ବାରିପଦା : ସ୍ୱସ୍ତିକମଣ୍ଡପ ଠାରେ ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ପୋଲିସ ଏବେ ଶାସକ ବିଜେଡି ଦଳର ହାତବାରିସି ସାଜିଛନ୍ତି ବୋଲି ଏପରି ସଙ୍ଗୀନ ଅଭିଯୋଗ କରାଯାଇଛି । କୋଭିଡ୍ ନିୟମକୁ ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ କରି ବିଜେପିର ପୂର୍ବତନ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ୨୫ଜଣ ଦଳୀୟ ସମର୍ଥକଙ୍କ ବିରୋଧରେ ବାରିପଦା ଟାଉନଥାନାରେ ୪୦୮/୨୦ ମାମଲା ରୁଜୁ ହୋଇଛି । ମାତ୍ର ବିଜେଡି ଦଳ କୋଭିଡ୍ ନିୟମ ବାରମ୍ବାର ଉଲ୍ଲଙ୍ଘନ କରୁଥିଲେ ମଧ୍ୟ ସେମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଯାଉନଥିବାରୁ ବିଜେପି କ୍ଷୋଭ ପ୍ରକାଶ କରିଛି । ମାତ୍ର ବିଜେଡି ରାଜ୍ୟ ସଂଗଠନର ସାଧାରଣସମ୍ପାଦକ ତଥା ବିଧାୟକ ବବି ଦାସ ନିଜ ଜନ୍ମଦିନରେ ବାରିପଦାକୁ ଆସିଥିବାବେଳେ କୋଭିଡ୍ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି । ମନ୍ଦିରକୁ ଯିବା ବାରଣ ଥିବାବେଳେ ବବି ମନ୍ଦିରକୁ ଯାଇ ପୂଜାଅର୍ଚ୍ଚନା କରିବା ସହ ସର୍କିଟହାଉସ ତଥା ବିଭିନ୍ନ ସ୍ଥାନରେ ବହୁ କର୍ମୀମାନଙ୍କ ସହ ଫୋଟ ଉଠାଇବା ତଥା ବୈଠକ କରିବାବେଳେ କୋଭିଡ୍ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।
ଏନେଇ ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲେ ମଧ୍ୟ ପୋଲିସ ତାଙ୍କ ନାମରେ ମାମଲା ରୁଜୁ ନକରିବା କୁ ଘୋରନିନ୍ଦା କରାଯାଇଛି । ଏଥିସହ କେନ୍ଦ୍ରସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପାଇଁ ଆସୁଥିବା କୋଟିକୋଟି ଟଙ୍କାକୁ ଜିଲ୍ଲାପ୍ରଶାସନ ଓ ବିଜେଡି ନେତାମାନେ ଆତ୍ମସାତ୍ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ବାରିପଦା ଆର୍ବାନବ୍ୟାଙ୍କର ଜମାକାରୀଙ୍କୁ ସେମାନଙ୍କ ଜମାଟଙ୍କା ଫେରସ୍ତ ପାଇଁ ମାନ୍ୟବର ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ମାତ୍ର ଏହାକୁ ନେଇ ବିଜେଡି ରାଜନିତୀ କରୁଥିବାବେଳେ ବାରିପଦା ଆର୍ବାନବ୍ୟାଙ୍କ ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ପଦକ୍ଷେପ ନନେବା ହାସ୍ୟପଦ ବୋଲି ବିଜେପି କହିଛି । ତେଣୁ ଆଗାମୀ ଦିନରେ ବିଜେପି ଆନେ୍ଦାଳନାତ୍ମକ କାର୍ଯ୍ୟପନ୍ଥା ଅବଲମ୍ବନ କରିବ ବୋଲି ଚେତାବନୀ ଦେଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍, ଉଦଳା ବିଧାୟକ ଭାସ୍କର ମଢେଇ, ସାରସକଣା ବିଧାୟକ ବୁଢାନ୍ ମୁର୍ମୁ, ବଡସାହି ବିଧାୟକ ସନାତନ ବିଜୁଳି, ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ପୂର୍ବତନ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ଓ ନିହାର ମୋଦି ପ୍ରମୁଖ ଉପସ୍ଥିତ ଥିଲେ ।
