Odisha news

ମମତା କୁଣ୍ଡୁକୁ କଂଗ୍ରେସ କାର୍ଯ୍ୟାଳୟରେ ଉଚ୍ଛସିତ ସମ୍ବର୍ଦ୍ଧନା ଜୀବନ ଥିବା ପର୍ଯ୍ୟନ୍ତ ବାଲେଶ୍ୱରର ବିକାଶ ପାଇଁ କରିବି କାମ

0

ବାଲେଶ୍ୱର : ମମତା କୁଣ୍ଡୁ ବାଲେଶ୍ୱରର ସଦର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ବୁଧବାର ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଉଚ୍ଛସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବାଲେଶ୍ୱର ପୌରପାଳିକା ଓ ପଂଚାୟତ ଗୁଡିକରୁ ଆସିଥିବା ନେତାମାନଙ୍କ ସମେତ ଛାତ୍ରକଂଗ୍ରେସ, ଯୁବକଂଗ୍ରେସ, ମହିଳା କଂଗ୍ରେସ, କିସାନ କଂଗ୍ରେସ ଭଳି ଛାମୁଆଁ ସଂଗଠନଗୁଡିକର ନେତାମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଉଚ୍ଛସିତ ସମ୍ବଦ୍ଧର୍ନା କରିଥିଲେ । ମମତାଙ୍କ ପ୍ରାର୍ଥୀତ୍ୱକୁ ସ୍ୱାଗତ କରିବା ଅବସରରେ ନିଜର ବକ୍ତବ୍ୟ ରଖି କଂଗ୍ରେସର ସାଂସଦ ପ୍ରାର୍ଥୀ ନବଜ୍ୟୋତ ପଟ୍ଟନାୟକ କହିଥିଲେ କି, ମମତା ଜଣେ ଉଚ୍ଚଶିକ୍ଷିତା ଏବଂ ସମାଜସେବାରେ ନିୟୋଜିତ ମହିଳା ଅଟନ୍ତି ।

ଏଭଳି ମହିଳାଙ୍କୁ କଂଗ୍ରେସ ପ୍ରାର୍ଥୀଭାବେ ଚୟନ କରିଥିବାରୁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଧ୍ୟନବାଦ ଦେବା ସହ ବାଲେଶ୍ୱରବାସୀ ତାଙ୍କୁ ଆର୍ଶିବାଦ କରିବାକୁ ନିବେଦନ କରିଥିଲେ । ପିସିସି ମୁଖପାତ୍ର ସୁଦର୍ଶନ ଦାସ ତାଙ୍କ ବ୍ୟକ୍ତବ୍ୟରେ ବାଲେଶ୍ୱର ବିକାଶ ଓ ପ୍ରଗତି କ୍ଷେତ୍ରରେ କଂଗ୍ରେସ ଦଳର ଅବଦାନ ତୁଳନାରେ ବିଜେଡ଼ି ଓ ଭାଜପାର କୌଣସି ଅବଦାନ ନାହିଁ ବୋଲି ସିଧାସଳଖ ଆରୋପ କରିଥିଲେ । ବାଲେଶ୍ୱର ବିକାଶ ପରିପ୍ରେକ୍ଷୀରେ ଅନ୍ୟ ଦଳ ତୁଳନାରେ କଂଗ୍ରେସ ଯେମିତି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛି, ଦଳାର ପ୍ରାର୍ଥୀ ମଧ୍ୟ ଅନ୍ୟ ପ୍ରାର୍ଥୀଙ୍କ ତୁଳନାରେ ଅଧିକ ଯୋଗ୍ୟ ବୋଲି କହିଥିଲେ । ଶିକ୍ଷିତ ଏବଂ ସ୍ୱାଭିମାନି ବାଲେଶ୍ୱର ବାସୀ ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ପ୍ରଥମ ଥର ପାଇଁ ବିଧାନସଭାକୁ ପଠାଇବାର ସୁଯୋଗକୁ ହାତଛଡ଼ା କରିବେ ନାହିଁ ବୋଲି ଆଶା ବ୍ୟକ୍ତ କରିଥିଲେ ।

ନଗର କଂଗ୍ରେସ କମିଟି ସଭାପତି ପଦ୍ମଲୋଚନ ଲେଙ୍କା ମହିଳା କଂଗ୍ରେସ ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ , ଜିଲ୍ଲା ମହିଳା କଂଗ୍ରେସ ଅଧ୍ୟକ୍ଷା ପ୍ରଜ୍ଞାପାରମିତା ମହାନ୍ତି, ବସ୍ତା ନିର୍ବାଚନ ମଣ୍ଡଳୀର ନେତା ବିଜନ ନାୟକ ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରି ପ୍ରଥମ ଥର ପାଇଁ ଦଳରୁ ଏହି ଆସନରେ ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଭୋଟରମାନେ ତାଙ୍କୁ ସ୍ୱାଗତ କରିବା ଆବଶ୍ୟକ ବୋଲି କହିଥିଲେ । କଂଗ୍ରେସ ଦଳ ନାରୀ ସ୍ୱାଧୀନତା ସେମାନଙ୍କ ପ୍ରଗତି ଓ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଉଛି ବୋଲି ଏହି ପ୍ରାର୍ଥୀ ଚୟନରୁ ସ୍ପଷ୍ଟ ହୋଇ ଯାଇଛି ବୋଲି ବକ୍ତାମାନେ କହିଥିଲେ ।

ଭୋଗରାଇ କଂଗ୍ରେସ ନେତା ସତ୍ୟଶିବ ଦାସ ଅଧ୍ୟକ୍ଷତା କରି ଶ୍ରୀମତୀ କୁଣ୍ଡୁ ବାଲେଶ୍ୱର ପାଇଁ ଜଣେ ଯୋଗ୍ୟତମ ପ୍ରାର୍ଥୀ ଭାବରେ ବାଲେଶ୍ୱରବାସୀଙ୍କ ସାହାଯ୍ୟ ବା ସହଯୋଗ ଓ ଆର୍ଶିବାଦ ଦେବାକୁ ନିବେଦନ କରିଥିଲେ । ସମ୍ବର୍ଦ୍ଧନା ପ୍ରତୁ୍ୟତ୍ତରରେ ଶ୍ରୀମତୀ କୁଣ୍ଡୁ ଭାବ ବିହ୍ୱଳ ହୋଇ ପଡିଥିଲେ । ତେଣୁ ତାଙ୍କୁ ଉପନିର୍ବାଚନରେ ଦଳ ପ୍ରାର୍ଥୀ କରିଥିବାରୁ ଦଳ ପ୍ରତି ଗଭୀର କୃତଜ୍ଞତା ଜଣାଇଥିଲେ । ବାଲେଶ୍ୱରର ବିଭିନ୍ନ ସମସ୍ୟା ବିରୋଧରେ ସଂଗ୍ରାମ କରିବା ସହିତ ଏକ ବିକଶିତ ଓ ସ୍ୱାଭୀମାନି ବାଲେଶ୍ୱର ବଢ଼ିବା ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ସେ ପ୍ରୟାସ ଜାରି ରଖି ବୋଲି ପ୍ରତିଶ୍ରୁତି ଦେଇଥିଲେ । ବାଲେଶ୍ୱର ମାଟିର ଝିଅ ହିସାବରେ ବାଲେଶ୍ୱରର ଶିକ୍ଷିତ ଓ ସଚେତନ ନାଗରିକମାନେ ତାଙ୍କୁ ହାତ ଚିହ୍ନରେ ଭୋଟ୍ ଦେଇ ଜୟଯୁକ୍ତ କରିବା ପାଇଁ ସେ ନିବେଦନ କରିଥିଲେ । ସମ୍ବର୍ଦ୍ଧନାସଭା ଶେଷରେ ଯୁବକଂଗ୍ରେସ ସଭାପତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଶ୍ରୀମତୀ କୁଣ୍ଡୁ ଦଳୀୟ କର୍ମୀମାନଙ୍କ ଗହଣରେ କଂଗ୍ରେସ ଭବନ ନିକଟବର୍ତ୍ତୀ ୨୬ ନଂ ୱାର୍ଡର ବଉଳପୋଖରୀ ବସ୍ତିରେ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

Leave A Reply