ବାରିପଦା: ବାରିପଦା ବନଖଣ୍ଡ ଅନ୍ତର୍ଗତ ମହୁଲଡିହାରେ ଥିବା ଏକ କୁକୁଡା ଫାର୍ମରେ ଅତର୍କୀତ ଚଢଉ କରାଯାଇ ଲକ୍ଷାଧିକ ଟଙ୍କାର ଚୋରାକାଠ ଜବତ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ବାରିପଦା ସହରର ଜଣେ ପ୍ରତିଷ୍ଠିତ ଫର୍ନିଚେୟାର ମାଲିକ ମହୁଲଡିହା ଠାରେ ଥିବା ବହୁପୁରୁଣା ଅପବ୍ୟବହୃତ ଏକ କୁକୁଡା ଫାର୍ମ ଠାରେ ବିପୁଳ ପରିମାଣରେ ଶାଳ, ପିଆଶାଳ ଓ ଶାଗୁଆନ ପରି ମୂଲବାନ ସାଇଜ କାଠ ଲୁଚାଇ ରଖିଥିଲେ । କୌଣସି ଏକ ବିଶେଷ ସୁତ୍ରରୁ ଖବର ପାଇ ବାରିପଦା ରେଞ୍ଜ ପକ୍ଷରୁ ଅତର୍କୀତ ଚଢଉ କରାଯାଇ ଲକ୍ଷାଧିକ ଟଙ୍କା ମୂଲ୍ୟର ଚୋରାକାଠ ଜବତ କରାଯିବା ସହ ଉକ୍ତ କାଠ ଫାର୍ମରେ ଥିବା ଜଣେ କର୍ମଚାରୀ ଚାନ୍ଦ ମହମ୍ମଦ ମଲ୍ଲିକ(୪୦)ଙ୍କୁ ଗିରଫ କରିଥିବାବେଳେ ସମ୍ପୃକ୍ତ ଫର୍ନିଚେୟାର ମାଲିକ ଜଣଙ୍କ ଫେରାର ହୋଇଯାଇଥିବା ଜଣାଯାଇଛି । ଏନେଇ ବାରିପଦା ରେଞ୍ଜରେ ୬୨/୨୦ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବାବେଳେ କାଠଗୁଡିକୁ ଜବତ କରି ରେଞ୍ଜ କାର୍ଯ୍ୟାଳୟରେ ରଖାଯାଇଛି ।