ବାଲେଶ୍ୱର : ବାଲେଶ୍ୱର ସରକାରୀ ମେଡିକାଲ୍ କଲେଜ୍ ହସ୍ପିଟାଲ୍କୁ ଆସୁଥିବା ରୋଗୀମାନେ ଆବଶ୍ୟକ ଚିକିତ୍ସା ନପାଇ ମୃତୁ୍ୟବରଣ କରୁଥିବା ଅଭିଯୋଗ ପରେ ସୋମବାର ଅପରାହ୍ନରେ କି୍ରୟାନୁଷ୍ଠାନ କମିଟିର ଏକ ସ୍ୱତନ୍ତ୍ର ବୈଠକ ନିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗତ ସପ୍ତାହରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଦୁଲାଲ୍ ଚାନ୍ଦ୍, ଅଧ୍ୟକ୍ଷ ପର୍ଶୁରାମ ଜେନା, ଅଧ୍ୟାପକ ଶଶିକାନ୍ତ ଜେନାଙ୍କ ଭଳି ବହୁ ଲୋକ ମୃତୁ୍ୟବରଣ କରିଥିବାରୁ ଉଦ୍ବେଗ ପ୍ରକାଶ ପାଇଥିଲା । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ଅବହେଳାରୁ ଏଭଳି ଘଟଣା ଘଟୁଥିବା ବିଷୟରେ ଏବଂ ପ୍ଲାଜ୍ମା ଥେରାପିରେ ଗୁରୁତର ରୋଗୀମାନେ ସୁସ୍ଥ ହେଉଥିବା ସମ୍ବାଦ ସରକାରୀ ଭାବେ ଦର୍ଶାଯାଉଥିବା ବେଳେ ବାଲେଶ୍ୱରରେ ତାହା ସଫଳ ହେଉନାହିଁ ବୋଲି କେତେକ ସଦସ୍ୟ ଅଭିଯୋଗ ଆଗତ କରିଥିଲେ ।
ଗତ ଶନିବାର ଦିନ ଦୁଲାଲ ଚାନ୍ଦଙ୍କ ମୃତୁ୍ୟ ଏହି ଅବହେଳାରୁ ଘଟିଥିବା ସମ୍ପର୍କରେ ତାଙ୍କର ପଡ଼ୋଶୀ ବୈଠକରେ ଉପସ୍ଥିତ ହୋଇ ବିଶଦ ବିବରଣୀ ଉପସ୍ଥାପିତ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ସମସ୍ତ କଟକଣାକୁ ବାଲେଶ୍ୱର ଜିଲ୍ଲାପାଳ ଜିଲ୍ଲାବାସୀଙ୍କ ପାଇଁ କଡ଼ାକଡ଼ି ଲାଗୁ କରିଥିଲେ ମଧ୍ୟ ସ୍ୱାସ୍ଥ୍ୟବିଭାଗ ତଥା ଜିଲ୍ଲା ପ୍ରଶାସନର ବହୁ ସରକାରୀ ଅଧିକାରୀ ଓ କର୍ମଚାରୀ କରୋନା ଭୂତାଣୁ ସଂକ୍ରମଣରେ ସଂକ୍ରମିତ ହୋଇଥିବା ଘଟଣା ଜିଲ୍ଲାବାସୀଙ୍କୁ ବିସ୍ମିତ କରିଛି । କରୋନା ସହ ସମ୍ମୁଖ ଯୁଦ୍ଧରେ ଛାମୁଆ ବାହିନୀ କୁହାଯାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଜଣେ ସାଧାରଣ ରୋଗୀ କରୋନା ସଂକ୍ରମିତ ଜାଣିବା ପରେ ସେମାନେ ସଂପୃକ୍ତ ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ କରୁନଥିବା ଅମାନବୀୟ କାର୍ଯ୍ୟ ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଛି । ସେହିପରି ବାଲେଶ୍ୱରରେ ପ୍ଲାଜ୍ମା ବ୍ୟାଙ୍କ୍ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ରକ୍ତ ପୃଥକୀକରଣ କେନ୍ଦ୍ର ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ ।
ଆବଶ୍ୟକୀୟ ଯନ୍ତ୍ରାଂଶ ଦୀର୍ଘଦିନ ଧରି ବାଲେଶ୍ୱରରେ ପହଞ୍ଚôଥିଲେ ମଧ୍ୟ ବିଶେଷଜ୍ଞ ଡାକ୍ତର ଓ ଟେକ୍ନିସିଆନ୍ ନିଯୁକ୍ତି କରାଯାଉନଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ । ବାଲେଶ୍ୱର ହସ୍ପିଟାଲ୍ ପରିସରରେ ଥିବା ଜନୌଷଧି କେନ୍ଦ୍ରକୁ ଇଚ୍ଛାକୃତ ଭାବେ ବନ୍ଦ କରିଦେବା ଦ୍ୱାରା ରୋଗୀମାନେ ଅଧିକ ଦାମ୍ରେ ବିଭିନ୍ନ କମ୍ପାନୀର ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି । ଲଗାତାର ଭାବେ ସ୍ୱାସ୍ଥ୍ୟ ସଂପର୍କିତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଥିବାରୁ ତହିଁର ସୁଧାର ଆଣିବା ପାଇଁ ଚଳିତ ଅଗଷ୍ଟ ୨୭ ତାରିଖ ଗୁରୁବାରଦିନ ୧୦ଟାରେ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଜିଲ୍ଲା କି୍ରୟାନୁଷ୍ଠାନ କମିଟି, ବିଭିନ୍ନ ସାମାଜିକ ଗଣସଂଗଠନ ତଥା ବୁଦ୍ଧିଜୀବୀମାନେ ପ୍ରତୀକ ଆନେ୍ଦାଳନରେ ସାମିଲ ହେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ଏହି ବୈଠକରେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ସୀତାରାମ ପ୍ରଧାନ, ଜିଲ୍ଲା କମିଟିର ନିରଞ୍ଜନ ପରିଡ଼ା, ପ୍ରସନ୍ନ ପାଢ଼ୀ, ସରସ୍ୱତୀ ପଣ୍ଡା, ଜ୍ୟୋତ୍ସ୍ନା ପାଣି, ଯୋଗେଶ ପ୍ରଧାନ, ଶ୍ରଦ୍ଧାଞ୍ଜଳି ରାୟ, ଅର୍ଚ୍ଚନା ନନ୍ଦୀ, ଗୌରାଙ୍ଗ ପାଣିଗ୍ରାହୀ, ପ୍ରଭାକର ସାହୁ, ଶ୍ୟାମସୁନ୍ଦର ଜେନା, ପ୍ରଭାକର ବେହେରା, ନବକୃଷ୍ଣ ପୋଥାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଇନ୍ତେକାମ୍ ଅଲ୍ଲୀ ଖାଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ