Odisha news

ଔପଦା ଜୁନିୟର କଲେଜରେ ବିନା କାଗଜପତ୍ରରେ ଲକ୍ଷ ଲକ୍ଷ ଟଙ୍କା ଉଠାଣ : ବିଧାୟକଙ୍କ ସମୀକ୍ଷା ପରେ ଘଟଣାର ପର୍ଦ୍ଦାଫାସ

0

ଔପଦା : ବାଲେଶ୍ୱର ଜିଲ୍ଲା ଆଦିବାସୀ ବହୁଳ ଔପଦା ବ୍ଲକ ସଦର ମହକୁମାରେ ୧୯୭୮ ମସିହାରୁ ସ୍ଥାପିତ ଅନୁଦାନପ୍ରାପ୍ତ ଔପଦା ଜୁନିୟର କଲେଜର ବିନା କାଗଜପତ୍ରରେ ଲକ୍ଷ ଲକ୍ଷ ଟଙ୍କା କଲେଜ ପାସବହିରୁ ଉଠାଣକୁ ନେଇ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ସମୀକ୍ଷା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି । କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ନିତ୍ୟାନନ୍ଦ ଦାସ ଗତ ଜୁଲାଇ ୨୦୧୮ ରେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ କଲେଜ ବ୍ୟାଙ୍କ ପାସବହିରେ ୧୬ ଲକ୍ଷ ୪୬ ହଜାର ୧୮୭ ଟଙ୍କା ଜମାଥିଲା ।

ପରେ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦିଗରୁ ୮  ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା କଲେଜ ବ୍ୟାଙ୍କ ଖାତରେ ଜମା ହୋଇଥିବା ଜଣାଯାଇଛି । କଲେଜର ସମସ୍ତ ଟଙ୍କା ମିଶାଇ ୨୪ ଲକ୍ଷ ୪୬ ହଜାର ୧୮୭ ଟଙ୍କା ବ୍ୟାଙ୍କ ଖାତାରେ ଜମା ହୋଇଥିବା ବେଳେ ଅଧ୍ୟକ୍ଷ ଶ୍ରୀ ଦାସ କର୍ମଚାରୀ ଓ ପରିଚାଳନା କମିଟି ବୈଠକ ନଡାକି ବିନା ରିଜୋଲେସନରେ ଏପରିକି କଲେଜର ପରିଚାଳନା କମିଟିର ସଭାପତିଙ୍କ ଅଗୋଚରରେ ଭିନ୍ନ ଭିନ୍ନ ଦିନରେ ଲକ୍ଷ ଲକ୍ଷ ଟଙ୍କା ପାସ ବହିରୁ ଉଠାଣ ହୋଇଥିବା ବେଳେ ଆଉ ମାତ୍ର ୬୧୦ ଟଙ୍କା ପାସ ବହିରେ ଜମାଥିବା ଜଣାଯାଇଛି ।

କଲେଜର ଏ ପ୍ରକାର ଟଙ୍କା ଉଠାଣ ସଂପର୍କରେ ବିଧାୟକ ଶ୍ରୀ ନାୟକ କୌଣସି ସୂତ୍ରରୁ ଜାଣିପାରି ଆଜି ଅପରାହ୍ନ ୩ ଟା ସମୟରେ ଔପଦା ଅଞ୍ଚଳର ଶିକ୍ଷାବିତ୍,ବୁଦ୍ଧିଜୀବୀ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ନେଇ ସାମାଜିକ ଦୂରତା ରକ୍ଷାକରି କଲେଜର ଟଙ୍କା ଉଠାଣ ସଂପର୍କରେ ସମୀକ୍ଷା କରିଥିଲେ । ଏହି ସମୀକ୍ଷାରୁ କଲେଜର କେସ ବୁକ ଦେଖିବା ପରେ ବିଭିନ୍ନ ସମୟରେ ଅଧ୍ୟକ୍ଷ ଶ୍ରୀ ଦାସ ନିଜ ନାମରେ ୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଅଗ୍ରୀମ ନେଇଥିବା ବେଳେ କଲେଜର କେତେକ କର୍ମଚାରୀଙ୍କୁ ଅଗ୍ରୀମ ଦେବାସହ ଅନ୍ୟଟଙ୍କାକୁ କଲେଜର ଉନ୍ନୟନ କାମ କରିବା ନାମରେ ଉଠାଯାଇଥିବା ଜଣାଯାଇଛି ।

ସମୀକ୍ଷାରେ ବିଧାୟକ ଶ୍ରୀ ନାୟକ ଏହି ଟଙ୍କା ଉଠାଣକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ସେଠାରେ ଉପସ୍ଥିତ ଥିବା ଶିକ୍ଷାବିତ୍ ହରପ୍ରସାଦ ପଣ୍ଡା,ନିରଂଜନ ମହାନ୍ତି,ରମାକାନ୍ତ ମହାପାତ୍ର,ତଳକିଆ ସରପଞ୍ଚ ମଧୁସୂଦନ ମଲ୍ଲିକ,ସମିତି ସଭ୍ୟ ଅଶୋକ କୁମାର ପ୍ରଧାନ,ସାସଂଦ ପ୍ରତିନିଧି ଲକ୍ଷ୍ମୀକାନ୍ତ ବେହେରା,ସମାଜସେବୀ ଗୟାଧର ସେଠୀ,ବିନୟ କୁମାର ପଟ୍ଟନାୟକ ପ୍ରମୁଖ ମଧ୍ୟ କଲେଜର ଏ ପ୍ରକାର ଅର୍ଥ କାରବାର ପାଇଁ ନିନ୍ଦା କରିଥିଲେ ।  ଏ ସଂପର୍କରେ ଅଧ୍ୟକ୍ଷ ଶ୍ରୀ ଦାସଙ୍କର ପ୍ରତିକ୍ରିୟା ଚାହିଁବାରୁ କଲେଜର ଉନ୍ନୟନ ପାଇଁ ଟଙ୍କା ଉଠାଯାଇଛି । ମୁଁ ନେଇଥିବା ଅଗ୍ରୀମ ଟଙ୍କା ଦରମା ପାଇଲେ ଫେରସ୍ତ କରିବି କହିବା ସହିତ ଟଙ୍କା ଉଠାଣର ରେକର୍ଡପତ୍ର କରାଯିବ ବୋଲି କହିଛନ୍ତିି । ପରିଚାଳନା କମିଟିର ସଭାପତି ନିଳଗିରୀ ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନାଙ୍କୁ କଲେଜର ଟଙ୍କା ଉଠାଣ ସଂପର୍କରେ ଯୋଗାଯୋଗ କରିବାରୁ ଏହି ଘଟଣା ସଂପର୍କରେ ମୁଁ କିଛି ଜାଣି ନାହିଁ ଏହା ହୋଇଥିଲେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Leave A Reply