ବିଏସ୍ଏଫ୍ର ହୀରକ ଜୟନ୍ତୀ ଅବସରରେ ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ , ୧୨ଟି ବ୍ଲକ୍ର ୨୪ଟି ଦଳ ସାମିଲ, ଯୁବ କ୍ରୀଡ଼ାବିତ୍ଙ୍କୁ ମିଳିବ ପ୍ରତିଭା ପ୍ରଦର୍ଶନର ସୁଯୋଗ
ବାଲିଗୁଡ଼ା, ୧୨/୧୧ : (ସଞ୍ଜୟ କୁମାର ପାଣିଗ୍ରାହୀ): ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବର ବିକାଶ, ଶୃଙ୍ଖଳା, ଏକତା ଓ ଭାଇଚାରାର ପ୍ରସାର ସହ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ପକ୍ଷରୁ ବାଲିଗୁଡ଼ାରେ ଆୟୋଜିତ ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍ଘାଟିତ ହୋଇଛି। ବାଲିଗୁଡ଼ାସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍ ପରିସରରେ ଆୟୋଜିତ ଏହି କ୍ରୀଡ଼ା ମହୋତ୍ସବରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ଖେଳାଳି ଓ କ୍ରୀଡ଼ାପ୍ରେମୀଙ୍କ ସମାଗମ ହୋଇଛି। ବିଏସ୍ଏଫ୍ ଚଳିତ ୨୦୨୬ ବର୍ଷକୁ ହୀରକ ଜୟନ୍ତୀ ବର୍ଷ ଭାବେ ପାଳନ କରୁଥିବା ଅବସରରେ ଏହି ସ୍ୱତନ୍ତ୍ର କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ବିଏସ୍ଏଫ୍ ମୁଖ୍ୟାଳୟ ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI)ର ମିଳିତ ଉଦ୍ୟମରେ ‘ରାଷ୍ଟ୍ରରେ ଶାନ୍ତି ଓ ବିକାଶ ପାଇଁ କ୍ରୀଡ଼ା’ ଅଭିଯାନ ଅଧୀନରେ ଯୁବପିଢ଼ିଙ୍କୁ ସୁସ୍ଥ, ସକାରାତ୍ମକ ଓ ଗଠନମୂଳକ କାର୍ଯ୍ୟକଳାପରେ ସାମିଲ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ ଆୟୋଜନର ଦାୟିତ୍ୱ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ନିୟୋଜିତ ୧୩୬ ବାଟାଲିୟନ୍ ବିଏସ୍ଏଫ୍କୁ ପ୍ରଦାନ କରାଯାଇଛି l ବାଟାଲିୟନ୍ ପକ୍ଷରୁ ଜିଲ୍ଲା ପ୍ରଶାସନ କନ୍ଧମାଳର ସହଯୋଗରେ ପୁରୁଷ ଓପନ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସହ ୧୯ ବର୍ଷରୁ କମ୍ ବୟସ ବର୍ଗର ଜୁନିୟର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି। ଜିଲ୍ଲାର ୧୨ଟି ବ୍ଲକ୍ରୁ ମୋଟ ୨୪ଟି ଦଳ ଏଥିରେ ଅଂଶଗ୍ରହଣ କରୁଥିବାରୁ ପ୍ରତିଯୋଗିତାକୁ ନେଇ ଖେଳାଳିଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାଶ, ୧୩୬ ବାଟାଲିୟନ୍ ବିଏସ୍ଏଫ୍ର କମାଣ୍ଡାଣ୍ଟ ମାନସ ରଞ୍ଜନ ପଣ୍ଡା, ଦ୍ୱିତୀୟ କମାଣ୍ଡାଣ୍ଟ ସତପାଲ ସିଂ, ଡେପୁଟି କମାଣ୍ଡାଣ୍ଟ କେ.କେ. ଦାଶ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନିର୍ମଳ ଚନ୍ଦ୍ର ଦାସ ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତଥା ମେଡିକାଲ ଅଫିସର ବାଲ କରଣ କୁମାର ଉପସ୍ଥିତ ଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଯୋଗଦେଇଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ, ବାଲିଗୁଡ଼ା ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ (ଡିଏସ୍ଓ) ସମୀର କୁମାର ନାୟକ, ଏସ୍ବିଆଇ ମ୍ୟାନେଜର ଅକ୍ଷୟ କୁମାର ବେହେରା ଓ ରୁଦ୍ର ପ୍ରସନ୍ନ ନାଥ ଉପସ୍ଥିତ ରହିଥିଲେ। ଅତିଥି ମାନେ ନିଜ ବକ୍ତବ୍ୟରେ କ୍ରୀଡ଼ା କେବଳ ଶାରୀରିକ ସୁସ୍ଥତାର ମାଧ୍ୟମ ନୁହେଁ, ବରଂ ଯୁବସମାଜ ମଧ୍ୟରେ ଶୃଙ୍ଖଳା, ନେତୃତ୍ୱ, ଦଳଗତ ମନୋଭାବ ଓ ପାରସ୍ପରିକ ସହଯୋଗର ଭାବନା ସୃଷ୍ଟି କରିବାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ମତପ୍ରକାଶ କରିଥିଲେ। ବିଶେଷକରି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳରେ ରହିଥିବା ଯୁବ କ୍ରୀଡ଼ା ପ୍ରତିଭାଙ୍କୁ ଉପଯୁକ୍ତ ମଞ୍ଚ ଯୋଗାଇଦେବାରେ ଏଭଳି ପ୍ରତିଯୋଗିତା ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।କାର୍ଯ୍ୟକ୍ରମ ରେ ଉପଖଣ୍ଡ କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ଦାଶ ଖେଳ ପରିଚାଳନା ଦାୟିତ୍ୱ ତୁଲାଇଥିଲେ। ଆସନ୍ତା ୧୩ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହେବ।
