ବାଲେଶ୍ୱର : ଆସନ୍ତା ଅଗଷ୍ଟ ୯ ତାରିଖଦିନ ଦେଶ ବଞ୍ଚାଅ ଆହ୍ୱାନରେ ଟ୍ରେଡ-ୟୁନିୟନ୍ ଆସୋସିଏସନ୍ କୋଡ଼ିନେସନ୍ କମିଟି (ଟିୟୁଏସିସି) ନେତୃତ୍ୱରେ ଶ୍ରମିକ କର୍ମଚାରୀମାନେ ଆଇନ ଅମାନ୍ୟ ଆନେ୍ଦାଳନରେ ଯୋଗଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଜାତୀୟ ସ୍ତରର ସମସ୍ତ ସ୍ୱାଧୀନ ଫେଡେରେସନ୍ମାନଙ୍କ ମିଳିତ ମଞ୍ଚ ତରଫରୁ ଉକ୍ତଦିନ ଦେଶବ୍ୟାପୀ ଆଇନ ଅମାନ୍ୟ ଆନେ୍ଦାଳନ ପାଇଁ ଆହ୍ୱାନ ଦିଆଯାଇଛି । ସୋମବାରଦିନ ଅପରାହ୍ନରେ ପଢ଼ୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନ ସଭାଗୃହରେ ବାଲେଶ୍ୱରର ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଫେଡେରେସନ୍ମାନଙ୍କ ପ୍ରତିନିଧିମାନଙ୍କର ବୈଠକରେ ଟି.ୟୁ.ଏ.ସି.ସି.ର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଅଧ୍ୟକ୍ଷତା କରିଥିଲେ ।
ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ବୈଠକର ଉଦେ୍ଦଶ୍ୟ ସଂପର୍କରେ ଅବଗତ କରାଇ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ମିଳିତ ମଞ୍ଚର ଆହ୍ୱାନ ସଂପର୍କରେ ଉପସ୍ଥିତମାନଙ୍କୁ ଅବଗତ କରାଇଥିଲେ । ବର୍ତ୍ତମାନର କେନ୍ଦ୍ର ସରକାର ପ୍ରଚଳିତ ଶ୍ରମଆଇନଗୁଡ଼ିକୁ ପୁଞ୍ଜିପତି ମାଲିକମାନଙ୍କ ସପକ୍ଷରେ ସଂଶୋଧନ କରିବା, ପେଟ୍ରୋଲ୍, ଡିଜେଲ୍ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି, ବେକାରମାନଙ୍କୁ ନିଯୁକ୍ତି କିମ୍ବା କର୍ମସଂସ୍ଥାନ ଯୋଗାଇବାରେ ଅପାରଗତା, କରୋନା ମହାମାରୀ ସମୟରେ ଦେଶବାସୀଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷା ଦେବାରେ ଚରମ ବିଫଳତା ବିରୋଧରେ ଦେଶବ୍ୟାପୀ ଜେଲଭରୋ ଆନେ୍ଦାଳନ ପାଇଁ ଆହ୍ୱାନ ଦିଆଯାଇଥିବା ସଂପର୍କରେ ସେ କହିଥିଲେ ।
ଦୀର୍ଘ ଆଲୋଚନା ପରେ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ଜାତୀୟ ଆହ୍ୱାନକୁ ବାଲେଶ୍ୱରରେ ସଫଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୯ ତାରିଖ ରବିବାର ଦିନ ୯ଟାବେଳେ ନେସ୍କୋ ମୁଖ୍ୟ କାର୍ଯ୍ୟାଳୟ (ରେମୁଣା ଗୋଲାଇ) ସମ୍ମୁଖ ୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉକ୍ତ ଆନେ୍ଦାଳନ କାର୍ଯ୍ୟକ୍ରମର ଶେଷ ପ୍ରସ୍ତୁତି ବୈଠକ ଆସନ୍ତା ୬ ତାରିଖ ଗୁରୁବାର ଦିନ ଅପରାହ୍ନରେ ଅନୁଷ୍ଠିତ ହେବ ।ଉକ୍ତ ପ୍ରସ୍ତୁତି ବୈଠକରେ ବିଭିନ୍ନ ଶ୍ରମିକ ସଂଗଠନ ତରଫରୁ ଭାଗବତ ପ୍ରତିହାରୀ, ରାଜକିଶୋର ଲେଙ୍କା, ସାନ୍ତନୁ ଦାସ, ବିକାଶ ଦାସ, ସର୍ବେଶ୍ୱର ମିଶ୍ର, ବିଜୟ ପାତ୍ର, ବନ୍ଦନା ବିଶ୍ୱାସ, ଶ୍ୟାମସୁନ୍ଦର ଜେନା, ସନ୍ତୋଷ ରଣା, ବିମଳ ମହାନ୍ତି, ଅରୁଣ ଜେନା, ଲକ୍ଷ୍ମୀଧର ମିଶ୍ର, ଯତୀନ ପାତ୍ର, ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ନିରଞ୍ଜନ ପରିଡ଼ା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଳେ । ଶରତ ଚନ୍ଦ୍ର ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ