ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବିଜେଡ଼ିର ବରିଷ୍ଠ ନେତା ତଥା ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତିନିତିନି ଥର ବିଧାୟକ ହୋଇଥିବା ପ୍ରାକ୍ତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ରାଜ୍ୟ ବିଜେଡ଼ି ସୁପି୍ରମୋ ନବୀନ ପଟ୍ଟନାୟକ ଦଳରୁ ନିଲମ୍ବନ କରିଛନ୍ତି । ଏବାବଦରେ ଦଳର ସାଧାରଣ ସମ୍ପାଦକ (ମିଡ଼ିଆ) ମାନସ ରଂଜନ ମଙ୍ଗରାଜଙ୍କ ଦସ୍ତଖତ ସମ୍ବଳିତ ଏକ ଚିଠି ଆମର ହସ୍ତଗତ ହୋଇଛି । ଉକ୍ତ ଚିଠିରେ ଗତ ୩ତାରିଖରେ ଅନୁଷ୍ଠିତ ହୋଇଥିବା ବାଲେଶ୍ୱର ସଦର ଉପନିର୍ବାଚନ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିବା ଯୋଗୁଁ ଶ୍ରୀ ଦାଶଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ସୂଚନା ଦିଆଯାଇଛି ।
ଏ ବାବଦରେ ଶ୍ରୀ ଦାଶ ତାଙ୍କ ପ୍ରତିକି୍ରୟାରେ କହିଛନ୍ତି ଯେ ନିଲମ୍ବନ ସମ୍ପର୍କରେ କୌଣସି ଚିଠି ତାଙ୍କର ହସ୍ତଗତ ହୋଇନାହିଁ । ସେ କୌଣସି ଦଳ ବିରୋଧି କାର୍ଯ୍ୟ କରିନାହାଁନ୍ତି । ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚାଯାଇଛି ବୋଲି ସେ କହିବା ସଂଗେ ସଂଗେ ଅନ୍ୟ କୌଣସି ଦଳରେ ଯୋଗଦେବାର କୌଣସି ଯୋଜନା ନାହିଁ ବୋଲି ଶ୍ରୀ ଦାଶ କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ବିଗତ ଉପନିର୍ବାଚନରେ ଶ୍ରୀ ଦାଶଙ୍କ ଇଙ୍ଗିତରେ ତାଙ୍କ ସମର୍ଥକମାନେ କୁଆଡ଼େ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିଲେ ବୋଲି ଶୁଣିବାକୁ ମିଳୁଥିଲା । ତେବେ ସେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରୁ ଥରେ ବିଜେପି ଏବଂ ୨ଥର ବିଜେଡ଼ିର ପ୍ରାର୍ଥୀଭାବରେ ନିର୍ବାଚିତ ହୋଇଥିଲେ । ଜୀବନ ପ୍ରଦୀପଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି