ବାଲେଶ୍ୱର : ଆଜି ଅପରାହ୍ନ ପ୍ରାୟ ଘ.୧.୨୮ ମିନିଟ୍ ସମୟରେ ଚାନ୍ଦିପୁର ନିକଟସ୍ଥ ଆଟିଆର୍ ପରିସରରେ ଥିବା ଏଲ୍ସି-୩ ଉତ୍କ୍ଷେପଣ କେନ୍ଦ୍ରରୁ ଭୂ-ପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ ହେଉଥିବା ସ୍ୱଳ୍ପ ଦୂରଗାମୀ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ସଟ୍ ରେଞ୍ଜ ସର୍ଫେସ ଟୁ ଏୟାର ମିଜାଇଲ (ଭିଏଲ୍-ଏସ୍ଆର୍ଏସ୍ଏଏମ୍)ର ସଫଳ ପରୀକ୍ଷଣ ଅନୁଷ୍ଠିତ ହୋଇଯାଇଛି । ପ୍ରତୀରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆର୍ଡିଓ)ପକ୍ଷରୁ ଏହି କ୍ଷେପଣାସ୍ତ୍ରକୁ ବିକଶିତ କରାଯାଇଛି । ଭୂ-ପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ ହେଉଥିବା ଏହି କ୍ଷେପଣାସ୍ତ୍ରଟି ୪୦ କି.ମି. ଉଚ୍ଚତାରେ ଥିବା ଶତୁ୍ରପକ୍ଷର ଯେକୌଣସି ଯୁଦ୍ଧ ବିମାନକୁ ଅପଲକେ ଧ୍ୱଂସ କରିବାର କ୍ଷେମତା ରଖିଛି ।
ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଏହି ଭିଏଲ୍-ଏସ୍ଆର୍ଏସ୍ଏଏମ୍ କ୍ଷେପଣାସ୍ତ୍ରଟି ନିର୍ମାଣ କରାଯାଇଥିବା ବେଳେ ଏହାର ଲମ୍ବ ୩ମିଟର ଏବଂ ମୋଟେଇ ୭୮ ମିଲିମିଟର ଅଟେ । ଆଜିର ଏହି ପରୀକ୍ଷଣ ସମୟରେ ଉତ୍କ୍ଷେପଣ କେନ୍ଦ୍ର – ୩ ର ୨.୫ କି.ମି. ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୮ହଜାର ସ୍ଥାନୀୟ ଲୋକଙ୍କୁ ଅସ୍ଥାୟୀ ଭାବରେ ସ୍ଥାନାନ୍ତରିତ କରାଯାଇ ବିଭିନ୍ନ ଶିବିରରେ ରଖାଯାଇଥିଲା । ଏହି କ୍ଷେପଣାସ୍ତ୍ରଟିକୁ ବାରମ୍ବାର ପରୀକ୍ଷା ନିରୀକ୍ଷା କରାଯାଇ ପରବର୍ତ୍ତୀ ସମୟରେ ଜଳବାହିନୀକୁ ହସ୍ତାନ୍ତର କରାଯିବ । ତେବେ ଏହି ଶକ୍ତିଶାଳୀ କ୍ଷୁଦ୍ର କ୍ଷେପଣାସ୍ତ୍ରଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏହାଦ୍ୱାରା ସେନାବାହିନୀର ଶକ୍ତି ବୃଦ୍ଧି ପାଇଛି ବୋଲି କୁହାଯାଇଛି । ଆଜିର ଏହି ପରୀକ୍ଷଣ ସମୟରେ ଡିଆର୍ଡିଓ ଏବଂ ପ୍ରତିରକ୍ଷା ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ