ଜିଲ୍ଲା ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ପାଟପର୍ବରେ ବିଭ୍ରାଟ : ପ୍ରତିବାଦରେ ଭକ୍ତାଙ୍କ ସହ ରାସ୍ତାରୋକରେ ସାମିଲେ ହେଲେ ବିଧାୟକ ପ୍ରକାଶ ସୋରେନ୍
ବାରିପଦା : ରାଜରାଜୁଡା ସମୟରୁ ପବିତ୍ର ଚୈତ୍ର ପର୍ବ ଅବସରରେ ପାଟ ଭକ୍ତା ମାନଙ୍କ ପକ୍ଷରୁ ଭକ୍ତା ପର୍ବ ପାଳିତ ହୋଇଆସୁଅଛି । ମାତ୍ର ଜିଲ୍ଲାପ୍ରାଶାସନର ଅବହେଳା ତଥା ଖାମ୍ଖିଆଲି ମନୋଭାବ ଯୋଗୁଁ ଗୁରୁବାର ପାଟ ଭକ୍ତା ମାନଙ୍କର କଣ୍ଟାପାଟ ପର୍ବ ଅନୁଷ୍ଠିତ ହୋଇପାରିନାହିଁ । ଫଳରେ ଏହାକୁ ନେଇ ପାଟଭକ୍ତା ଓ ଭକ୍ତ ମହଲରେ ଗଭୀର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୁରୁବାର ଭକ୍ତା ମାନେ ପାରମ୍ପାରିକ ସାଜସଜ୍ୟାରେ ଏମ୍ପିସି ଜୁନିୟର କଲେଜ ସିଙ୍ଘେଶ୍ୱର ଶିବ ମନ୍ଦିର ନିକଟରେ କଣ୍ଟାପାଟ ଅବସରରେ ଚାଲିବାକୁ ଥିବାବେଳେ କିଛି ହାତଗଣତି କଣ୍ଟା ପଡିଥିବା ଦେଖି ପାଟୁଆ ମାନେ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏଣେ ଭକ୍ତା ମାନଙ୍କୁ ବୁଝାସୁଝା କରିବା ପାଇଁ ଜିଲ୍ଲାପ୍ରଶାସନ କି ଦେବତ୍ତୋର ବିଭାଗର କୌଣସି ଅଧିକାରୀଙ୍କ ଦେଖା ମିଳିନଥିଲା । ଶେଷରେ ଭକ୍ତାମାନେ ଏମ୍ପିସି କଲେଜ ସମ୍ମୁଖ ରାସ୍ତାକୁ ଅବରୋଧ କରି କଡା ପ୍ରତିକ୍ରିୟା ରଖିଥିଲେ । ଏହି ପ୍ରତିବାଦକୁ ସମର୍ଥନ କରି ବାରିପଦା ବିଧାୟକ ପ୍ରକାଶ ସୋରେନ୍ ଓ ଭଞ୍ଜସେନା ସଭାପତି ପିଣ୍ଟୁ ମାଇତି ଭକ୍ତା ମାନଙ୍କ ସହିତ ଧାରଣରେ ବସିଥିଲେ । ଏହି ଅବସରରେ ବାରିପଦା ବିଧାୟକ ପ୍ରକାଶ ସୋରେନ୍ ଭକ୍ତାମାନଙ୍କର ଏହି ନ୍ୟାର୍ଯ୍ୟକୁ ଦାବୀ ତୁରନ୍ତ ପୂରଣ କରିବା ପାଇଁ ଦାବି କରିବା ସହ ପ୍ରଶାସନିକ ଅଧିକାରୀଙ୍କୁ ଫୋନ୍ କରି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣା ସାମାଧାନ କରିବାକୁ ତାଗିତ୍ କରିଥିଲେ । ବହୁ ଘଣ୍ଟା ଧରି ରାସ୍ତା ଅବରୋଧ ହେବାପରେ ଶେଷରେ ପୋଲିସଙ୍କ ଉପସ୍ଥିତିରେ ଜିଲ୍ଲା ଦେବତ୍ତୋର ଅଧିକାରୀ ମାନସୀ ତରେଇ ଘଟଣାସ୍ଥଳରେ ପହଞ୍ଚି ଭକ୍ତାମାନଙ୍କୁ ବୁଝାସୁଝା କରିଥିଲେ । ସେ କାର୍ଯ୍ୟରେ ନୂତନ କରି ଯୋଗଦାନ କରିଥିବାରୁ ଏ ବିଷୟରେ ଅବଗତ ନଥିବାରୁ ଦୁଃଖପ୍ରକାଶ କରିଥିଲେ । ଅପରପକ୍ଷରେ ସାଧାରଣ ନିର୍ବାଚନ ବାହାନାରେ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରସିଦ୍ଧ ଚୈତ୍ର ପର୍ବ ଓ ଭକ୍ତା ମାନଙ୍କର ଚିରାଚରିତ ପାରମ୍ପାରିକ କାର୍ଯ୍ୟକ୍ରମକୁ ଅବହେଳା କରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଥିଲା । ଭକ୍ତା ମାନଙ୍କର କଣ୍ଟା ପର୍ବ ପାଳନ ଗୁରୁବାର ଅନୁଷ୍ଠିତ ହୋଇପାରିନଥିବାରୁ ଚଳିତ ବର୍ଷ ଭକ୍ତା ମାନଙ୍କର ପାଟ ପର୍ବ ଅନୁଷ୍ଠିତ ହେବାରେ ବିଭ୍ରାଟ ହେବାକୁ ସବୁରୀ ମହଲରେ ନାପସନ୍ଦ କରାଯାଇଛି । ଆଗାମୀ ଦିନରେ ଜିଲ୍ଲାପ୍ରଶାସନ ଭକ୍ତଙ୍କ ଭାବାବେଗ ପ୍ରତି ଦୃଷ୍ଟି ଦେବାକୁ ଭକ୍ତ ମହଲରେ ଦାବି ହୋଇଛି ।