ବାଲେଶ୍ୱର : ୨୦୧୩-୧୪ ମସିହାରେ କଂଗ୍ରେସ ସରକାରଙ୍କ ସମୟରେ ବାଲେଶ୍ୱରରେ ଏମ୍ସର ସାଟେଲାଇଟ୍ ସେଣ୍ଟର କରାଯିବା ପାଇଁ ନିଷ୍ପତ୍ତି ନିଆଯିବା ସହିତ ସେଥିପାଇଁ ୪୫୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ଏହି ସେଣ୍ଟରରେ ୩୫୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିୟାଲିଟ୍ ହସ୍ପିଟାଲ, ପବ୍ଲିକ୍ ହେଲ୍ଥ ସ୍କୁଲ ଓ ଏକ ବିଶ୍ୱସ୍ଥରୀୟ ନିର୍ସିଂ ସ୍କୁଲ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖାଯାଇଥିଲା । ବାଲେଶ୍ୱର ବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା,ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗବେଷଣା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ପ୍ରକଳ୍ପ ସ୍ୱାସ୍ଥ୍ୟର ବିକାଶ କ୍ଷେତ୍ରରେ ଏକ ମାଇଲ୍ ଖୁଣ୍ଟ କହିଲେ ଅତୁ୍ୟକ୍ତି ହେବନାହିଁ ।
ମାତ୍ର ପରିତାପର ବିଷୟ ଏନ୍ଡ଼ିଏ କ୍ଷେମତାକୁ ଆସିଲାପରେ ଏହି ପ୍ରକଳ୍ପ ଶୀତଳ ଭଣ୍ଡାରରେ ପଡ଼ିରହିଛି । ୨୦୧୬ ମସିହାରେ କେନ୍ଦ୍ରର ତକ୍ରାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ବାତିଲ କରି ଦେଇ ଭୁବନେଶ୍ୱରରେ ପ୍ରତିଷ୍ଠା କରିବା ନିମନ୍ତେ ଚକ୍ରାନ୍ତ କରିଥିଲେ । ମାତ୍ର ବାଲେଶ୍ୱର ବାସୀଙ୍କର ପ୍ରବଳ ପ୍ରତିବାଦ ଯୋଗୁଁ କେନ୍ଦ୍ର ସରକାର ଏହାକୁ ବାଲେଶ୍ୱରରେ ପ୍ରତିଷ୍ଠା ପାଇଁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ବାଲିଆ ନିକଟରେ ନିର୍ଦ୍ଧିଷ୍ଟ ଜମିରେ ୧କୋଟି ୬୦ ଲକ୍ଷ ଟଙ୍କା ବିନିଯୋଗରେ ପାଚେରୀ ନିର୍ମାଣ କରାଯାଇ ପ୍ରାରମ୍ଭିକ କାର୍ଯ୍ୟ ସ୍ୱରୂପ ଏକ ଓପିଡ଼ି ସେଣ୍ଟର ଖୋଲାଗଲା ।
ସପ୍ତାହକୁ ଥରେ ଭୁବନେଶ୍ୱରରୁ ଏମ୍ସର ଡ଼ାକ୍ତରମାନେ ଆସି ଓପିଡ଼ି ଚଳାଇଲେ । ଓପିଡ଼ି ସହିତ ୮ଟି କ୍ୱାଟର ପାଇଁ ୩୬କୋଟିଟଙ୍କା ମଞ୍ଜୁର ହେଲା,ମାତ୍ର କେନ୍ଦ୍ରର ବିଜେପି ସରକାର ବାଲେଶ୍ୱର ବାସୀଙ୍କୁ ପ୍ରତାରିତ କଲେ । ଆଜି ଏ ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ କଂଗ୍ରେସ ଏହି ଉପନିର୍ବାଚନରେ ଜିତିଲେ ନିଶ୍ଚିତଭାବେ ବାଲେଶ୍ୱରରେ ଏମ୍ସର ପୂର୍ଣ୍ଣାଙ୍ଗ ସାଟେଲାଇଟ୍ ସେଣ୍ଟର କରିବ ।
ସେ ଆହୁରି ମଧ୍ୟ କହିଥିଲେ ଯେ ଏଆଇସିସି ତରଫରୁ ଓଡ଼ିଶା ପ୍ରଭାରୀ ଡ. ଏ. ଚେଲ୍ଲାକୁମାର , ଓଡ଼ିଶାର ସାଂସଦ ସତ୍ୟଗିରି ଉଲ୍ଲାକା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଗତକାଲି ସାକ୍ଷାତ କରି ଏ ସଂକ୍ରାନ୍ତରେ ଅବଗତ କରାଇବା ସହ ୪୫୦କୋଟି ଟଙ୍କା ମଞ୍ଜୁର କରି ଏମ୍ସ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଦାବି ରଖିଛନ୍ତି । କଂଗ୍ରେସର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ବିଜେଡ଼ି ଓ ବିଜେପି ସରକାର ଏମ୍ସ ପ୍ରସଙ୍ଗରେ ବାଲେଶ୍ୱର ବାସୀଙ୍କୁ ପ୍ରତାରିତ କରିଥିବାରୁ ଆଗାମୀ ଉପ ନିର୍ବାଚନରେ ବାଲେଶ୍ୱର ସଦର ବିଧାନସଭା ଆସନ ଇଲ୍ଲାକାର ଭୋଟରମାନେ ଉଚିତ୍ ଜବାବ ଦେବାକୁ ନିବେଦନ କରିଥିଲେ