Odisha news

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ମହାସ୍ନାନ, ଭକ୍ତଙ୍କ ବିନା ଉପସ୍ଥିତିରେ ମହାସ୍ନାନ କଲେ ମହାପ୍ରଭୁ

0

ବାରିପଦା  : ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅତୁଟ । ମାତ୍ର ଚଳିତ ବର୍ଷ କରୋନା ଯୋଗୁଁ ଭକ୍ତଙ୍କ ବିନା ଉପସ୍ଥିତିରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଯାଇଛି । କେବଳ ପୋଲିସ ପ୍ରଶାସନ, ଜିଲ୍ଲାପ୍ରଶାସନ ଅଧିକାରୀ ଓ କିଛି ସେବାୟତମାନଙ୍କୁ ନେଇ ଏହି ନୀତି ସମ୍ପନ୍ନ ହୋଇଛି । ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ମନ୍ଦିରରେ ଶୁକ୍ରୁବାର ପ୍ରତୁ୍ୟଷରୁ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଯାଇଛି । ପ୍ରତୁ୍ୟଷରୁ ମନ୍ଦିରର ଦ୍ୱାର ଖୋଲି ଠାକୁରଙ୍କୁ ନିଦ୍ରାରୁ ଉଠାଯାଇ ମଙ୍ଗଳଆଳତୀ, ମାଦିଳା ଓ ସୁବାଷିତ ଜଳ ସିଞ୍ଚନ୍ କରି ମହାପ୍ରଭୁମାନଙ୍କୁ ଭୋଗମଣ୍ଡପକୁ ପହଣ୍ଡି ବିଜେ କରାଯାଇଥିଲା ।

ସମସ୍ତ ଠାକୁରଙ୍କୁ ସୁବାଷିତ ଜଳ ସିଞ୍ଚନ୍ କରାଯାଇଥିଲା । ଗଙ୍ଗାଆହ୍ୱାନ ପରେ ତିନି ମୁଖ୍ୟ ପୂଜକଙ୍କ ସଂକଳ୍ପ ପରେ ପଞ୍ଚାମୃତ ଶୋଧନ ହୋଇ ୧୦୮ କଳସ ଜଳରେ ମହାସ୍ନାନ ହୋଇଥିଲା । ସ୍ନାନସାରି ଚନ୍ଦନଲାଗି ଫୁଲ ଓ ଚୁଳିଆ ବେଶ ପରେ ଦ୍ୱାରପାଳ ସୂର୍ଯ୍ୟପୂଜା ଓ ଅବକାସ ନୀତି ଶେଷ ହୋଇଥିଲା । ସ୍ନାନମଣ୍ଡପରେ ପ୍ରଭୁ ବିରାଜମାନ ହୋଇଥିବାବେଳେ ଜିଲ୍ଲାପ୍ରଶାସନର କଟକଣା ଯୋଗୁଁ ଭକ୍ତମାନେ ପ୍ରଭୁଙ୍କୁ ଯାଇ ଦର୍ଶନ କରିପାରିନଥିଲେ । ରାତି୍ରରେ ସମସ୍ତ ନୀତି ସମ୍ପନ୍ନ ହେବାପରେ ଠାକୁରଙ୍କ ଅଣଷର ନୀତି ଆରମ୍ଭ ହୋଇଥିଲା । ମନ୍ଦିର ପରିଚ୍ଛା ଦୁର୍ଗାଚରଣ ଜିତ୍ବାବୁ ଅଁଳାପତ୍ର ଲାଗି କରିଥିଲେ । ତିନିଠାକୁର ପହଣ୍ଡି ବିଜେ ହୋଇ ଗୋଟି ପହଣ୍ଡିରେ ଠାକୁର ଅଣଷର ଘରକୁ ପ୍ରବେଶ କରିଥିଲେ । ପାଶ୍ୱର୍ ଦେବତାଙ୍କୁ ଗଙ୍ଗାଯମୁନାଙ୍କ ସମ୍ମୁଖରେ ଆହ୍ୱାନ କରାଯାଇ ପ୍ରତିଷ୍ଠା କରାଯିବ । ଆସନ୍ତା ୧୫ଦିନ ପର୍ଯ୍ୟନ୍ତ ପୂଜିତ ହୋଇ ଶ୍ରୀଜୀଉମାନେ ଅଣଷର ଘରେ ରହିବେ ।

Leave A Reply

Your email address will not be published.