ବାଲିଗୁଡା, ତା, ୧୨/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ କଟିମାହା ପଞ୍ଚାୟତର ଡୁଟୁକାଗାଁ ସ୍ଥିତ ଶୁଣ୍ଢୀଗାଡ଼ା ଠାରେ ବ୍ଲକ କଂଗ୍ରେସ ପକ୍ଷରୁ ଏକ ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ନବନିଯୁକ୍ତ ଟିକାବାଲି ବ୍ଲକ କଂଗ୍ରେସ ସଭାପତି ଅନିଲ ଭୋଇ (ମଣ୍ଟୁ) ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳୀୟ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦିଆଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ କଟିମାହା ପଞ୍ଚାୟତରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଡୁଟୁକାଗାଁ ବୈଠକ ସ୍ଥଳରେ ପହଞ୍ଚିଥିଲା। ଏହି ଅବସରରେ ଉପସ୍ଥିତ ଅତିଥି ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ, “ବିଜେପି କେବଳ ଧର୍ମ ଓ ଜାତି ନାମରେ ରାଜନୀତି କରୁଛି। ଆଜି ଆମେ ଦେଖୁଥିବା ସ୍କୁଲ, କଲେଜ, ଡାକ୍ତରଖାନା ଓ ରାସ୍ତାଘାଟ ପରି ସମସ୍ତ ଭିତ୍ତିଭୂମି କଂଗ୍ରେସ ସମୟରେ ହିଁ ନିର୍ମିତ ହୋଇଛି, କିନ୍ତୁ ବିଜେପି ମିଥ୍ୟା ଅପପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରୁଛି।”କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଓ ବିଜେଡି ଦଳର ପ୍ରାୟ ୫୦ରୁ ଉର୍ଦ୍ଧ ଜଣ ସକ୍ରିୟ କର୍ମୀ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ବିଧାୟକ ଶ୍ରୀ ପ୍ରଧାନ ଓ ଅନ୍ୟ ନେତୃବୃନ୍ଦ ସେମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ। “ଭାରତ ବନ୍ଦ” ଡାକରା ସତ୍ତ୍ୱେ ଏହି କାର୍ଯ୍ୟକ୍ରମରେ ପ୍ରବଳ ଜନସମାଗମ ଦଳୀୟ ସଂଗଠନର ସଫଳତାକୁ ଦର୍ଶାଉଛି।ପୂର୍ବତନ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନିଜ ବକ୍ତବ୍ୟରେ ତୃଣମୂଳ ସ୍ତରରୁ ସଂଗଠନକୁ ମଜଭୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ କଂଗ୍ରେସର ପୁରୁଖା ନେତା ସମୀର ଭୋଇ, ମାଳି ଆଵା, ବଳରାମ ବାଙ୍କ, ଦେବରାଜ କହଁର, ପଞ୍ଚାୟତ ସଭାପତି ରାଜକୁମାର କହଁର ଓ ମହାଦେବ ଦିଗାଳ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ସମିତି ସଭ୍ୟ ତଥା ବରିଷ୍ଠ ନେତା ପଷାକ ମଳିକ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।