ବାରିପଦା : ରାଜ୍ୟ ଇପିଏଫ୍ ପେନସନର୍ସ ଆସୋସିଏସନର ନିଷ୍ପତ୍ତି କ୍ରମେ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ଶତାଧିକ ପେନସନ ଭୋଗୀ ବରିଷ୍ଠ ନାଗରିକ ମାନେ ଧାରଣାରେ ବସିଥିଲେ । କେନ୍ଦ୍ରରେ ଥିବା ମୋଦୀ ସରକାର ଗତ ୨୦୧୩ ମସିହା ଖୁସିୟାରି କମିଟିର ରିପୋର୍ଟ ଅନୁଯାୟୀ ମାସିକ ପେନସନ ୩ହଜାର ଟଙ୍କା ସହିତ ମହଙ୍ଗା ଭତ୍ତା ଦେବା ପରିବର୍ତ୍ତେ ୨୦୧୪ ମସିହା ଏପ୍ରିଲ ମାସ ଠାରୁ ମାତ୍ର ଏକହଜାର ଟଙ୍କା ପେନସନ ପ୍ରଦାନ କରି ଆଜି ପର୍ଯ୍ୟନ୍ତ ଚୁପ ହୋଇ ବସିବା ଅତ୍ୟନ୍ତ ଦୁଃଖର ବିଷୟ । ଅନ୍ୟପକ୍ଷରେ ସର୍ବନିମ୍ନ ପେନସନ ଏକହଜାର ଟଙ୍କାବେଳେ ଅଧିକାଂଶ ପେନସନ ଭୋଗୀ ବରିଷ୍ଠ ନାଗରିକ ମାନେ ତାଠାରୁ କମ ପାଉଛନ୍ତି । ଏହି ସର୍ବନିମ୍ନ ପେନସନ ବୃଦ୍ଧି କରିବା ପାଇଁ ଜିଲ୍ଲା ଠାରୁ ଆରମ୍ଭ କରି ଦୀଲ୍ଲିର ସଂସଦ ଭବନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଆନେ୍ଦାଳନ ହୋଇ ଆସୁଥିଲେ ମଧ୍ୟ କେନ୍ଦ୍ରସରକାର ଏହି ଦାବିକୁ ପୂରଣ ନକରିବା ଦୁର୍ଭାଗ୍ୟଜନକ । ଫଳରେ ଦେଶରେ ଥିବା ପ୍ରାୟଃ ୭୦ଲକ୍ଷରୁ ଉର୍ଦ୍ଧ୍ୱ ପେନସନ ଭୋଗୀ ତଥା ସେମାନଙ୍କ ଉପରେ ନିର୍ଭରଶୀଳ ପରିବାର ଆଜି ଆର୍ଥôକ ଅନାଟନରେ ଜର୍ଜରିତ । ଦେଶରେ ଅନେକ ପେନସନ ଭୋଗୀ ସଠିକ ଚିକିତ୍ସା ଅଭାବରୁ ମୃତୁ୍ୟବରଣ କରିଥିବାବେଳେ ଅନେକ ରୋଗ ଶଯ୍ୟାରେ ରହି ମୃତୁ୍ୟ ସହିତ ସଂଗ୍ରାମ କରୁଛନ୍ତି । ଏଣୁ ସର୍ବନିମ୍ନ ପେନସନ ମାସକୁ ୯ହଜାର ଟଙ୍କା ସହିତ ମହଙ୍ଗା ଭତ୍ତା, ସମସ୍ତ ପେନସନ ଭୋଗୀ ବରିଷ୍ଠ ନାଗରିକ ମାନଙ୍କୁ ଚିକିତ୍ସା ସୁବିଧା, ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ ଉଚ୍ଚବେତନ ଭୋଗୀଙ୍କୁ ଅଧିକ ପେନସନ ଦାବିରେ ଆଜି ଧାରଣା ସ୍ଥଳରେ ଜିଲ୍ଲା ସଭାପତି ମଦନ ମୋହନ ଜେନା ଓ ସଂମ୍ପାଦକ ଗୋପାଳ ଚନ୍ଦ୍ର ଦାସ ବକ୍ତବ୍ୟ ଦେଇଥିବାବେଳେ ଜିଲ୍ଲା ଏଆଇଟିୟୁସିର ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ସିଆଇଟିୟୁର ଜିଲ୍ଲା ସମ୍ପାଦକ ଅମଲ ଦେ ଓ ଜିଲ୍ଲା ଘରୋଇ ବସ ମାଲିକ ସଂଘର ସମ୍ପାଦକ ରଘୁନାଥ ପଣ୍ଡା ଦେଶରେ ଶ୍ରମଜୀବି ମଣିଷ ଉପରେ ହେଉଥିବା ଅନ୍ୟାୟ, ବେକାରୀ ସମସ୍ୟା, ଅହେତୁକ ଦରଦାମ ବୃଦ୍ଧି ଓ ଧର୍ମକୁ ନେଇ ରାଜନୀତି ସମ୍ପର୍କରେ ସେମାନଙ୍କର ମତ ରଖିଥିଲେ । ଯଦି କେନ୍ଦ୍ର ସରକାର ଏହି ନ୍ୟାୟୋଚିତ ଦାବିକୁ ପୂରଣ ନକରନ୍ତି ତେବେ ଆଗାମି ଦିନରେ ଚାଲିଥିବା ଆନେ୍ଦାଳନକୁ ତିବ୍ର କରିବା ସହିତ ସଂସଦ ଭବନ ସମ୍ମୁଖରେ ଦେଶର ଏହି ପେନସନ ଭୋଗୀ ବରିଷ୍ଠ ନାଗରିକ ମାନେ ଅନଶନରେ ବସିବାକୁ ବାଧ୍ୟ ହେବେ ବୋଲି ଜିଲ୍ଲା ଉପସଭାପତି ମଧୁସୂଦନ ଜେନା ସୂଚନା ଦେଇଥିଲେ । ଧାରଣାରେ ଉଠା ଜଳସେଚନ ନିଗମରୁ ସର୍ବ ସାଥି ରାମଚନ୍ଦ୍ର ପଣ୍ଡା, ବାରିପଦା ସ୍ପିନିଙ୍ଗମିଲରୁ ମହାଦେବ ଦାସ, ବାରିପଦା କାର୍ଡ ବ୍ୟାଙ୍କରୁ ମୁଶଲ ଚନ୍ଦ୍ର ବେରା, କୂଳମଣି ପାତ୍ର, ସୁବ୍ରତ କୁମାର କଲିଆ, ପାୱାରଲୁମ ର ନିଳାମ୍ବର ବେହେରା, କାଶୀନାଥ ପଣ୍ଡା ଓ ଭାଗବତ ସାହୁ ପ୍ରମୁଖ ଧାରଣରେ ସହଯୋଗ କରିଥିବାବେଳେ ଶୋଭାକର ନାୟକ ଧନ୍ୟବାଦ ଦେଇଥିଲେ ।
