ବାଲିଗୁଡ଼ା, ୧୨/୧୧: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଦିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଉଦ୍ଦିଷ୍ଟ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଏବେ ସାରଙ୍ଗଗଡ଼ ଅଞ୍ଚଳରେ ଜନ ଅସନ୍ତୋଷର କାରଣ ପାଲଟିଛି। ବିଦ୍ୟାଳୟ ନିର୍ମାଣକୁ ନେଇ ନୁହେଁ, ବରଂ ଏହାର ସ୍ଥାନ ନିର୍ଦ୍ଧାରଣକୁ ନେଇ ଦେଖାଦେଇଛି ତୀବ୍ର ବିବାଦ। ସାରଙ୍ଗଗଡ଼ରେ ବିଦ୍ୟାଳୟ ନିର୍ମାଣ ପାଇଁ ଦାବି ଉଠୁଥିବା ବେଳେ ଏହାକୁ ନୂଆ ରାଜଘରା କୁ ସ୍ଥାନାନ୍ତର କରାଯିବା ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହାକୁ କେନ୍ଦ୍ର କରି ଆନ୍ଦୋଳନର ସ୍ୱର ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ସାରଙ୍ଗଗଡ଼ଠାରେ ଏକ ବିଶାଳ ଜନସଭା ଅନୁଷ୍ଠିତ ହୋଇଥିଲା। କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଗଡ଼ ଅଞ୍ଚଳର ୫ଟି ପଞ୍ଚାୟତର ଶତାଧିକ ଜନପ୍ରତିନିଧି, ଗ୍ରାମବାସୀ ଓ ବିଭିନ୍ନ ଆଦିବାସୀ ସଂଗଠନର କର୍ମକର୍ତ୍ତା ଏକତ୍ରିତ ହୋଇ ପ୍ରଶାସନର ନିଷ୍ପତ୍ତି ବିରୋଧରେ ନିଜର ଅସନ୍ତୋଷ ଜାହିର କରିଥିଲେ। ସମସ୍ତଙ୍କ ଗୋଟିଏ ଦାବି, ଏକଲବ୍ୟ ବିଦ୍ୟାଳୟ ସାରଙ୍ଗଗଡ଼ ମୁଖ୍ୟାଞ୍ଚଳରେ ହିଁ ନିର୍ମାଣ କରାଯାଉ। ବୈଠକରେ ଉପସ୍ଥିତ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସାରଙ୍ଗଗଡ଼ ମୁଖ୍ୟାଞ୍ଚଳରେ ବିଦ୍ୟାଳୟ ନିର୍ମାଣ ପାଇଁ ପ୍ରାୟ ୧୨ ଏକର ସରକାରୀ ଜମି ଉପଲବ୍ଧ ରହିଛି। ଏତେ ପରିମାଣର ଜମି ଥିବା ସତ୍ତ୍ୱେ ଏହାକୁ ଅଣଦେଖା କରି ନୂଆ ରାଜଘରାରେ ବିଦ୍ୟାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ କରାଯିବା ଏବଂ ସେଠାରେ ଶହ ଶହ ମୂଲ୍ୟବାନ ଗଛ କାଟି ଜମି ସଫା କରାଯିବା ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ଅସନ୍ତୋଷ ବଢ଼ିଛି। ବିକାଶ ନାମରେ ଏକ ପଟେ ବିକଳ୍ପ ସରକାରୀ ଜମିକୁ ଅଣଦେଖା କରାଯାଉଥିବା ବେଳେ ଅନ୍ୟପଟେ ଗଛ କଟାଯିବାର ଯଥାର୍ଥତା କ’ଣ ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଏହି ବିବାଦକୁ ଆହୁରି ତୀବ୍ର କରିଛି ଆସନ୍ତା ୧୫ ତାରିଖରେ ପ୍ରସ୍ତାବିତ ଶିଳାନ୍ୟାସ କାର୍ଯ୍ୟକ୍ରମ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସରକାରୀ ଗ୍ରିଭାନ୍ସର ଉତ୍ତରରୁ ଜଣାପଡ଼ିଛି ଯେ ଅଞ୍ଚଳରେ ତୀବ୍ର ବିରୋଧ ଥିବା ସତ୍ତ୍ୱେ ପ୍ରଶାସନ ସ୍ଥଳକୁ ଆସି କାର୍ଯ୍ୟକ୍ରମ କରିବା ପରିବର୍ତ୍ତେ ଅନଲାଇନ୍ ବା ଭର୍ଚୁଆଲ୍ ମାଧ୍ୟମରେ ଶିଳାନ୍ୟାସ କରିବାକୁ ପ୍ରସ୍ତୁତ ହେଉଛି। ଏହାକୁ ନେଇ ଲୋକଙ୍କ ଅସନ୍ତୋଷ ଆହୁରି ଦ୍ୱିଗୁଣିତ ହୋଇଛି। ଜନସାଧାରଣଙ୍କ ଆପତ୍ତି ଓ ଅଭିଯୋଗ ର ସମାଧାନ ନକରି ଭର୍ଚୁଆଲ୍ ଶିଳାନ୍ୟାସ କରିବା କେଉଁ ପ୍ରକାରର ଜନସମ୍ପର୍କ ବୋଲି ବୈଠକରେ ପ୍ରଶ୍ନ ଉଠିଛି।
ବୈଠକରେ ଉପସ୍ଥିତ ପ୍ରତିନିଧି ମାନେ ପ୍ରଶାସନକୁ ଚେତାବନୀ ଦେଇ କହିଛନ୍ତି ଯେ ଜନମତକୁ ଅଣଦେଖା କରି ଏକତରଫା ଭାବେ ଶିଳାନ୍ୟାସ କରାଗଲେ ଆଗାମୀ ଦିନରେ ଏହି ବିରୋଧ କେବଳ ବୈଠକ ମଧ୍ୟରେ ସୀମିତ ରହିବ ନାହିଁ। ୫ଟି ପଞ୍ଚାୟତର ଲୋକଙ୍କୁ ନେଇ ବ୍ୟାପକ ଗଣତାନ୍ତ୍ରିକ ଆନ୍ଦୋଳନ କରାଯିବା ସହ ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇବେ। ଏଥିସହ ବିଦ୍ୟାଳୟ ନିର୍ମାଣ ସାରଙ୍ଗଗଡ଼ରେ ହିଁ କରାଯିବା ନେଇ ସେମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି। ତେବେ ଏହି ପ୍ରସଙ୍ଗ ଏବେ କେବଳ ଗୋଟିଏ ବିଦ୍ୟାଳୟର ସ୍ଥାନ ଚୟନ ବିବାଦ ହୋଇ ରହିନାହିଁ; ବରଂ ଏହା ଜନମତ, ପ୍ରଶାସନିକ ସ୍ୱଚ୍ଛତା ଓ ସ୍ଥାନୀୟ ଲୋକଙ୍କ ଭାଗିଦାରୀର ପ୍ରଶ୍ନ ହୋଇ ଉଭା ହୋଇଛି। ଆଦିବାସୀ ପିଲାଙ୍କ ଉନ୍ନତ ଶିକ୍ଷା ପାଇଁ ଉଦ୍ଦିଷ୍ଟ ଏକ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଯେପରି ବିବାଦ ଭିତରେ ଅଟକି ନଯାଏ, ସେଥିପାଇଁ ପ୍ରଶାସନ ତୁରନ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବା ଜରୁରୀ। ନଚେତ୍ ଶିକ୍ଷାର ବିକାଶ ପାଇଁ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ଆନ୍ଦୋଳନର ରୂପ ନେବାର ଆଶଙ୍କା ରହିଛି।
