ବାରିପଦା : ମୟୂରଭଞ୍ଜ ଲୋକସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଇଂ ବିଶେଶ୍ୱର ଟୁଡୁ ଓ ସାଂସଦ ପ୍ରତିନିଧି ତଥା ଡିଆରୟୁସିସି ଓ ଜେଡ୍ଆରୟୁସିସିର ସଦସ୍ୟ ହେମନ୍ତ ଶାହା ଭୁବନେଶ୍ୱରରେ ପୂର୍ବତଟ ରେଳୱାଇର ଡିଆରଏମ ଓ ଜିଏମଙ୍କୁ ଭେଟି ମୟୂରଭଞ୍ଜ ଜିଲ୍ଲାର ରେଳ ବିଭାଗ ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ।
ଏହି ଆଲୋଚନା କାଳରେ କରୋନା ମହାମାରୀ କାରଣରୁ ବନ୍ଦଥିବା ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସକୁ ଅନ୍ତତଃ ୧୫ଦିନ ପାଇଁ ଚାଲୁ କରାଯାଉ । ଯେହେତୁ ନୂଆବର୍ଷରେ ମୟୂରଭଞ୍ଜ ଗଣପର୍ବ ମକର ସଂକ୍ରାନ୍ତି ଉପଲକ୍ଷେ ଜିଲ୍ଲା ବାହାରେ ଥିବା ବିଭିନ୍ନ ବର୍ଗର ଲୋକେ ନିଜ ନିଜ ଘରକୁ ଆସନ୍ତି ସେଥିପାଇଁ ତୁରନ୍ତ ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନକୁ ତୁରନ୍ତ ଚାଲୁ କରିବା ଓ ଫେବୃଆରୀ ମାସ ପାଖରୁ ଏଥିରେ ଏସି ବଗି ସଂଯୋଗ କରିବା ପାଇଁ ଦାବି କରିଥିଲେ ।
ଏହି ଆଲୋଚନା କାଳରେ ଜିଏମ ରାଜ୍ୟସରକାରଙ୍କ ସହ ଆଲୋଚନା କରି ଯଥାଶୀଘ୍ର ରେଳ ଚଳାଚଳକୁ ଆରମ୍ଭ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏଥିସହ ପୁରୀ ଯାଉଥିବା ସାପ୍ତାହିକ ଟ୍ରେନକୁ କରୋନା ସମାପ୍ତ ପରେ ସବୁଦିନ ଚଳାଚଳ ପାଇଁ ସାଂସଦ ଶ୍ରୀଟୁଡୁ ଦାବି କରିଥିଲେ । ସେହିପରି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଠାରେ ରେଲୱେ ଗୋଡାଉନ୍ କରିବା ପାଇଁ ସାଂସଦ ପ୍ରସ୍ତାବ ରଖିଥିଲେ । ଗୋଡାଉନ୍ ବ୍ୟବସ୍ଥା କରାଗଲେ ଜିଲ୍ଲାରେ କିଛି ଲୋକ ରୋଜଗାର ପାଇବା ସହ ଅଳ୍ପଖର୍ଚ୍ଚରେ ତାଙ୍କ ଲୋକଙ୍କ ପାଖରେ ପହଞ୍ଚି ପାରିବ ।
କେନ୍ଦୁଝର ତଥା ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ, ବାଦାମପାହାଡ ଓ ଝାରଖଣ୍ଡର ଚାଇଁବସା ଆଦିରୁ ଲୁହାପଥର ଗୁଡିକ ଟ୍ରକ ମାଧ୍ୟମରେ ଧାମରା, ହଳଦିଆ ଓ ପାରାଦ୍ୱୀପ ପୋର୍ଟକୁ ଟ୍ରାନ୍ସପୋର୍ଟ ହେଉଥିବାରୁ ଜାତୀୟ ରାଜପଥ ଜାମ ସହିତ ଦୁର୍ଘଟଣାମାନ ଘଟୁଛି । ତେଣୁ ବାଙ୍ଗିରିପୋଷି ଠାରେ ସ୍ଥାନ ଚିହ୍ନଟ କରି ଏକ ରେଲୱେ ସାଇଟିଂ କରାଯାଏ ତେବେ ଆଖପାଖ ଏକହଜାରୁ ଦୁଇହଜାର ପରିବାର ରୋଜଗାର ପାଇପାରିବେ ବୋଲି ସାଂସଦ ମତ ରଖିଥିଲେ । ଏଥିସହ ନୂତନ ରେଳ ଲାଇନ୍ ରାଜଘାଟରୁ ଧାମରା ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ସବୁ ଶ୍ରେଣୀର କିଛି ଲୋକେ କିପରି ନିଯୁକ୍ତି ପାଇପାରିବେ ସେ ନେଇ ମଧ୍ୟ ସାଂସଦ ଆଲୋଚନା କରିଥିଲେ । ଏ ସମସ୍ତ ଆଲୋଚନା ସମ୍ବନ୍ଧରେ ଜିଏମ କେନ୍ଦ୍ର ଓ ରାଜ୍ୟସରକାରଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ ।