ବାରିପଦା: ବାପାଙ୍କୁ ଟଙ୍କା ମାଗିଲା ଟଙ୍କା ନଦେବାରୁ ନିଶାସକ୍ତ ଅବସ୍ଥାରେ ବାପାଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲା ପୁଅ, ଏହିପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅଞ୍ଚଳରେ । ଘଟଣାରୁ ପ୍ରକାଶ ଯେ, ଡୋଭା ଗ୍ରାମର ଗୋପାଳ ନାଏକ(୫୫) ଓ ତାଙ୍କ ପୁଅ ଜିତେନ ନାଏକ(୨୦)ଙ୍କ ମଧ୍ୟରେ ବିଭିନ୍ନ ସମୟରେ ସାମାନ୍ୟ ଘଟଣାକୁ ନେଇ କଳହ ହେଉଥିଲା ।
ବାପା ପାଖରେ କିଛି ଟଙ୍କା ଥିବାର ଜାଣି ନିଶାସକ୍ତ ପୁଅ ବାପାଙ୍କଠୁ ଟଙ୍କା ନେବାପାଇଁ ଜିଦ୍ କରିଥିଲା । ଶେଷରେ ବାପା ଅରାଜି ହେବାରୁ ପାଖରେ ଥିବା ଠେଙ୍ଗାରେ ବାପାଙ୍କୁ ପିଟିପିଟି ଅତିନିର୍ମମ ଭାବେ ହତ୍ୟା କରିଥିଲା ।
ଘଟଣାସ୍ଥଳରେ ବାଦାମପାହାଡ ପୋଲିସ ପହଞ୍ଚି ମୃତ ଶବକୁ ଜବତ କରି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରିବା ସହ ଠେଙ୍ଗାକୁ ଜବତ କରି ସାଇଣ୍ଟିଫିକ ଟିମ ସହ ଘଟଣାର ତଦନ୍ତ କରିଥିଲେ । ଏନେଇ ବାଦାମପାହାଡ ଥାନାରେ ୯/୨୦ରେ ମାମଲା ରୁଜୁ ହୋଇ ଅଭିଯୁକ୍ତ ପୁଅଙ୍କୁ ଗିରଫ କରାଯାଇଥିଲା ।