Odisha news

ବାରିପଦା ବ୍ୟବସାୟୀ ସଂଘର ୭ଦିନିଆ ବନ୍ଦପାଳନ ବେଳେ ଗଣ୍ଡଗୋଳ, ଦୋକାନୀଙ୍କୁ ମାଡ ପ୍ରତିବାଦରେ ସଂଘର ସମ୍ପାଦକଙ୍କୁ ଅଟକ ରଖିଲେ ଅଞ୍ଚଳବାସୀ

0

ବାରିପଦା : ବାରିପଦା ସହରରେ ଦିନକୁ ଦିନ କରୋନା ଦୃତଗତିରେ ମାଡି ଚାଲିଥିବାବେଳେ ଏହାକୁ ପ୍ରତିହତ କରିବାପାଇଁ ବାରିପଦା ବ୍ୟବସାୟୀ ସଂଘ ସହ ବିଭିନ୍ନ ସଂଗଠନ ପକ୍ଷରୁ ବାରିପଦା ତଥା ଆଖପାଖ ଅଞ୍ଚଳରେ ୭ଦିନିଆ ଦୋକାନବଜାର ଓ ବ୍ୟବସାୟୀ ପ୍ରତିଷ୍ଠାନ ବନ୍ଦ ରଖିବାପାଇଁ ଅନୁରୋଧ କରାଯାଇଥିଲା ।

ମାତ୍ର ଆଜି ପ୍ରଥମଦିନରେ ଅପ୍ରତିକର ପରିସ୍ଥିତି ଦେଖିବାକୁ ମିଳିଛି । ରବିବାର ସକାଳୁ ବାରିପଦା ସହରର ପ୍ରାୟଃ ଅଧିକାଂଶ ଦୋକାନ ସତ୍ତପ୍ରବୃତ୍ତ ଭାବେ ବନ୍ଦ କରିଦେଇଥିବାବେଳେ କିଛିକିଛି ଅଞ୍ଚଳରେ ଛୋଟଛୋଟ ଚା, ପାନ ଦୋକାନ ଓ ଉଠା ଦୋକାନିଗୁଡିକ ଖୋଲାରହିଥିଲା । ମାତ୍ର ହଠାତ୍ ସଂଘର କିଛି ସଦସ୍ୟଙ୍କ ସହ ଅସାମାଜିକ ଯୁବକମାନେ ଆରମ୍ଭ କରିଦେଇଥିଲେ ଦବଙ୍ଗଗିରି ।

ଛୋଟ ଛୋଟ ଗରିବ ଦୋକାନଗୁଡିକୁ ଧମକ୍ଚମକ୍ ଦେଇ ବନ୍ଦ କରିବାପାଇଁ ତାଗିଦ୍ କରିଥିଲେ । ଶେଷରେ ମଧୁବନ ଅଞ୍ଚଳର ଗ୍ୟାରେଜ୍ ଛକ ନିକଟରେ ଥିବା ଝୁନୁ ଟି ଷ୍ଟୋଲ୍ ଖୋଲା ଥିବାବେଳେ ସଂଘର ସଦସ୍ୟମାନେ ସେଠାରେ ପହଞ୍ଚି ଦୋକାନକୁ ବନ୍ଦ କରିବାପାଇଁ ତାଗିଦ୍ କରିବାସହ ହିତଜ୍ଞାନ ଭୁଲି ଦୋକାନରେ ଥିବା ଦୋକାନୀର ପିଲା ଦେବାଶିଷ ଦଣ୍ଡସେନାଙ୍କୁ ପ୍ରବଳ ମାଡମାରିବା ସହ ଦୋକାନଟିକୁ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳର ଲୋକେ ଓ ଦୋକାନୀମାନେ ରୁଣ୍ଡ ହୋଇ ଏହି ଲଗାମ୍ଛଡାଧାରୀଙ୍କୁ ପାଟିତୁଣ୍ଡ କରୁଥିବାବେଳେ ସଂଘର ସାଧାରଣସମ୍ପାଦକ ସରୋଜ ବୋଷଙ୍କୁ ଧରିପକାଇ ଅଟକ ରଖିଥିବାବେଳେ ଅନ୍ୟମାନେ ଭୟରେ ସେଠାରୁ ଖସିଯାଇଥିଲେ । ଫଳରେ ପରିସ୍ଥିତି ଉତ୍ତେଜନାପ୍ରବଣ ହେବାସହ ଘଟଣାସ୍ଥଳରେ ବହୁଲୋକଙ୍କ ସମାଗମ ଘଟିଥିଲା ।

ପରେପରେ ବାରିପଦା ଏସଡିପିଓଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ପହଞ୍ଚି ଉକ୍ତ ଦୋକାନୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ଓ ଲୋକଙ୍କୁ ବୁଝାସୁଝା କରିବାପରେ ଲୋକଙ୍କ ଦ୍ୱାରା ଅଟକ ଥିବା ସରୋଜଙ୍କୁ ପୋଲିସ ଗାଡିରେ ଉଠାଇ ଥାନାକୁ ଆଣିଥିଲେ । ମାତ୍ର ଆଜିର ଏତାଦୃଶ୍ୟ କାର୍ଯ୍ୟକଳାପକୁ ସହରବାସୀଙ୍କ ପକ୍ଷରୁ ଦୃଢନିନ୍ଦା କରାଯିବା ସହ କାହାକୁ ଜୋରଜବରଦସ୍ତ ନକରି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ କରାଯିବା ଉଚିତ୍ ହୋଇଥାନ୍ତା ବୋଲି ମତପ୍ରକାଶ ପାଇଥିଲା ।

Leave A Reply