Odisha news

ରାଜ୍ୟ ସରକାରଙ୍କ ମୟୂରଭଞ୍ଜ ପ୍ରତି ଅବହେଳା ପ୍ରତିବାଦରେ ଭଞ୍ଜସେନା ପକ୍ଷରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ସମ୍ମୁଖରେ ପ୍ରତିବାଦ ସଭା

0

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନଶିଳ୍ପର ପ୍ରତିଷ୍ଠା ସହିତ ଐତିହ୍ୟ ସ୍ଥଳୀ ଗୁଡିକ ସଂରକ୍ଷଣ କରିବା ପାଇଁ ଭଞ୍ଜସେନା ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଅଛି । ମାତ୍ର ରାଜ୍ୟ ସରକାର ମୟୂରଭଞ୍ଜ ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରୁଥିବାବେଳେ ମୟରୂଭଞ୍ଜ ବାଦ୍ ରାଜ୍ୟର ବହୁ ପର୍ଯ୍ୟଟନସ୍ଥଳୀ ଓ ଐତିହ୍ୟ ସ୍ଥାନଗୁଡିକର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାଜ୍ୟ ବିଜେଡି ସରକାର ଭୋଟ୍ ନେବା ବେଳେ ମୟୂରଭଞ୍ଜରୁ ନେଉଛନ୍ତି, ମାତ୍ର ମୟୂରଭଞ୍ଜର କୌଣସି କ୍ଷେତ୍ର ବିକାଶ କରୁନାହାଁନ୍ତି ।

ନବରୂପାନ୍ତର ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ତାରାତାରିଣୀ ମନ୍ଦିର ପାଇଁ ୧୭୨.୦୬କୋଟି, ସମ୍ବଲେଶ୍ୱରୀ ମନ୍ଦିର ପାଇଁ ୨୦୦କୋଟି, କଟକଚଣ୍ଡୀ ମନ୍ଦିର ପାଇଁ ୭୦କୋଟି, କେନ୍ଦୁଝର ତାରିଣୀ ମନ୍ଦିର ପାଇଁ ୪୦କୋଟି, ଭଦ୍ରକ ଆଖଣ୍ଡଳମଣୀ ମନ୍ଦିର ପାଇଁ ୯୨କୋଟି, ସାରଳା ମନ୍ଦିର ପାଇଁ ପ୍ରଥମ ପର୍ଯ୍ୟାୟରେ ୪୨କୋଟି ଆଦି ଅନୁଦାନ ପ୍ରଦାନ କରୁଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ଖିଚିଂ ମା’କିଚକେଶ୍ୱରୀ ମନ୍ଦିର, ଦେବକୁଣ୍ଡ ମା’ଅମ୍ବିକା, ମାଣିତ୍ରୀର ବାବା କଖାରୁଆ ବୈଦ୍ୟନାଥ ମନ୍ଦିର ପ୍ରତି ଅନୁଦାନ ଶୂନ ଏହା ମୟୂରଭଞ୍ଜ ଜିଲ୍ଲା ପ୍ରତି ଅଣଦେଖା ବୋଲି ସଂଗଠନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ମାତ୍ର ୫କୋଟି ଟଙ୍କା ଅନୁଦାନ ନିଶ୍ଚିତ ଭାବରେ ଲଜ୍ଜାଜନକ ଓ ଜିଲ୍ଲାବାସୀଙ୍କ ପ୍ରତି ଅପମାନ ସଦୃଶ । ରାଜ୍ୟ ସରକାରଙ୍କର ଏଭଳି ଅବହେଳା ପ୍ରତିବାଦରେ ଭଞ୍ଜସେନା ପକ୍ଷରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଅନୁଦାନ ନମିଳିଲେ ବ୍ୟାପକ ଆନେ୍ଦାଳନ ହେବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ସଂଗଠନ ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଓବିସି ଶାଖା ସଭାପତି ରାକେଶ ବେହେରା ପ୍ରମୁଖଙ୍କ ସହ ଜ୍ୟୋତି ରଞ୍ଜନ ପୃଷ୍ଟି, ଏସକେ ରାଜାଖାନ୍, ସୌମ୍ୟ ରଞ୍ଜନ ମିଶ୍ର, ପ୍ରୀତମ ପଣ୍ଡା, ପ୍ରଶାନ୍ତ ମହାକୁଡ, ସୌମ୍ୟ ରଞ୍ଜନ ସାହୁ, ଦୀପକ ବେହେରା, ପ୍ରଜ୍ଞାମିତା ବେହେରା ଓ ପ୍ରୀତି ସିଂ ପ୍ରମୁଖଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply