ବାରିପଦା : ଏମ୍କେସି ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ବାରିପଦା ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଡ ସଫଳତା ମିଳିଛି । ୧୪ ବର୍ଷରୁ କମ ବାଳକ ବିଭାଗରେ ସୁକୁଲ ବାସ୍କେ ୪୦୦ ମି. ଦୌଡରେ ପ୍ରଥମ, ୧୦୦ ମି. ଦୌଡରେ ଦ୍ୱିତୀୟ ଓ ଡିସ୍କସ ଥ୍ରୋରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଓ ଜାଗେନ କିସ୍କୁ ଉଚ୍ଚ ଡିଆଁ, ଲମ୍ବ ଡିଆଁ ଓ ସଟ୍ପୁଟ ଥ୍ରୋରେ ପ୍ରଥମସ୍ଥାନ ଅଧିକାର କରିଥିବାବେଳେ ଋଷିକ ସୋରେନ ଡିସ୍କସ ଥ୍ରୋରେ ପ୍ରଥମ ସ୍ଥାନ ଏବଂ ଦଶରଥ ମାଝୀ ଡିସ୍କସ ଥ୍ରୋରେ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ସୁନାମ ଆଣିଛନ୍ତି । ସେହିପରି ଅଜୟ ମୁର୍ମୁ ବ୍ଲକ ସ୍ତରୀୟ ଫୁଟବଲ ଚୟନ ଶିବିରରେ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ଜିଲ୍ଲାସ୍ତରୀୟ ଚୟନ ଶିବିରରେ ଯୋଗ ଦେଇଛନ୍ତି ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ସିଂହ ଜଣାଇଛନ୍ତି । ନିକଟ ଅତୀତରେ ବାଲେଶ୍ୱରରେ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ଆନ୍ତଃଜିଲ୍ଲା ଭଳିବଲ ଚାମ୍ପିୟାନସିପରେ ଶିବାନନ୍ଦ କୁଅଁର, ବାବା ସିଂ, ଗାଜ ଟୁଡୁ ଓ ରାମଚନ୍ଦ୍ର ହେମ୍ବ୍ରମ ମୟୂରଭଞ୍ଜ ଜିଲ୍ଲା ପାଇଁ ପ୍ରତିନିଧିତ୍ୱ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଓ ଏହି ନଅ ଜଣ ଛାତ୍ରଙ୍କ କୃତିତ୍ୱ ପାଇଁ ବିଦ୍ୟାଳୟର ଶିକ୍ଷକ / ଶିକ୍ଷୟତ୍ରୀ, ହଷ୍ଟେଲର ସମସ୍ତ କର୍ମଚାରୀ ତଥା ଛାତ୍ରଛାତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରକାଶ ଥାଉକି ଏହି ସମସ୍ତ ଛାତ୍ର ନିଜର ପାରିବାରିକ ଅସୁବିଧା ପାଇଁ ବିଦ୍ୟାଳୟ ପରିସରରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ଆବାସିକ ଛାତ୍ରାବାସରେ ରହି ପାଠ ପଢୁଛନ୍ତି ।