Odisha news

ମୟୂରଭଞ୍ଜ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଲୋକ ଅଦାଲତ ମୋଟ ୧୭୦୧ ଗୋଟି ମାମଲା ଫଇସଲା

0
ବାରିପଦା  : ମୟୂରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଦୌରା ଜଜଙ୍କ କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ମୋଟ୍ ୮୬୩୬ ଗୋଟି ମାମଲା ମଧ୍ୟରୁ ୧୭୦୧ଟି ମାମଲା ର ଆପୋଷ ବିଚାର ହୋଇ ୫ କୋଟି ୬୪ ଲକ୍ଷ ୪୩ ହଜାର ୯୧୯ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅରବିନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରି-ଲିଟିଗେଶନ ସମ୍ୱନ୍ଧୀୟ ୭୧୬୨ଟି ମାମଲା ମଧ୍ୟରୁ ୬୩୩ଟି ବ୍ୟାଙ୍କ ଋଣ ଆଦାୟ ମାମଲା ଓ ୫ଟି ଅନ୍ୟାନ୍ୟ ବିବାଦୀୟ ଦେୱାନୀ ଏବଂ ଜମିଜମା ମାମଲା ଫଇସଲା କରାଯାଇ ମୋଟ ୩ କୋଟି ୫୩ ଲକ୍ଷ ୯୦ ହଜାର ୮୩୭ଟଙ୍କା ଆଦାୟ ପାଇଁ ସମାଧାନ ହୋଇଛି । ସେହିପରି ବକେୟା ଥିବା ବିଭିନ୍ନ ଶ୍ରେଣୀ ଭୁକ୍ତ ୧୪୭୪ ଗୋଟି ମାମଲା ମଧ୍ୟରୁ କ୍ରିମିନାଲ କମ୍ପାଉଣ୍ଡେବଲ କେଶ ୧୦, ଏନ୍ଆଇଆକ୍ଟ ଧାରା ୧୩୮ ଅନ୍ତର୍ଗତ ୨୮ଟି ମାମଲା, ବ୍ୟାଙ୍କ ଋଣ ଆଦାୟ ସମ୍ବନ୍ଧୀୟ ୮ଟି, ମୋଟର ଯାନ ଦୁର୍ଘଟଣା ମାମଲା ୧୯ଟି, ବୈବାହିକ ସମ୍ବନ୍ଧୀୟ ୨ଟି, ରାଜସ୍ୱ ମାମଲା ୪୭ଟି ଓ ଅନ୍ୟାନ୍ୟ ଅପରାଧିକ ଫୌଜଦାରୀ ମାମଲା ୧୧୩ଟି କୁ ମିଶାଇ ମୋଟ୍ ୧୦୬୩ଟି ମାମଲା ଫଇସଲା କରାଯାଇ ମୋଟ୍ ୨ କୋଟି ୧୦ ଲକ୍ଷ ୫୩ ହଜାର ୮୨ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଏହି ଦୁଇବର୍ଗର ମୋଟ୍ ୮୬୩୬ ମାମଲା ମଧ୍ୟରୁ ୧୭୦୧ ଗୋଟି ମାମଲା ଫଇସଲା କରାଯାଇ ମୋଟ ୫ କୋଟି ୬୪ ଲକ୍ଷ ୪୩ ହଜାର ୯୧୯ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ସୂଚିତ ହୋଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଶିବାନୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ଫାମିଲି କୋର୍ଟ ଜଜ୍ ବିରଞ୍ଚି ନାରାୟଣ ମହାନ୍ତି, ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ୍ ଡଃ ଦୀପକ ରଞ୍ଜନ ସାହୁ, ସିନିୟର ସିଭିଲ ଜଜ୍ ସୁଦାମ ଚରଣ ଦାସ, ସିନିୟର ସିଭିଲ ଜଜ୍ ପଲ୍ଲବୀ ରାଣୀ ସାହୁ, ଅତିରିକ୍ତ ସିଭିଲ ଜଜ୍ କୈଳାଶ ସାହୁ, ଦ୍ୱିତୀୟ ଅତିରିକ୍ତ ସିଭିଲ ଜଜ୍ ବିଶ୍ୱକଳ୍ପିତା ମହାନ୍ତି, ଏସଡିଜେଏମ ସୁବାସିନୀ ବେହେରା ଓ ଜେଏମଏଫସି ଜଜ୍ ମିସେସ ଜରିନ ଖାନଙ୍କ ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଆଇନଜୀବୀ, ବିଭିନ୍ନ ରାଷ୍ଟ୍ରାୟତ/ଘରୋଇ ବ୍ୟାଙ୍କ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ଭାରପ୍ରାପ୍ତ ରେଜିଷ୍ଟ୍ରାର କୈଳାଶ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତ ସମସ୍ତଙ୍କ ସହଯୋଗରେ ଶୃଙ୍ଖଳାର ସହିତ ସୂଚାରୁ ରୂପେ ଅନୁଷ୍ଠିତ ହୋଇଥିଲା ।
Ad2
Leave A Reply