ବାଲିଆପାଳ : ବର୍ଷେ ଦୁଇ ବର୍ଷ ପୂର୍ବରୁ ବାଲିଆପାଳ ଅସୁରିକ୍ଷତ ହୋଇ ପଡିଥିଲା । ପୁଲିସ ପ୍ରତି ଅପରାଧିଙ୍କ ଭୟ ରହୁନଥିଲା । କଥା କଥାରେ ଫୁଟୁଥିଲା ଗୁଳି । ଅପରାଧ ଘଟାଇ ଅପରାଧି ମାନେ ଖୋଲା ଖୋଲି ବୁଲୁଥିଲେ । ଥାନାରେ ଅଡ୍ଡା ଜମାଉଥିଲେ । ଗତ ୨୦୧୯ ବର୍ଷରେ ବାଲିଆପାଳ ଥାନାରେ ୩୦୦ରୁ ଉଦ୍ଧ୍ୱର୍ ମାମଲା ରୁଜୁ ହୋଇଛି । ସେଥିରୁ ଦୁଇଟି ଗୁଳିକାଣ୍ଡ ଘଟଣା ଥିବା ବେଳେ ଜୀବନରୁ ମାରି ଦେବା, ବନ୍ଧୁକ ଦେଖାଇ ଧମକ ଦେବା, ସାମ୍ବାଦିକଙ୍କ ଉପରେ ମାରାଣାନ୍ତକ ଆକ୍ରମଣ କରିବା ଏପରିକି ପୁଲିସ ଉପରେ ମଧ୍ୟ ଆକ୍ରମଣ କରିବା ଭଳି ଅନେକ ସଙ୍ଗୀନ ଅପରାଧ ହୋଇଛି ।
ଏବେ କିନ୍ତୁ ବଦଳି ଯାଇଛି ଚିତ୍ର । ଆଇ.ଆଇ.ସି ବିମଳ କୁମାର ନାୟକ ଗତ ଡିସେମ୍ବର ୨୦୧୯ରେ ବାଲିଆପାଳ ଥାନାରେ ଯୋଗ ଦେବା ପରେ ତାଙ୍କର ୭ ମାସର କାର୍ଯ୍ୟକାଳ ଭିତରେ ଆଇନଶୃଙ୍ଖଳା ପରିସ୍ଥିତିରେ ଅନେକ ଉନ୍ନତି ଘଟିଛି । ବାଲିଆପାଳ – କମର୍ଦ୍ଦା ରାସ୍ତା, ବଢାପାଳ ପୋଲ ଓ କଂଟାପାଳ ବାଲିଖାଦାନ ଛକ ପାଖରେ ବାରମ୍ବାର ଗଣ୍ଡଗୋଳ, ଛିନ୍ତାଇ, ରାତିରେ ଯାଉଥିବା ଗାଡି ଓ ସାଧାରଣ ଲୋକଙ୍କୁ ଧମକ ଚମକ ଦେଖାଇ ଦାଦାବଟି ଆଦାୟ କରୁଥିବା ଅସମାଜିକ ଲୋକଙ୍କ ଉପରେ ପୁଲିସର ଚଢାଉ ଓ ଅନେକଙ୍କୁ ଗିରଫ କରି ଜେଲ ପଠାଇବା ପରେ ସେହି ରାସ୍ତା ଓ ଛକ ଏବେ ବିପଦ ଶୂନ୍ୟ ହୋଇଛି । ଲୋକେ ରାତିରେ ସୁରକ୍ଷିତ ଭାବେ ଯାତାୟତ କରିପାରୁଛନ୍ତି । ପୂର୍ବରୁ ବାଲିଆପାଳ ଥାନାରେ କାର୍ଯ୍ୟରତ ଅନେକ ପୁଲିସ ନିଜ କର୍ତ୍ତବ୍ୟକୁ ଭୁଲି ଅପରାଧୀ ମାନଙ୍କୁ ଖସାଇବାରେ ସହଯୋଗ କରିବାର ନଜିର ଅଛି । ଅନେକ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସୁରକ୍ଷା କବଚ ସାଜି ସାଧାରଣ ଲୋକଙ୍କୁ ନ୍ୟାୟରୁ ବଂଚିତ କରିଥିବାର ଦୃଷ୍ଟାନ୍ତ ମଧ୍ୟ ରହିଛି । ବର୍ତ୍ତମାନର ଅଇ.ଆଇ.ସି ଶ୍ରୀ ନାୟକଙ୍କ କ୍ଷେତ୍ରରେ କିନ୍ତୁ ତାହା ଦେଖିବାକୁ ମିଳୁନାହିଁ ।
ଅନେକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବା ପରେ ସେମାନଙ୍କୁ ଥାନାରୁ ଛାଡିବା ପାଇଁ ତାଙ୍କ ଉପରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ଚାପ ପକାଇଛନ୍ତି । କିନ୍ତୁ କାହାରି ଚାପରେ ସେ ପ୍ରଭାବିତ ହୋଇନାହାନ୍ତି । ଥାନାକୁ ଆସୁଥିବା ଅନେକ ଛୋଟ ବଡ ମାମଲା ଯଥା ଘରୋଇ କଳି, ସ୍ୱାମୀ-ସ୍ତ୍ରୀ ଝଗଡା, ଜମି-ବାଡି ,ଗଣ୍ଡଗୋଳ, ଯୌତୁକ ପାଇଁ ପତ୍ନୀଙ୍କୁ ନିର୍ଯ୍ୟାତନା, ପ୍ରେମ ବିବାହରେ ପରିବାରର ଅସନ୍ତୋଷ ପ୍ରଭୃତି ଘଟଣାରେ ଆଇ.ଆଇ.ସି ନିଜେ ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରି ଥାନା ଭିତରେ ଏସବୁର ସମାଧାନ କରାଉଛନ୍ତି । ଫଳରେ ଅପରାଧ କମିଥିବା ବେଳେ ଅଭିଯୋଗକାରୀ ମାନେ ଥାନାରୁ ଠିକ ଭାବେ ନ୍ୟାୟ ପାଇ ପାରୁଛନ୍ତି । ପୂର୍ବରୁ ଅନେକ ଦଲାଲ ନିଜକୁ ସମାଜସେବୀ ବୋଲାଇ ସବୁବେଳେ ଥାନାରେ ବସା ଉଠା କରୁଥିଲେ ।
ପୁଲିସ ସହିତ ସର୍ମ୍ପକ ରଖି ଅନେକ ମାମଲାରେ ହସ୍ତକ୍ଷେପ କରୁଥିଲେ । ଅପରାଧିଙ୍କ ଠାରୁ ହଜାର ହଜାର ଟଙ୍କା ଆଦାୟ କରି ପୁଲିସକୁ ସେହି ଟଙ୍କାରେ ସନ୍ତୁଷ୍ଟ କରିବା ସହ ନିଜେ ମାଲାମାଲ ହେଉଥିଲେ । ଏପରିକି ବହୁ ସମୟରେ କିଛି କ୍ଷମତା ସମ୍ପନ୍ନ ରାଜନେତାଙ୍କ ଦ୍ୱାରା ଫୋନ କରାଇ ପୁଲିସ ଆଗରେ ନିଜର ପାତିଆରା ବଢାଇ କାର୍ଯ୍ୟହାସଲ କରିବାରେ ସଫଳ ହେଉଥିଲେ । ପୁଲିସ ମଧ୍ୟ ସେମାନଙ୍କ ଅସଲ ଚେହାର ପ୍ରତି ଦୃଷ୍ଟି ନଦେଇ ଆଝିବୁଜା ସମର୍ଥନ ଦେବା ଯୋଗୁଁ ବାଲିଆପାଳରେ ଅତ୍ୟଧିକ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିଲା । ଏବେର ଆଇ.ଆଇ.ସିଙ୍କ ସମୟରେ ସେହି ଦଲାଲ ମାନେ ଥାନା ପିଣ୍ଡା ମାଡୁନଥିବା ଦେଖିବାକୁ ମିଳୁଛି । ଏତେଲା ଦେବାକୁ ଯେ କେହି ଥାନାକୁ ଆସିଲେ ସିଧାସଳଖ ଆଇ.ଆଇ.ସିଙ୍କୁ ଭେଟି ପାରୁଛି ଏବଂ ନିଜର ଦୁଃଖ ଜଣାଇ ନ୍ୟାୟ ପାଇ ପାରୁଛି । ଆଇ.ଆଇ.ସି ଶ୍ରୀ ନାୟକଙ୍କ ୭ ମାସ କାର୍ଯ୍ୟକାଳ ମଧ୍ୟରେ ଅନେକ ବଡ ବଡ ଘଟଣାର ପର୍ଦ୍ଦାଫାଶ ହୋଇଛି । ରେମୁ ଗ୍ରାମରେ ଅପହୃତା ନାବାଳିକାକୁ ସୁଦୂରୁ କଲିକତାରୁ ଉଦ୍ଧାର କରିବା ସହ ଅପହୃତାକୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛନ୍ତି । ଚୈାମୁଖରେ ପାନ ବରଜ ଭିତରେ ମହିଳାଙ୍କୁ ରେପ୍ ଏବଂ ମର୍ଡର ଘଟଣାରେ ଅପରାଧୀ ଖସିଯିବା ପୂର୍ବରୁ ତାକୁ ଗିରଫ କରି ଜେଲକୁ ପଠାଇଛନ୍ତି ।
ବାଲିଆପାଳରେ ଆତଙ୍କ ସୃଷ୍ଟି କରୁଥିବା ଅସାମାଜିକ ଯୁବକ ମାନଙ୍କୁ ଦମନ କରିବାରେ ଆଇ.ଆଇ.ସିଙ୍କ ପଦକ୍ଷେପକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଛ । କରୋନା ଲକଡାଉନ ସମୟରେ ବାଲିଆପାଳରେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ତାଙ୍କର କାର୍ଯ୍ୟକଳାପ ଲୋକଙ୍କୁ ସନ୍ତୁଷ୍ଟ କରିପାରିଛି । ଅନ୍ୟପକ୍ଷରେ ନିଜ କାର୍ଯ୍ୟହାସଲ ହେଉନଥିବା ଅନେକ ସ୍ୱାର୍ଥନ୍ୱେଷୀ ବ୍ୟକ୍ତି କୁସôା ରଚନା କରିବା ଆରମ୍ଭ କରିଛନ୍ତି । ଆଇ.ଆଇ.ସି ଶ୍ରୀ ନାୟକଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଥିଲେ ଯେ ସାଧାରଣ ଲୋକଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବା ପୁଲିସର ଦାୟିତ୍ୱ ଓ କର୍ତ୍ତବ୍ୟ । ଏହି କାର୍ଯ୍ୟ ସେ ସୁଚାରୁ ରୂପେ ତୁଲାଇ ପାରୁଥିବାରୁ ସେ ସନ୍ତୁଷ୍ଟ । କାହାରି କୁସôା ରଚନା କିମ୍ବା ଚାପରେ ସେ ବିଚଳିତ ନୁହନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।
