Odisha news

ନିଆରା ଢଙ୍ଗରେ ବେଙ୍ଗ ବେଙ୍ଗୁଲି ବାହାଘର

0
ମୟୁରଭଂଜ : କରନା କୋଟକଣା ଭିତରେ ବେଙ୍ଗ ବେଙ୍ଗୁଲି ବାହାଘର ।କଥାରେ ଅଛି ବେଙ୍ଗ ରାବିଲେ ବର୍ଷା ହୁଏ। ପିଲାଦିନେ ଆପଣ ନିଶ୍ଚୟ ଆପଣଙ୍କ ଜେଜେମା’ଙ୍କଠାରୁ ଏପରି କଥା ଶୁଣିଥିବେ। ଶୁଣିଥିବା ଏହି କଥାଟି ସତ ବି ହୋଇଥାଏ। କିନ୍ତୁ ବର୍ଷା ହେବା ପାଇଁ ବେଙ୍ଗ-ବେଙ୍ଗୁଲିର ବାହାଘର କରାଇବା କଥା ଆପଣ କେବେ ଶୁଣିଛନ୍ତି କି ? ଆପଣଙ୍କୁ ଏକଥା ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ !
କିନ୍ତୁ ଏହା ସତ। ବର୍ଷା ହେବା ପାଇଁ ମୟୁରଭଂଜ ଜିଲ୍ଲା ସାରସ କଣା ବ୍ଲକ କାଶିପାଳ ଗ୍ରାମରେ ଧୁମ୍‌ଧାମ୍‌ରେ ହୋଇଛି ବେଙ୍ଗ-ବେଙ୍ଗୁଲିଙ୍କ ବାହାଘର।ବଡ଼କଥା ହେଉଛି ମଣିଷମାନଙ୍କର ଯେପରି ରୀତିନୀତିର ସହିତ ବିବାହ ହୋଇଥାଏ, ବେଙ୍ଗ-ବେଙ୍ଗୁଲିଙ୍କର ବାହାଘର ମଧ୍ୟ ଠିକ ସେହିପରି କରାଯାଇଥିଲା।
ଏଥିପାଇଁ ପ୍ରଥମେ ବେଙ୍ଗକୁ ପାଲିଙ୍କିରେ ବସାଇ ବର ରୂପରେ ଓ ବେଙ୍ଗୁଲିକୁ କନ୍ୟା ଭାବରେ ସଜାଇ କନ୍ୟାଦାନ କରାଯାଇଛି।ଏପରି ଅଦ୍ଭୁତ ବିବାହ ପଛରେ ଏକ ଉଦ୍ଦେଶ୍ୟ ରହିଛି। ମୌସୁମୀ ରାଜ୍ୟକୁ ଛୁଇଁବା ପରେ ବର୍ଷା ପାଇଁ ମୟୁରଭଂଜ ଜିଲ୍ଲାର ଗ୍ରାମାଞ୍ଚଳର ଲୋକେ ଆତୁର ହୋଇ ବର୍ଷା ପାଇଁ ଅପେକ୍ଷା କରି ରହିଥାନ୍ତି। ଆଉ ଯଦି ଠିକ ସମୟରେ ବର୍ଷା ନ ହୁଏ, ଲୋକେ ଏହିପରି ଅନ୍ଧ ବିଶ୍ୱାସ ଉପରେ ଭରସା କରିଥାନ୍ତି। ଗ୍ରାମର ସମସ୍ତ ପୁରୁଷ, ମହିଳା, ଛୁଆ ଓ ବୟସ୍କ ଲୋକ ଏହି ବିବାହରେ ସାକ୍ଷୀ ରହିଥାନ୍ତି।ତେବେ ଏହି ବାହାଘର ପାଇଁ ପ୍ରଥମେ ଗାଁରେ ଦୁଇଟି ମଣ୍ଡଳୀ ଗଠନ କରାଯାଇ ଲୋକଙ୍କଠାରୁ ଚାନ୍ଦା ଆଦାୟ କରାଯାଇଥିଲା।
ଯେଉଁଥିରେ ଜଣେ ବରପକ୍ଷ ଓ ଜଣେ କନ୍ୟାପକ୍ଷ ରହିଥିଲେ। ଧୁମ୍‌ଧାମ୍‌ରେ ବେଙ୍ଗ-ବେଙ୍ଗୁଲିଙ୍କର ବରଯାତ୍ରୀଙ୍କ ଶୋଭାଯାତ୍ରା ବାହାର କରାଯାଇଥିଲା। ବୈଦିକ ମନ୍ତ୍ର ଉଚ୍ଚାରଣ କରାଯାଇ ବରବଧୂ ପୁଷ୍ପମାଳା ଅଦଳ ବଦଳ କରିଥିଲେ।ଅନ୍ୟ ସମସ୍ତ ବିବାହ ପରି ଏହି ବିବାହରେ ମହିଳାମାନେ ଗୀତ ଗାଇଥିଲେ ଏବଂ ବେଙ୍ଗ-ବେଙ୍ଗୁଲିଙ୍କୁ ବିବାହ ପୋଷାକ ପିନ୍ଧାଇଥିଲେ।
ଏପରିକି ସିନ୍ଦୂର ଦେବା ରୀତି ପରେ ବେଙ୍ଗୁଲିକୁ କନ୍ୟାଦାନ ମଧ୍ୟ କରାଯାଇଥିଲା। ଏପରି କରିବା ଦ୍ୱାରା ଇନ୍ଦ୍ର ଦେବତା ଖୁସି ହୋଇ ବର୍ଷା କରାଇଥାନ୍ତି ବୋଲି ମୟୁରଭଂଜ ଜିଲ୍ଲା କାଶିପାଳ ଅଞ୍ଚଳର  ଲୋକଙ୍କର ବିଶ୍ୱାସ ରହିଛି। ତେଣୁ ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରି ବର୍ଷା କରାଇବା ପାଇଁ ବେଙ୍ଗ-ବେଙ୍ଗୁଲିଙ୍କର ବିବାହ କରାଯାଇଥିଲା।ସେଠାକାର ଲୋକକଥା ଅନୁସାରେ ଯେବେ କୃଷକ ବର୍ଷା ପାଇଁ ଇନ୍ଦ୍ର ଦେବତାଙ୍କୁ ପ୍ରାର୍ଥନା କରିଥାନ୍ତି, ତେବେ ଇନ୍ଦ୍ର ଦେବତା ବେଙ୍ଗମାନେ ନ କହିବା ପର୍ଯ୍ୟନ୍ତ ଇନ୍ଦ୍ର ବର୍ଷା କରାଇବେ ନାହିଁ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଲୋକେ ବେଙ୍ଗ-ବେଙ୍ଗୁଲିଙ୍କର ବିବାହ କରାଇଥାନ୍ତି।
Leave A Reply