Odisha news

ଗୋଟିଏ ବିରଳ ବଜ୍ରକପ୍ତା ଓ ୨ ଟି ଅହିରାଜ ସାପ ଉଦ୍ଧାର

0

ଔପଦା : ବାଲେଶ୍ୱର ଜିଲ୍ଲା ଔପଦା ବନ ବିଭାଗ ରେଞ୍ଜ ଅଞ୍ଚଳରୁ ଗୋଟିଏ ବିରଳ ବଜ୍ରକପ୍ତା ସହ ୨ ଟି ଅହିରାଜ ସାପକୁ ଉଦ୍ଧାର କରାଯିବା ପରେ ବନବିଭାଗ ପକ୍ଷରୁ ଜଙ୍ଗଲରେ ଛଡ଼ାଯାଇଥିବା ଜଣାଯାଇଛି । ଗତ ୧୬ ତାରିଖ ପ୍ରାୟ ରାତି ୮ ଟା ସମୟରେ ଦନ୍ତୋର ଫରେଷ୍ଟ ବିଟ୍ ହାଉସ ନିକଟସ୍ଥ କେନାଲ ବନ୍ଧ ଉପରେ ଏକ ବଜ୍ରକପ୍ତା ଯାଉଥିବାର ସ୍ଥାନୀୟ ଲୋକେ ଦେଖି ଦନ୍ତୋର ବିଟ ହାଉସର ଫରେଷ୍ଟଗାର୍ଡ ଭାରତୀ ସିଂଙ୍କୁ ଖବର ଦେଇଥିଲେ ।

ଫରେଷ୍ଟଗାର୍ଡ ଭାରତୀ ଚାନ୍ଦିପୁର ଫରେଷ୍ଟ ରେଞ୍ଜର ଫରେଷ୍ଟଗାର୍ଡ ପ୍ରଦୀପ ରାଉତଙ୍କ ଘର ଦନ୍ତୋର ଗ୍ରାମକୁ ଛୁଟିରେ ଆସିଥିବାରୁ ତାଙ୍କୁ ଖବର ଦେବା ପରେ ବିଭାଗର ୨ କର୍ମଚାରୀ ମିଳିତ ଭାବେ ବଜ୍ରକପ୍ତାକୁ ଉଦ୍ଧାର କରି ବିଟ ହାଉସକୁ ନେଇଥିଲେ । ସେହିପରି ବିଟ୍ ହାଉସ ନିକଟରୁ ଏକ ଅହିରାଜ ସାପକୁ ଫରେଷ୍ଟଗାର୍ଡ ଶ୍ରୀ ରାଉତ କୌଶଳରେ ଧରିଥିବାବେଳେ ବଜ୍ରକପ୍ତା ଓ ସାପଟିକୁ ଔପଦା ରେଞ୍ଜର କାର୍ଯ୍ୟାଳୟକୁ ଅଣିଥିଲେ ।

ଅନ୍ୟ ଏକ ଜଙ୍ଗଲି ବିରାଟ ବିଷଧର ଅହିରାଜ ସାପକୁ ମଧ୍ୟ ସୋର ସିଙ୍ଗାଖୁଣ୍ଟା ଅଞ୍ଚଳର ଜଣକ ବାଡିରେ ଲୋକମାନେ ଦେଖି ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ ତୁରନ୍ତ ଭଦ୍ରକ ସ୍ନେକ ହେଲ୍ପଲାଇନକୁ ଖବର ଦେବା ପରେ ସ୍ନେକ ହେଲ୍ପଲାଇନର କର୍ମଚାରୀମାନେ ସେଠାରେ ପହଞ୍ଚି ପ୍ରାୟ ୧୫ ଫୁଟ ଲମ୍ବର ଏହି ଅହିରାଜ ସାପକୁ କୌଶଳରେ ଧରି ରେଞ୍ଜର କାର୍ଯ୍ୟାଳୟକୁ ଅଣିଥିଲେ । ଉଦ୍ଧାର ହୋଇଥିବା ବଜ୍ରକପ୍ତା ଓ ସାପ ୨ଟିକୁ ବନ ବିଭାଗ ପକ୍ଷରୁ କୁଲଡିହା ଅଭୟାରଣ୍ୟ ରେ ଛାଡି ଦିଆଯାଇଥିବା ଜଣାଯାଇଛି ।

Leave A Reply