Odisha news

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ। ହତ୍ୟା ଅଭିଯୋଗ

0

ଆଠଗଡ଼ ତା ୫/୮/୨୨ ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ଗ୍ରାମ ପଞ୍ଚାୟତ କନ୍ଦରପୁର ଗ୍ରାମ ରେ ଜଣେ ଯୁବକ ଙ୍କ ମୃତଦେହ ଉଦ୍ଧାର କରାଯାଇଛି।ଏ ବାବଦରେ ପରିବାର ପକ୍ଷରୁ ଏହାକୁ ଏକ ହତ୍ୟା ଘଟଣା ବୋଲି ଆଠଗଡ଼ ଥାନା ରେ ଏତଲା ଦିଆଯାଇଛି। ଘଟଣା ରୁ ପ୍ରକାଶ ଯେ କନ୍ଦରପୁର ପୁର ଗ୍ରାମ ର ଗନ୍ଧର୍ବ ସାମଲ ଙ୍କ ପୁଅ ଗଣେଷ ସାମଲ(୨୫) ଗତ କାଲି ବିଳମ୍ବିତ ରାତିରେ ଘରକୁ ଫେରି ନ ଥିଲେ। ସକାଳୁ ତାଙ୍କ ମୃତ ଦେହ ସେହି ଗ୍ରାମର ଏକ କୁକୁଡ଼ା ଫାର୍ମ କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିବାବେଳେ ପରିବାର ପକ୍ଷରୁ ତାଙ୍କୁ ହତ୍ୟା  କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ରୁ ପ୍ରକାଶ ଯେ ଗଣେଶ ସାମଲ,ପିତା ଗନ୍ଧର୍ବ ସାମଲ, ସେହି ଗ୍ରାମର ନିରଞ୍ଜନ ଦଳାଇ ଙ୍କ କୁକୁଡ଼ା ଫାର୍ମ ରେ ଗଣେଶ  କାର୍ଯ୍ୟ କରନ୍ତି। ଗତକାଲି ପ୍ରାୟ ରାତି ୯ ସମୟରେ ସେହି ଗ୍ରାମର ଥିବା କୋଠଘର ପାଖରେ ଗଣେଶ ବସିଥିବା ସମୟରେ ଫାର୍ମ ରେ କୁକୁଡ଼ା ଲୋଡ୍ ହେବ ବୋଲି କହି ତାକୁ ମୋଟର ସାଇକେଲରେ ବସାଇ ଆଣିଥିଲେ। କିନ୍ତୁ ଅଧିକ ରାତି ହୋଇଥିଲେ ମଧ୍ୟ ଗଣେଶ ଘରକୁ ନଫେରି ବାରୁ ପରିବାର ଲୋକ ରାତିରେ ବହୁତ ଖୋଜାଖୋଜି କଲେ ମଧ୍ୟ ଗଣେଶ କୁ ପାଇନଥିଲେ। କିନ୍ତୁ ପରଦିନ ସକାଳୁ ଅର୍ଥାତ୍ ଶୁକ୍ରବାର ଦିନ ସକାଳ ୬ ସମୟରେ ସେହି ଗ୍ରାମର ନିରଞ୍ଜନ ଦଳାଇ ଙ୍କ କୁକୁଡ଼ା ଫାର୍ମ କଡ଼ରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।  ତାଙ୍କ ମୁଣ୍ଡରେ ପଛପଟେ ଗଭୀର ଆଘାତ ଲାଗିଛି। ଏବଂ ପିଠି,ଆଖି ଓ ଦେହରେ ଅନେକ ସ୍ଥାନରେ ଖଣ୍ଡିଆ ଖାବରା ଦେଖିବାକୁ ମିଳୁଛି।

ଏ ବାବଦରେ ଭାବଗ୍ରାହୀ ନାଏକ, ପିତା ଭାସ୍କର ନାଏକ ତାଙ୍କ ଶଳା ଗଣେଶ କୁ ଷଡ଼ଯନ୍ତ୍ର କରି ମାରିଦେଇଥିବା ଆଠଗଡ଼ ଥାନା ରେ ଲିଖିତ ଭାବେ ଏତଲା  ଦେଇଛନ୍ତି। ଏହି ଅଭିଯୋଗ କୁ ଭିତି କରି ଆଠଗଡ଼ ପୋଲିସ କେସ ନଂ ୧୮୨/୨୨ ଅନୁସାରେ ଏକ ହତ୍ୟା ମାମଲା ରୁଜୁ କରି  ତନାଘନା ଆରମ୍ଭ ହୋଇଛି। ଖବର ପାଇବା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କୁକୁଡ଼ା ଫାର୍ମ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ମୟୁରଭଞ୍ଜ ଅଞ୍ଚଳ ର ସଞ୍ଜୟ ନାୟକ ଏବଂ ସୁକାନ୍ତି ନାୟକ ଙ୍କୁ ପୋଲିସ ଘଟଣାସ୍ଥଳରୁ ଉଦ୍ଧାର କରି ଅଟକ ରଖି ପଚରାଉଚରା କରୁଛି। ଉତ୍ୟକ୍ତ ଲୋକମାନେ କୁକୁଡ଼ା ଫାର୍ମ ଭଙ୍ଗା ରୁଜା କରିବା ସହିତ ଏହି ଶ୍ରମିକ ଦୁଇ ଜଣ ଙ୍କୁ ଆକ୍ରମଣ କରିଥିଲେ। ଭୟଭୀତ ଅବସ୍ଥାରେ ସେମାନେ ଗୋଟିଏ ଘର ଭିତରେ ପଶି ଭିତରୁ କବାଟ ବନ୍ଦ କରିଦେଇ ଥିଲେ। ଲୋକମାନେ ଘରର ଆଜବେଷ୍ଟସ ଭାଙ୍ଗି ଦେଇଥିଲେ। ଘଟଣା ସ୍ଥଳରେ ଆଠଗଡ଼ ତିଗିରିଆ ଏବଂ ଖୁଣ୍ଟୁଣୀ ପୋଲିସ ସହିତ ତିନି ପ୍ଲାଟୁନ ପୋଲିସ ଫୋର୍ସ ସହିତ ସାଇଣ୍ଟଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଦେହ ଉଦ୍ଧାର ସହିତ ବ୍ୟବଚ୍ଛେଦ କରାଯାଇଛି। ମୃତକଙ୍କ ପରିବାରକୁ ରେଡ଼କ୍ରସ ତରଫରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଘଟଣା ସ୍ଥଳରେ ଆଠଗଡ଼ ଡି ଏସ ପି ବିଜୟ କୁମାର ବିଶି ଅତିରିକ୍ତ ଏସପି କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ପୋଷ୍ଟମର୍ଟମ ଏବଂ ସାଇଣ୍ଟଫିକ ରିପୋର୍ଟ ଆସିବା ପରେ ଘଟଣା ର ସମସ୍ତ ଦିଗ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Leave A Reply