ବାରଙ୍ଗ: ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବାଘ ଛୁଆ ଅସୁସ୍ଥ। ଯାହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ଗତ କିଛି ଦିନ ହେବ ଗୋଟିଏ ପରେ ଗୋଟିଏ ବନ୍ୟ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାର ଦିନ ବିରଳ ଧଳା ବାଘ ଛୁଆ ଅସୁସ୍ଥ ହୋଇଛି । ସେ ଠିକ୍ ସେ ଖାଦ୍ୟ ଖାଉନଥିବା ବେଳେ ଠିକ୍ ସେ ଛିଡ଼ା ମଧ୍ୟ ହୋଇପାରୁନି ।
ମିଳିଥିବା ସୂଚନା ମୁତାବକ, ୨୦୨୩ ଜାନୁୟାରୀ ୬ ତାରିଖରେ ଧଳାବାଘୁଣୀ ରୁପା ତାର ଦ୍ୱିତୀୟ ଗର୍ଭସ୍ଥ ୩ଟି ସନ୍ତାନକୁ ଜନ୍ମଦେଇଥିଲା । ସେଥିମଧ୍ୟରୁ ଗୋଟିକର ମୃତ୍ୟୁ ଘଟିଥିବାବେଳେ ଅନ୍ୟଦୁଇଟି ଜୀବିତ ରହିଥିଲେ। ଶାବକ ଦୁଇଟିଙ୍କୁ କର୍ତ୍ତୁପକ୍ଷ ପ୍ରାଣୀଉଦ୍ୟାନର ୨୮ ନମ୍ବର ଏନକ୍ଲୋଜରରେ ରଖିଥିଲେ। ଶନିବାର ଦିନ ଏକ ୯ ମାସର ମାଇ ଧଳାବାଘ ଛୁଆ ଅସୁସ୍ଥ ହୋଇପଡିଛି । ପ୍ରଥମଥର ପାଇଁ ଏହି ଛୁଆଟି ଅସୁସ୍ଥ ହୋଇଛି ଥିବା ବେଳେ ଏହିଛୁଆଟି ଗତକିଛିଦିନ ହେବ ତରଳ ଝାଡାରେ ଆକ୍ରାନ୍ତ ଥିବାରୁ ନନ୍ଦନକାନନ ଜନ୍ତୁବିଭାଗର ଚିନ୍ତା ବଢିଯାଇଛି ।
ତେବେ ଜନ୍ତୁବିଭାଗର ନିର୍ଦ୍ଦେଶକ୍ରମେ ଛୁଆକୁ ପୃଥକୀକରଣ ରଖାଯାଇ ଡାକ୍ତରମାନଙ୍କଦ୍ୱାରା ଚିକିତ୍ସା ଆରମ୍ଭ ହୋଇଥିଲେ ମଧ୍ୟ ଛୁଆଟି ଠିକଭାବେ ଖିଆପିଆ କରିପାରୁନଥିବା ଜଣାପଡିଛି । ସେ ଖାଦ୍ୟ ଖାଇବା ପରିମାଣ କମାଇ ଦେବାରୁ ଦିନକୁ ଦିନ ଦୁର୍ବଳ ହେବା ସହିତ ଗୋଟିଏ ସ୍ଥାନରେ ଛିଡାହୋଇ ରହୁଛି। ଚିକିତ୍ସା ପରେ ମଧ୍ୟ ତା ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉନଥିବାର ଜଣାପଡିଛି । ଅନ୍ୟପଟେ ପରିଚାଳନାଗତତ୍ରୃଟି ପାଇଁ ଖାଦ୍ୟ ସଠିକ୍ ଭାବେ ଯାଞ୍ଚ ହେଉ ନ ଥିବା ଓ ନିମ୍ନମାନର ଖାଦ୍ୟ ଯୋଗୁଁ ବାଘ ଛୁଆଟି ତରଳ ଝାଡାରେ ଆକ୍ରାନ୍ତହୋଇଥିବାର ଚର୍ଚ୍ଚା ଯୋର ଧରିଛି । ତେବେ ସରକାର ନିରୀହ ଜନ୍ତୁଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଏଥିପ୍ରତି ଦୃଷ୍ଟି ଦେବାକୁ ପଶୁପ୍ରେମୀଙ୍କ ମହଲରେ ଦାବି ହେଉଛି ।
