Odisha news

ପ୍ରବାସୀ ଓଡିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତ ୨୨ ଜଣିଆ ଆଇଏଏସ ଟିମ୍‌କୁ ବୈଜୟନ୍ତ ପଣ୍ଡାଙ୍କ ଶୁଭେଚ୍ଛା ଓ ସମର୍ଥନ

0
ଭୁବନେଶ୍ବର, ୨୭।୦୪- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା, କୋଭିଡ-୧୯ ମୁକାବିଲାରେ ପ୍ରବାସୀ ଓଡିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦ୍ବାରା ନିଯୁକ୍ତ ୨୨-ଜଣିଆ ବରିଷ୍ଠ ଆଇଏଏସ ଟିମ୍କୁ ଶୁଭେଚ୍ଛା ଓ ସମର୍ଥନ ଜଣାଇଛନ୍ତି। କରୋନା ମୁକାବିଲା ପାଇଁ ବିଭିନ୍ନ ରାଜ୍ୟରୁ ଲକ୍ଷ ଲକ୍ଷ ପ୍ରବାସୀ ଓଡିଆ ମାନଙ୍କୁ ସୁରକ୍ଷିତ ଭାବେ ଓଡିଶା ଫେରାଇ ଆଣିବାପାଇଁ ଏହି ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ପ୍ରବାସୀ ଓଡିଆ ମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଓ ସଙ୍ଗରୋଧରେ ଏହି ଅଧିକାରୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ, ଶ୍ରୀ ପଣ୍ଡା ସର୍ବଦା ଦେଶ ବିଦେଶରେ ରହିଥିବା ପ୍ରବାସୀ ଓଡିଆ ମାନଙ୍କୁ ନିରନ୍ତର ସାହାଯ୍ୟ ସହଯୋଗର ହାତ ବଢାଇ ଆସିଛନ୍ତି। ବିଦେଶରେ ଫସିଥିବା ଶହ ଶହ ଓଡିଆଙ୍କୁ ଶ୍ରୀ ପଣ୍ଡା ଉଦ୍ଧାର କରି ସ୍ବଦେଶ ଫେରାଇ ଆଣିଛନ୍ତି୤ ଲକ୍‌ଡାଉନ ସମୟରେ ମଧ୍ୟ ତାମିଲନାଡୁ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଗୁଜୁରାଟରେ ଫସିଥିବା ପ୍ରବାସୀ ଓଡିଆ ମାନଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇଛନ୍ତି। ବିଗତ ଦୁଇ ଦସନ୍ଧି ଧରି ଶ୍ରୀ ପଣ୍ଡା ଶିଶୁ ମାନଙ୍କ ଅପପୁଷ୍ଟି ଉପରେ କାର୍ଯ୍ୟ ଜାରି ରଖିଛନ୍ତି, ବର୍ତ୍ତମାନ ଫେରୁଥିବା ଶିଶୁମାନଙ୍କର ଅପପୁଷ୍ଟି ସମସ୍ୟା ଦୂରକରିବା ଏକ ବଡ ଆହ୍ବାନ। ଲକ୍ଷ ଲକ୍ଷ ଓଡିଆ ଫେରିବା ପରେ ସେମାନଙ୍କୁ ସୂଚାରରୂପେ ସଙ୍ଗରୋଧରେ ରଖାଯାଇପାରିବ ସେଥିପାଇଁ ସମସ୍ତଙ୍କୁ ମିଶି କାମ କରିବାକୁ ହେବ। କୋଭିଡ-୧୯ ମୁକାବିଲାରେ ଓଡିଶା ସାରା ବିଶ୍ବ ପାଇଁ ଉଦାହରଣ ହେଉ। ଏହି ମହାମୁକାବିଲାର ସଫଳତା କାମନା କରି ଶ୍ରୀ ପଣ୍ଡା ଅଧିକାରୀ ମାନଙ୍କୁ ଶୁଭେଚ୍ଛା ଓ ସମର୍ଥନ ଜଣାଇଛନ୍ତି।
Leave A Reply