ବାଲିଗୁଡା, ତା, ୨୪/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏଏମସିଏସ ମହାବିଦ୍ୟାଳୟରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ନୋଡାଲ କଲେଜ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି । କନ୍ଧମାଳ ଜିଲ୍ଲାର ଟିକାବାଲି ଏ, ଏମ, ସି, ଏସ ମହାବିଦ୍ୟାଳୟକୁ ନୋଡାଲ କଲେଜ ଭାବେ ଭାରତ ସରକାର ମନୋନୀତ କରିଛନ୍ତି । ଯୁବକ ଯୁବତୀ ମାନଙ୍କୁ ଭାରତର ବିକାଶରେ ସାମିଲ କରିବା ସେମାନଙ୍କ ନିଜ ମତ ରଖିବାର ସୁଯୋଗ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୧୮ ରୁ ୨୫ ବର୍ଷର ଯୁବକ ଯୁବତୀ ମାନେ ଅନଲାଇନ୍ ରେ ଚଳିତ ମାସ ୨୬ ତାରିଖ ସୁଦ୍ଧା ଭାରତ ପୋର୍ଟାଲ୍ କୁ ଯାଇ ମାଇ ଭାରତ ୟୁଥ୍ ପାର୍ଲିଆମେଣ୍ଟ ଆପ୍ କୁ ଯାଇ ନିଜ ନାମ ପଞ୍ଜିକରଣ କରିପାରିବେ। ଜାତୀୟ ଜରୁରୀ ପରିସ୍ଥିତିରୁ ଭାରତୀୟ ଗଣତନ୍ତ୍ରରେ ମିଳିଥିବା ଶିକ୍ଷାକୁ ନେଇ ଚଳିତ ମାସ ୨୮ ତାରିଖ ଦିବା ୧୦:୩୦ ସମୟରେ ଟିକାବାଲି ଏ, ଏମ, ସି, ଏସ ମହାବିଦ୍ୟାଳୟରେ ନିଜର ଅଭିମତ ରଖିବେ । ଜିଲ୍ଲାର ୫ ଜଣ ପ୍ରତିଯୋଗୀଙ୍କୁ ବିଚାରକ ମାନେ ବିଚାର କରି ରାଜ୍ୟର ଲୋକସଭା ଭବନରେ ନିଜର ଅଭିମତ ରଖିବା ପାଇଁ ସୁଯୋଗ ଦେବେ । ଏଥିରେ ନୋଡାଲ ସଭ୍ୟ ପ୍ରୋଗ୍ରାମ ଅଫିସର୍ ଅଧ୍ୟାପକ ଜ୍ଞାନରଞ୍ଜନ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ରିଲୁ ପ୍ରଧାନ , ଅଧ୍ୟାପିକା ସନ୍ଧ୍ୟାରଣୀ କହଁର ଏବଂ ଅଙ୍କିତା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।