ବାରିପଦା: ବାରିପଦା ବନଖଣ୍ଡ ଅନ୍ତର୍ଗତ କପ୍ତିପଦା ରେଞ୍ଜ ର ଫରେଷ୍ଟର ଶୋଭାକର ସିଂ ୫ହଜାରଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଘଟଣାରୁ ପ୍ରକାଶ ଯେ, ୨୦୧୯ ମସିହାରେ କପ୍ତିପଦା ରେଞ୍ଜ ର ତଳିସାହି ଅଞ୍ଚଳର ହେମନ୍ତ କୁମାର ବେହେରାଙ୍କ ଘରେ ବନବିଭାଗ ପକ୍ଷରୁ ଅତର୍କୀତ ଚଢଉ କରାଯାଇ ବିଭିନ୍ନ ପ୍ରକାର କାଠ ଜବତ କରାଯାଇଥିଲା । ଏନେଇ କପ୍ତିପଦା ରେଞ୍ଜରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ମାତ୍ର ଉକ୍ତ ମାମଲାକୁ ରଫାଦଫା କରିଦେବା ପାଇଁ ଫରେଷ୍ଟର ଶୋଭାକର ସିଂ ୯ହଜାରଟଙ୍କା ଲାଞ୍ଚ ମାଗିଥିଲେ । ଶେଷରେ ୫ହଜାରଟଙ୍କାରେ କଥା ଛିଡିଥିଲା । ହେମନ୍ତ ନିରୂପାୟ ହୋଇ ଭିଜିଲାନ୍ସ ବିଭାଗ ଦ୍ୱାରାସ୍ଥ ହୋଇଥିଲେ । ଗୁରୁବାର ଅପରାହ୍ନରେ ନିଜ କାର୍ଯ୍ୟାଳୟରେ ଫରେଷ୍ଟର ଶ୍ରୀ ସିଂ ହେମନ୍ତଙ୍କ ଠାରୁ ୫ହଜାରଟଙ୍କା ଲାଞ୍ଚ ନେଇଥିଲେ, ଠିକ୍ ସେତିକିବେଳେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଥିଲେ ମଧ୍ୟ ଶ୍ରୀ ସିଂ ଚତୁରତାର ସହ ଲାଞ୍ଚ ଟଙ୍କାଟିକୁ ଗାଏବ କରିଦେଇଥିଲେ । ମାତ୍ର ଟଙ୍କାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଲାଗିଥିବା ରସାୟନିକ ପ୍ରଲୋପ ଯୋଗୁଁ ଶ୍ରୀ ସିଂଙ୍କୁ ଭିଜିଲାନ୍ସ କର୍ମଚାରୀ ମାନେ ହାତ ଧୋଇଲାବେଳେ ରଙ୍ଗପାଣି ବାହାରିଥିଲା । ଏଥିସହ ଶ୍ରୀ ସିଂଙ୍କ କ୍ୱାଟାର ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଏନେଇ ଭିଜିଲାନ୍ସ ବିଭାଗରେ ୭/୨୦ ମାମଲା ରୁଜୁ ହୋଇ ଅଭିଯୁକ୍ତ ଫରେଷ୍ଟରଙ୍କୁ ଗିରଫ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛିଦିନ ତଳେ ଶ୍ରୀ ସିଂ ଲାଞ୍ଚ ମାଗୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ବିବାଦୀୟ ହୋଇପଡିଥିଲେ । ଏହି ଚଢଉ ଭିଜିଲାନ୍ସ ଏସପି ସନ୍ତୋଷ ଦାସଙ୍କ ନିଦେ୍ର୍ଦଶରେ ବାରିପଦା ଭିଜିଲାନ୍ସ ଡିଏସପି ଶରତ ମହାପାତ୍ରଙ୍କ ନେତୃତ୍ୱରେ ଭିଜିଲାନ୍ସ କର୍ମଚାରୀମାନେ ସାମିଲ ହୋଇଥିଲେ ।