ବନ୍ତ : ବନ୍ତ ଥାନା ଅଧିନ ତାଳପଦା ଗ୍ରାମର ଜନୈକ ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ଦେବା ଅଭିଯୋଗରେ ପୋଲିସ ୪ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ଅଭିଯୋଗରୁ ପ୍ରକାଶ ଯେ, ବନ୍ତ ଥାନା ଅଧିନ ତାଳପଦା ଗ୍ରାମର ରମାକାନ୍ତ ବାରିକଙ୍କ ପୁଅ ସରୋଜଙ୍କ ସହିତ ଧାମନଗର ଥାନା ଚୁଡାକୁଟି ଗ୍ରାମର ଦୀନବନ୍ଧୁ ଦାସଙ୍କ ଝିଅ ମଞ୍ଜୁଲତାଙ୍କ ସହିତ ଗତ ୧୦ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ ହୋଇଥିଲା । ବିଭାଘର ସମୟରେ କନ୍ୟା ଘର ପକ୍ଷରୁ ନଗଦ ୫୦ ହଜାର ଟଙ୍କା, ସୁନାଗହଣା ସମେତ ସମସ୍ତ ଆସବାବପତ୍ର ଦିଆଯାଇଥିଲା । ପ୍ରାୟ ୮ ବର୍ଷ ଧରି ମଞ୍ଜୁଲତା ଶାଶୁ ଘରେ ଭଲରେ ଚଳି ଆସିଥିଲେ । ଏହାରି ମଧ୍ୟରେ ତାଙ୍କର ଦୁଇଟି କନ୍ୟା ସନ୍ତାନ ଜନ୍ମ ହୋଇଥିଲେ । ସ୍ୱାମୀ ଜଣେ ଡ୍ରାଇଭର ହୋଇଥିବା ବେଳେ ଗତ ୨ ବର୍ଷ ତଳେ କେନ୍ଦୁଝର ଚମ୍ପୁଆ ଠାରେ ଅନ୍ୟ ଏକ ଝିଅକୁ ସେ ୨ୟ ବିବାହ କରିଛନ୍ତି ।
ପୂର୍ବରୁ ତାଙ୍କ ସ୍ୱାମୀ ତାଙ୍କୁ ଓ ପିଲା ଛୁଆଙ୍କୁ ଛାଡି ଲୁଚି ଲୁଚି ସେହି ଝିଅ ସହିତ ରହୁଥିଲେ । ଏସବୁ ଜାଣିବା ପରେ ମଞ୍ଜୁଲତା ପଚାରିବାରୁ ତାଙ୍କୁ ସ୍ୱାମୀ, ଶାଶୁ, ଶ୍ୱଶୁର ମିଶି ଗାଳି ଗୁଲଜ କରିବା ସହିତ ମାଡ ମାରିଥିଲେ । ଘରୁ ବାହାରି ଯିବାକୁ ଧମକ ଦେବା ସହ ମାରି ଦେବାକୁ ଧମକ ଦେଇଥିଲେ । ଗତ ଏପି୍ରଲ୍ ୧୬ ରେ ମଞ୍ଜୁଲତାଙ୍କ ବାପା ଥାନାରେ ଅଭିଯୋଗ କରିଥିବା ବେଳେ ଗତ ମେ ୭ରେ ସେ ନିଜେ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଘଟଣା ମହିଳା ସମିତି ଜରିଆରେ ସମାଧାନ କରାଯାଇଥିଲା । ମାତ୍ର ତାହାକୁ ପରବର୍ତ୍ତୀ ଅବସ୍ଥାରେ ମାନି ନଥିଲେ । ପୂର୍ବଭଳି ଶାଶୁ ଘର ଲୋକେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ମଙ୍ଗଳବାର ଏସଂପର୍କରେ ସେ ବନ୍ତ ଥାନାରେ ଅଭିଯୋଗ କରିଥିଲେ । ଏନେଇ ବନ୍ତ ଥାନାରେ କେସ ନଂ-୬୯/୨୦ ମୂଳେ ସ୍ୱାମୀ, ଶ୍ୱଶୁର, ଶାଶୁ ଓ ନଣନେ୍ଦଇଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।