ବାରିପଦା : ଚଳିତ ରେଳ ବଜେଟରେ ମୟୂରଭଞ୍ଜ ଜିଲ୍ଲାକୁ ଅବହେଳା କରାଯାଇଥିବାରୁ ମୟୂରଭଞ୍ଜ ଜିଲ୍ଲାରେ ଜନସାଧାରଣ ଓ ବୁଦ୍ଧିଜିବୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଭଞ୍ଜସେନା ପକ୍ଷରୁ ଏହାକୁ ଦୃଢନିନ୍ଦା କରାଯିବା ସହ ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଢାମରା-ଚାକୁଳିଆ, ବାଦାମପାହାଡ-କେନ୍ଦୁଝର ନୂତନ ରେଳପଥର ସଂଯୋଗ ଓ ବାଙ୍ଗିରିପୋଷି ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସକୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବା ପାଇଁ ଦାବି କରାଯାଇଛି । ଏହି ଦାବି ତୁରନ୍ତ ପୂରଣ ନହେଲେ ଭଞ୍ଜସେନା ପକ୍ଷରୁ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ପରପ୍ରେକ୍ଷୀରେ ସଂଗଠନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ ପିୟୁଷ ଗୋୟେଲ ଓ ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡୁଙ୍କ କୁଶପୁତ୍ତଳିକା ଦାହ କରାଯାଇ ପ୍ରତିବାଦ କରାଯାଇଛି । ଏହି କାର୍ଯ୍ୟକ୍ରମ ସଂଗଠନ ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଜିଲ୍ଲା ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ, ଉପସଭାପତି ପ୍ରଶାନ୍ତ ମହାକୁଡ, ରାକେଶ ମହାନ୍ତି, ପଙ୍କଜ କରଣ, ଦୀପକ ସାଉ, ମନୋଜ ସାହୁ ଓ ବନୁ ସିଂ ପ୍ରମୁଖଙ୍କ ନେତୃତ୍ୱରେ ବହୁ କର୍ମୀ ସାମିଲ ହୋଇଥିଲେ । ସେହିପରି ଜିଲ୍ଲା ଆଦିବାସୀ ଯୁବଛାତ୍ର ସଂଗଠନ ମାରିସାସେନା ପକ୍ଷରୁ ମଧ୍ୟ ଜିଲ୍ଲାକୁ ଅବହେଳା କରାଯାଇଥିବାରୁ ଏହାର ପ୍ରତିବାଦ କରାଯାଇଛି । ସେହିପରି ମାରିସାସେନା ପକ୍ଷରୁ କୁଳିଅଣା ବ୍ଲକର ବାଇଗଣବାଡିଆ ଠାରେ ରେଳମନ୍ତ୍ରୀ ପିୟୁଷ ଗୋୟେଲଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ଆଗାମୀ ଦିନରେ ଆନେ୍ଦାଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି । ମାରିସାସେନା ଅଧ୍ୟକ୍ଷ ଅର୍ଜୁନ ମୁର୍ମୁଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ରଘୁନାଥ ମୁର୍ମୁ, ସମ୍ପାଦକ ରାଜ ହେମ୍ବ୍ରମ, ବାରିପଦା ଉପଖଣ୍ଡ ସଭାପତି ଶଙ୍ଖର ବାସ୍କେ, ପରେଶ ମାରାଣ୍ଡି ଓ କୁନୁ ମୁର୍ମୁଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ ।