ବାରିପଦା : ଗାଁ ରାସ୍ତାର ଦୁରାବସ୍ଥା ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଅଞ୍ଚଳବାସୀ । ଅଞ୍ଚଳବାସୀଙ୍କ ପକ୍ଷରୁ ତଳଠୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରାଯିବା ପରେ ମଧ୍ୟ କୌଣସି ଫଳ ନମିଳିବାରୁ ଗୁରୁବାର ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଥିଲେ ଏକାଧିକ ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ବ୍ଲକ ଅଧିନସ୍ଥ ବାଉଁଶବିଲା ପଞ୍ଚାୟତର ନୁରୁଡିହି ଛକ ନିକଟରେ । ଏଠାରେ ସୂଚନାଯୋଗ୍ୟ ଯେ, ନୁରୁଡିହି ଛକ ନିକଟରୁ ସରକାରୀ ପୋଲିଟେକ୍ନିକ୍ କଲେଜ୍ ଦେଇ ଯାଇଥିବା ଏହି ସରକାରୀ ରସ୍ତାଟି ଗତ ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଏହି ରାସ୍ତା ଉପରେ ପାଖାପାଖି ୩୦ଟି ଗାଁ ର ଲୋକମାନେ ନିର୍ଭର କରିଥାନ୍ତି । ତେଣୁ ଲୋକ ମାନଙ୍କର କହିବା ମୁତାବକ ରାସ୍ତାରେ ଡ୍ରେନେଜ୍ ସୁବିଧା ନଥିବାରୁ ବର୍ଷା ପାଣି ନିଷ୍କାସନ ହୋଇନପାରିବା ଯୋଗୁ ଏହା ସମ୍ପୂର୍ଣ୍ଣ ଭାବେ ଖରାପ ହୋଇଯାଇଛି । ଏଥିସହିତ ଏହି ଅଞ୍ଚଳରେ ଥିବା ତିନୋଟି ବାଲି ଘାଟରେ ବ୍ୟବହୃତ ହେଉଥିବା ଭାରିଯାନ ଗୁଡିକ ମଧ୍ୟ ପ୍ରତିଦିନ ଏହି ରାସ୍ତା ଦେଇ ଯିବା ଆସିବା କରିବା ଦ୍ୱାରା ନୁରୁଡିହି ଛକଠାରୁ ପୋଲିଟେକ୍ନିକ କଲେଜ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବହୁତ ଖରାପ । ଯାହା ଫଳରେ ସାଧାରଣ ଲୋକମାନେ ଗାଡି ମୋଟର ନେଇ ଯିବାଆସିବା କରିବାରେ ବିଭିନ୍ନ ପ୍ରକାର ଅସୁବିଧାରେ ପଡୁଛନ୍ତି । ବର୍ଷା ପୂର୍ବରୁ ମାତ୍ର କେଇ ମାସ ତଳେ ରାସ୍ତା ମରାମତି କାର୍ଯ୍ୟ ହୋଇଥିଲେ ମଧ୍ୟ ତାହା ଏବେ କେଇଟା ବର୍ଷାରେ ନଷ୍ଟ ହୋଇଗଲାଣି । ଯାହାକୁ ନେଇ ଅଞ୍ଚଳବାସୀ ମାନେ ସରପଞ୍ଚ ଠାରୁ ଆରମ୍ଭ କରି ବିଡିିଓ, ତହସିଲଦାର, ଜିଲ୍ଲାପାଳ ଏମିତିକି ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । ହେଲେ କେହି ଏଥିପ୍ରତି ଦୃଷ୍ଟି ନଦେବାରୁ ଗ୍ରାମବାସୀମାନେ ବାଧ୍ୟ ହୋଇ ନିଜ ରାସ୍ତାର ସମାଧାନ ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ । ଗାଁ ରାସ୍ତାର ସମାଧାନ ପାଇଁ ଗ୍ରାମବାସୀ ମାନେ ବାରିପଦା-ଉଦଳା ମୁଖ୍ୟରାସ୍ତାର ନୁରୁଡିହି ଠାରେ ଦୀର୍ଘ ୩ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ ରାସ୍ତାରେ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ଯାତ୍ରୀ ମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରାସ୍ତାରୋକ ପରେ ସ୍ଥାନୀୟ ବିଡିଓ ଘଟଣା ସ୍ଥଳରେ ପହଞ୍ଚି ଅଞ୍ଚଳବାସୀଙ୍କ ସହ ଘଟଣାସ୍ଥଳକୁ ପାଖାପାଖି ଦୁଇ କିଲୋମିଟର ଚାଲି ଚାଲି ଯାଇ ରାସ୍ତାର ତଦାରଖ କରିଥିଲେ ଏବଂ ତୁରନ୍ତ ରାସ୍ତା ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେବାପରେ ଆନେ୍ଦାଳନରୁ ଗ୍ରାମବାସୀ ମାନେ ଆନେ୍ଦାଳନରୁ ଓହରିଥିଲେ ।