ ବାବୁଲାଲ ଅଗରୱାଲାଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆୟୋଜିତ ୨୪ତମ ବାର୍ଷିକ ଜିଲାସ୍ତରୀୟ ବାବୁଲାଲ ଅଗରୱାଲ ସ୍ମୃତି ପୁରସ୍କାର ପ୍ରଦାନ ଉତ୍ସବରେ ଅତିଥିମାନେ ଯୋଗଦେଇ ଉପରୋକ୍ତ ମତପୋଷଣ ସହ କୃଷି ଓ କୃଷକର ଉନ୍ନତି ବିନା ଦେଶର ବିକାଶ ସମ୍ଭବ ନଥିବାରୁ ଏକ ବିକାଶଶୀଳ ସମାଜ ଓ ରାଷ୍ଟ୍ର ଗଠନ ପାଇଁ କୃଷିକ୍ଷେତ୍ର ଓ କୃଷିଜୀବିମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧିକ ସଚେତନ ହେବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଫାଉଣ୍ଡେସନର ଚେୟାରମ୍ୟାନ ତଥା ଭାରତ କୃଷକ ସମାଜର ଆଜୀବନ ସଦସ୍ୟ ଡଃ ବିଜୟ କୁମାର ଅଗରୱାଲାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନୀୟ ଅତିଥି ଭାବେ କେନ୍ଦ୍ରାପଡା ଜିଲାର ମୁଖ୍ୟ କୃଷି ଜିଲା ଅଧିକାରୀ ଡଃ ମନୋଜ କୁମାର ଚାନ୍ଦ ଏବଂ ଫାଉଣ୍ଡେସନର ସଂଯୋଜକ ରାସେଶ୍ୱର ସାହୁ ପ୍ରମୁଖ ଉଦ୍ବୋଧନ ଦେଇ ପାରମ୍ପରିକ ଚାଷ ପଦ୍ଧତିରେ ବୈଜ୍ଞାନିକ ଜ୍ଞାନ କୌଶଳ ପ୍ରୟୋଗ ଜରିଆରେ ଚାଷୀର ବିକାଶ ହେବା ସହିତ ପରିବେଶ ପ୍ରଦୂଷଣ ମୁକ୍ତ ହେବା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଜିଲ୍ଲା ପରିବେଶ ସମିତିର ଉପାଧ୍ୟକ୍ଷ ସନ୍ତୋଷ ମହାନ୍ତି, ବାରିପଦା ପୌରାଂଚଳ ପଟ୍ଟା ବିହୀନ ବାସିନ୍ଦା ସଂଘର ସଭାପତି ନନ୍ଦ କୁମାର ମହାପାତ୍ର, ମୟୂରଭଞ୍ଜ ସାଇନ୍ସ ଫୋରମର ସଭାପତି ଅମିତାଭ ମିଶ୍ର, ଉକôଳମଣି ଗୋପବନ୍ଧୁ ଶିକ୍ଷା ଓ ଶିକ୍ଷକ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡଃ ସରୋଜ ନାୟକ ପ୍ରମୁଖ ବାବୁଲାଲ ଅଗରୱାଲାଙ୍କ ସ୍ମୃତିଚାରଣ କରି କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ପୁରସ୍କୃତ ଚାଷୀଙ୍କ ମଧ୍ୟରୁ ଦୁଇଜଣ ମହିଳା ଚାଷୀ ଅପର୍ଣ୍ଣା ମହାନ୍ତ ଓ ସ୍ୱାଧୀନ ମହାନ୍ତଙ୍କ ସହ ରମେଶ ଚନ୍ଦ୍ର ଦାସବାବୁ, ଜଳେଶ୍ୱର ମହାନ୍ତ ଓ ଭାଗବତ ବିଶ୍ୱାଳ ପ୍ରମୁଖ ଚାଷ ଜମିରୁ ଉଲ୍ଲେଖନୀୟ ଭାବେ ରୋଜଗାର ହୋଇପାରୁଥିବା ନେଇ ଦର୍ଶାଇଥିଲେ । ପ୍ରାରମ୍ଭରେ ଦିବଂଗତ ବାବୁଲାଲ ଅଗରୱାଲାଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ବେଳେ ଶେଷରେ ଫାଉଣ୍ଡେସନର ସମ୍ପାଦକ ଅକ୍ଷୟ କୁମାର ଅଗରୱାଲା ଧନ୍ୟବାଦ ଦେଇଥିଲେ । ଏହି ଉତ୍ସବରେ ଜିଲ୍ଲାର ୨୬ବ୍ଲକୱାରି ଶ୍ରେଷ୍ଠ କୃଷକଙ୍କ ମଧ୍ୟରେ ଜଳେଶ୍ୱର ମହାନ୍ତ (ବାରିପଦା), ରୋହିଦାସ ସିଂ (ଶାମାଖୁଣ୍ଟା), ରମେଶ ଚନ୍ଦ୍ର ଦାସବାବୁ (ଶୁଳିଆପଦା), ସୁଦାଶ ଦଣ୍ଡପାଟ (ବେତନଟୀ), ବୈକୁଣ୍ଠ ଗିରି (ରାସଗୋବିନ୍ଦପୁର), ସ୍ୱାଧୀନ ମହାନ୍ତ (ମୋରଡ଼ା), କରୁଣାକର ମହାନ୍ତି (ବଡ଼ସାହି), ଜିତେନ୍ଦ୍ର ବେହେରା (ବାଙ୍ଗିରିପୋଷି), ମୃତ୍ୟୁଞ୍ଜୟ ଧଳ (କୁଳିଅଣା), ସପନ କୁମାର ଘୋଷ (ସାରସକଣା), କୈଳାସ ଚନ୍ଦ୍ର ହାଁସଦା (ଉଦଳା), ଭାଗବତ ବିଶ୍ୱାଳ (ଗୋପବନ୍ଧୁନଗର), ପ୍ରକାଶ ଚନ୍ଦ୍ର ନାଏକ (ଖୁଣ୍ଟା), ରାଜୀବ କୁମାର ଜେନା (କପ୍ତିପଦା), ଭୀମସେନ ଟୁଡୁ (କରଞ୍ଜିଆ), ଦେବାନନ୍ଦ ପଙ୍ଗୁଆ (ଶୁକୃଳି), ହୃଷିକେଶ ସେନାପତି (ଠାକୁରମୁଣ୍ଡା), ବିଶ୍ୱ ବିପ୍ଳବ ମହାନ୍ତ (ଯଶିପୁର), ଦାମୋଦର ତିରିଆ (ରରୁଅାଁ), ସୁଗଦା ମାଝୀ (ରାଇରଙ୍ଗପୁର), ସୁରେନ୍ଦ୍ର ବେହେରା (ବିଶୋଇ), ରମେଶ ଚନ୍ଦ୍ର ସୋରେନ (ବିଜାତଳା), ଆନା ସାନ୍ତାଳ (କୁସୁମୀ), ରାମେଶ୍ୱର କଣ୍ଡାଙ୍କେଲ (ଜାମଦା), ଅପର୍ଣ୍ଣା ମହାନ୍ତ (ବହଳଦା) ଏବଂ ମହେନ୍ଦ୍ର ବାନ୍ଦରା (ତିରିଂ) ପ୍ରମୁଖଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ ।