ବାଲିଗୁଡା, ତା, ୧୩/୦୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏସଆଇଓଏସ ଏବଂ ଏନ ଆଇ ଓ ଏସ ର ମିଳିତ ଉଦ୍ୟମ ରେ ଏକ ମେଗା ଆଡମିଶନ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାର ମୂଳସ୍ରୋତରୁ ବିଚ୍ୟୁତ ହୋଇଥିବା ପିଲାମାନଙ୍କୁ ପୁଣି ଥରେ ପାଠପଢ଼ା ସହ ଯୋଡ଼ିବା ପାଇଁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି।ଏହି ଶିବିରରେ ମୁଖ୍ୟତଃ ପାଠପଢ଼ା ଅଧାରୁ ଛାଡ଼ିଥିବା ( ଡ୍ରପ ଆଉଟ) ୬ ଜଣ ପିଲା ପୁଣି ଥରେ ଶିକ୍ଷା ଗ୍ରହଣ କରିବା ପାଇଁ ନାମ ଲେଖାଇଛନ୍ତି। ଟିକାବାଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପିଲାମାନଙ୍କୁ ଶିକ୍ଷାର ଗୁରୁତ୍ୱ ବିଷୟରେ ବୁଝାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସରକାରୀ ଉଚ୍ଚ ବିଦ୍ୟାଳୟ, ଟିକାବାଲିର ପ୍ରଧାନ ଶିକ୍ଷକ ତଥା କାର୍ଯ୍ୟକ୍ରମର ସଂଯୋଜକ କାମରାଜ କହଁର ଏହି ଆଡମିଶନ କ୍ୟାମ୍ପକୁ ପରିଚାଳନା କରିଥିଲେ। ସହ-ସଂଯୋଜିକା ସୁନୀତା କୁମାରୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନାମଲେଖା ପ୍ରକ୍ରିୟା ସମାପ୍ତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଶିକ୍ଷାରୁ ବଞ୍ଚିତ ହେଉଥିବା ପିଲାମାନଙ୍କୁ ପୁନଃ ନାମଲେଖା କରାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।