ବାରିପଦା : ସ୍ଥାନୀୟ ଦର୍ନାଦନପୁର, ୧୫ ନମ୍ବର ୱାର୍ଡରେ ଥିବା ମଞ୍ଚର ଅସ୍ଥାୟୀ କାର୍ଯ୍ୟାଳୟରେ ମୟୂରଭଞ୍ଜ ଜିଲ୍ଲା ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ମଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଆଗାମୀ ବିଧାନସଭା ନିର୍ବାଚନରେ ମୋରଡା ଆସନରେ କେବଳ ଓବିସି ପ୍ରାର୍ଥୀଙ୍କୁ ସମର୍ଥନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଓବିସି ମଞ୍ଚ ତରଫରୁ ଓବିସିଙ୍କୁ ପ୍ରାର୍ଥୀ କରିବାଯିବା ପାଇଁ ବାରମ୍ବାର ଦାବୀ କରାଯିବା ସତ୍ତ୍ୱେ ଚଳିତ ନିର୍ବାଚନରେ ରାଜନୈତିକ ଦଳଗୁଡିକ ଓବିସି ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଇନଥିବା ଯୋଗୁଁ ଗଭୀର କ୍ଷୋଭ ପ୍ରକାଶ କରାଯାଇଛି । ପ୍ରକାଶ ଥାଉକି ମୟୂରଭଞ୍ଜ ଜିଲ୍ଲାରେ ମୋରଡା ଏକମାତ୍ର ଅଣସଂରକ୍ଷିତ ଆସନ । ଏହି ନିର୍ବାଚନ ମଣ୍ଡଳୀରେ ଜନସଂଖ୍ୟାର ଅଦେ୍ର୍ଧକ ହେଉଛନ୍ତି ଓବିସି ବର୍ଗର । ତଥାପି ଏମାନଙ୍କୁ ପ୍ରାର୍ଥୀ କରାନଯିବା ପଛରେ କେଉଁ ମାନସିକତା ରହିଛି ତାହା ସହଜରେ ଅନୁମେୟ । ଏହି ଆସନ ଗଠିତ ହେବା ଦିନଠାରୁ କୌଣସି ଓବିସି ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇନାହାଁନ୍ତି । ସାଧାରଣ ବର୍ଗରୁ ଯେଉଁମାନେ ସମସ୍ତ ପ୍ରତିଷ୍ଠିତ ରାଜନୈତିକ ଦଳରୁ ପ୍ରାର୍ଥୀ ହେଉଛନ୍ତି ସେମାନଙ୍କ ସଂଖ୍ୟା ଅତ୍ୟନ୍ତ ନଗନ୍ୟ । ଓବିସି ପରି ବିରାଟ ସମୁଦାୟକୁ ପ୍ରତିନିଧିତ୍ୱ କରିବାର ସୁଯୋଗରୁ ବଞ୍ଚିତ କରିବା ପରୋକ୍ଷ ଜାତିବାଦ ନୁହେଁକି ବୋଲି ମଞ୍ଚ ପ୍ରଶ୍ନ କରିଛି । ମଞ୍ଚର ଜିଲ୍ଲା ସଭାପତି ଅବନୀ ମହାନ୍ତଙ୍କ ଅଧ୍ୟକ୍ଷତାରେ ଓ ରାଜ୍ୟ ଉପସଭାପତି ଅଧ୍ୟାପକ ଗୋପବନ୍ଧୁଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ବରିଷ୍ଠ ସଦସ୍ୟଙ୍କ ଏହି ବୈଠକରେ ଆବଶ୍ୟକସ୍ଥଳେ ମଞ୍ଚ ଓବିସି ପ୍ରାର୍ଥୀ ଛିଡା କରାଇବା ପାଇଁ ନିଷ୍ପତ୍ତି ନେଇଛି । ଖୁବ୍ଶୀଘ୍ର ଏହି ନିର୍ବାଚନ ମଣ୍ଡଳୀରେ ଏକ ଓବିସି ଜାଗରଣ ରଥ ବୁଲାଇବା ଓ ‘ଓବିସିଙ୍କୁ ଟିକେଟ୍ ନାହିଁତ ଭୋଟ ନାହିଁ’ ସ୍ଲୋଗାନର ବ୍ୟାପକ ପ୍ରସାର ପାଇଁ ମଞ୍ଚ ଯୋଜନା କରିଛି । ଏହାଛଡା ଓବିସିଙ୍କ ପ୍ରତି କେଉଁ ରାଜନୈତିକ ଆଭିମୁଖ୍ୟ କଣ ତାହା ମଧ୍ୟ ଭୋଟରଙ୍କୁ ଅବଗତ କରାଯିବ । ଯେଉଁ ଦଳଗୁଡିକ ଓବିସିଙ୍କୁ ପ୍ରତାରିତ କରି ଆସିଛନ୍ତି, ତାଙ୍କୁ ପରାଜିତ କରାଯିବ ବୋଲି ମତପ୍ରକାଶ ପାଇଛି । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ନନ୍ଦ କୁମାର ମହାପାତ୍ର, ଛୋଟଲାଲ ମହାନ୍ତ, ତିମିର ଘୋଷ, କ୍ଷେତ୍ରମୋହନ, ସୁକୁମାର ରଞ୍ଜନ ପ୍ରଧାନ, କାଶୀନାଥ ମାହାନା, ବସନ୍ତ ମହାନ୍ତ, ଭବାନୀ ସାହୁ, ନରେନ୍ଦ୍ର ମହାନ୍ତ, ରତିକାନ୍ତ ଚୌଧୁରୀ, ଶିଶିର ମହାନ୍ତ, ପ୍ରଣବ କିଶୋର ମହାନ୍ତ, ଲିଙ୍ଗରାଜ ବେହେରା ଓ ତାରାକାନ୍ତ ମହାନ୍ତ ପ୍ରମୁଖ ମତବ୍ୟକ୍ତ କରିଥିଲେ ।
