Odisha news

ଦୀପାବଳୀରେ ବାଣ ବ୍ୟବସାୟକୁ ନେଇ ପ୍ରଶାସନର ନିୟମ ଉପରେ ପ୍ରଶ୍ନବାଚୀ : ନିୟମ ଭିତରେ ରହି ବ୍ୟବସାୟ କରିବେ କିପରି?

0
ବାଲିଗୁଡ଼ା: ୦୩/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): ଦୀପାବଳୀ ଆସିଲେ ବାଣ ବଜାରରେ ଦେଖିବାକୁ ମିଳେ ଚଳଚଞ୍ଚଳତା। ଏହି ସମୟରେ ବାଣ ବ୍ୟବସାୟ କରି ଦୁଇ ପଇସା ରୋଜଗାର କରିବାକୁ ଅନେକ ବ୍ୟବସାୟୀ ଆଗ୍ରହ ପ୍ରକାଶ କରନ୍ତି। ହେଲେ ବାଣ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନର ସମୟସୀମା ଓ ବାଣ ସଂଗ୍ରହ କରିବାର ବାସ୍ତବ ସ୍ଥିତିକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ। ପ୍ରଶାସନର ନିୟମ ଓ ବ୍ୟବସାୟର ଆବଶ୍ୟକତା ମଧ୍ୟରେ ରହିଥିବା ଏହି ତାଳମେଳ ଅଭାବ ବ୍ୟବସାୟୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଅଭିଯୋଗ ଅନୁଯାୟୀ, ଦୀପାବଳୀର ମାତ୍ର ଦୁଇ ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଣ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଉଛି। କିନ୍ତୁ ବ୍ୟବସାୟୀଙ୍କୁ ବଜାରର ଚାହିଦା ଓ ଯୋଗାଣକୁ ଦୃଷ୍ଟିରେ ରଖି ପ୍ରାୟ ମାସକ ପୂର୍ବରୁ ବାଣ ସଂଗ୍ରହ କରି ରଖିବାକୁ ପଡ଼ୁଛି। କାରଣ ଶେଷ ମୁହୂର୍ତ୍ତରେ ବାଣ ଯୋଗାଣରେ ଅଭାବ ଦେଖାଦେବା ସହ ଦରବୃଦ୍ଧିର ଆଶଙ୍କା ମଧ୍ୟ ରହିଛି। ଏଭଳି ସ୍ଥିତିରେ ଲାଇସେନ୍ସ ମିଳିବା ପୂର୍ବରୁ ବାଣ ସଂଗ୍ରହ କରି ରଖିଲେ ତାହାକୁ ବେଆଇନ ମହଜୁଦ ବୋଲି ଧରାଯିବାର ଆଶଙ୍କା ରହୁଛି। ଯଦି ପୁଲିସ ଏହାର ସୁରାକ ପାଇ ଚଢ଼ାଉ କରେ, ତେବେ ବାଣ ଜବତ ହେବା ସହ ବ୍ୟବସାୟୀଙ୍କୁ ଆଇନଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅନ୍ୟପକ୍ଷରେ ଲାଇସେନ୍ସ ମିଳିବା ପରେ ବାଣ କିଣିବାକୁ ଗଲେ ଠିକ୍ ସମୟରେ ଆବଶ୍ୟକ ପରିମାଣର ବାଣ ମିଳିବା ନେଇ ଅନିଶ୍ଚିତତା ରହୁଛି। ଏଠାରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ଯଦି ଲାଇସେନ୍ସ ମିଳିବା ପୂର୍ବରୁ ବାଣ ରଖିବା ବେଆଇନ, ତେବେ ଲାଇସେନ୍ସ ମିଳିବାର ମାତ୍ର ଦୁଇ ଦିନ ମଧ୍ୟରେ ବ୍ୟବସାୟୀ କିପରି ବାଣ ସଂଗ୍ରହ କରି ଦୋକାନ ଖୋଲିବେ ? ଆଉ ଯଦି ଲାଇସେନ୍ସ ପାଇବା ପରେ ସେହି ବାଣ ବିକ୍ରି ଆଇନସମ୍ମତ, ତେବେ ତାହାର ପୂର୍ବ ପ୍ରସ୍ତୁତି ପାଇଁ ସ୍ପଷ୍ଟ ବ୍ୟବସ୍ଥା କାହିଁକି ନାହିଁ ? ବାଣ ବ୍ୟବସାୟୀଙ୍କ ସୁରକ୍ଷା ସହ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ନିଶ୍ଚିତ କରିବା ପ୍ରଶାସନର ଦାୟିତ୍ୱ। ତେଣୁ ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରିବା ସହ ଲାଇସେନ୍ସ ପ୍ରଦାନ, ବାଣ ସଂଗ୍ରହ ଓ ସଂରକ୍ଷଣ ପାଇଁ ଏକ ସ୍ପଷ୍ଟ ଓ ବ୍ୟବହାରିକ ବ୍ୟବସ୍ଥା କରିବା ଆବଶ୍ୟକ। ନଚେତ୍ ନିୟମ ପାଳନ କରିବାକୁ ଯାଇ ବ୍ୟବସାୟୀମାନେ ଅଯଥା ଆଇନଗତ ଦ୍ୱନ୍ଦ୍ୱରେ ପଡ଼ିବେ। ନିୟମ ରହୁ, ସୁରକ୍ଷା ବି ରହୁ; ହେଲେ ନିୟମ ଏପରି ନହେଉ ଯେ ବ୍ୟବସାୟ କରିବା ପୂର୍ବରୁ ବ୍ୟବସାୟୀ ଦ୍ୱନ୍ଦ୍ୱରେ ପଡ଼ିଯିବେ। ଏହି ଦିଗରେ ଜିଲ୍ଲା ପ୍ରଶାସନର ସ୍ପଷ୍ଟୀକରଣ ସହ ବ୍ୟବହାରିକ ପଦକ୍ଷେପ ଏବେ ଅପେକ୍ଷିତ।
Ad2
Leave A Reply