ବାଲିଗୁଡା, ତା, ୧୬/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ସାଇନ୍ ପଡା ଅଞ୍ଚଳରୁ ବେଆଇନ ଭାବେ ଲଗା ଯାଇଥିବା ଗଞ୍ଜେଇ ଚାଷକୁ କ.ନୂଆଗାଁ ପୋଲିସ ବିଭାଗ ଓ ଅବକାରୀ ବିଭାଗର ମିଳିତ ଭାବେ ଚଢ଼ାଉ କରି ଗଞ୍ଜେଇ ଗଛ କାଟି ନିଆଁ ଲଗାଇ ପୋଡି ନଷ୍ଟ କରି ଦେଇଥିବା ସୁଚନା ମିଳିଛି। ସମ୍ପୂର୍ଣ୍ଣ ସରକାରୀ ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ଉପରେ ରୋକ ଲଗାଇବାକୁ ପ୍ରଶାସନ ବିଭିନ୍ନ ସଚେତନତା ଅଭିଯାନ ଚଳାଇ ଥିଲେ ମଧ୍ୟ ଗଞ୍ଜେଇ ଚାଷ ଅଞ୍ଚଳରେ ବଢିବାରେ ଲାଗିଛି। ଏନେଇ ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଉକ୍ତ ସାଇନ୍ ପଡା ଜଙ୍ଗଲ ଅଞ୍ଚଳରୁ ପ୍ରାୟ ୧୨ ଏକର ଜଙ୍ଗଲ ଜମିରେ କରା ଯାଇଥିବା ଗଞ୍ଜେଇ ଚାଷ ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଗଛ ସବୁ କାଟି ପୋଡି ଦେଇଛନ୍ତି। ଏ ସକ୍ରାନ୍ତରେ କ.ନୂଆଗାଁ ଥାନାରେ ୩୨/୨୬ ରେ ଏକ ଏନଡିପିଏ ମାମଲା ରୁଜୁ କରାଯାଇଥିବା ବିଷୟ ଥାନା ଅଧିକାରୀ ଆଶୁତୋଷ ଜେନା ପ୍ରକାଶ କରିଛନ୍ତି। ଉକ୍ତ ଗଞ୍ଜେଇ ଗଛ ପୋଡ଼ି କାର୍ଯ୍ୟରେ ମାଜିଷ୍ଟ୍ରେଟ ଭାବେ କ.ନୂଆଗାଁ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନ ଯୋଗ ଦେଇଥିବା ବେଳେ ବାଲିଗୁଡ଼ା ଅବକାରୀ ବିଭାଗ ଅଧି8କାରୀ ପୂର୍ଣ୍ଣଚନ୍ଦ୍ର ବେହେରା, ପୋଲିସ ଏସଆଇ ଅଶୋକ କୁମାର ତ୍ରିପାଠୀ, ଦମୟନ୍ତୀ ବେହେରା, ଏଏସଆଇ ବାସୁଦେବ ପଣ୍ଡା ଓ ସୁରେନ୍ଦ୍ର ରାଜହଂସଙ୍କ ସମେତ ଅବକାରୀ ବିଭାଗ ଓ ଥାନାର ଅନ୍ୟ କର୍ମଚାରୀମାନେ ଗଞ୍ଜେଇ ଗଛ ପୋଡ଼ିବା କାର୍ଯ୍ୟରେ ସହଯୋଗ କରିଥିଲେ।