ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପୁଣି ଝଟକା ଲାଗିଛି । ଇଡି ଦ୍ବାରା ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନର ତୁରନ୍ତ ଶୁଣାଣି ପାଇଁ ମନା କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହା ଫଳରେ ଜେଲରେ କେଜ୍ରିଓ୍ବାଲଙ୍କ ହୋଲି କଟିବାର ଆଶଙ୍କା ଦେଖାଦେଇଛି ।
କେଜ୍ରିଓ୍ଵାଲଙ୍କ ତରଫରୁ ଦିଆଯାଇଥିବା ଆବେଦନରେ କୁହାଯାଇଥିଲା ଯେ ତାଙ୍କ ଗିରଫ ଓ ରିମାଣ୍ଡ ଆଦେଶ ଉଭୟ ବେଆଇନ ଏବଂ ତାଙ୍କୁ ତୁରନ୍ତ ହାଜତରୁ ମୁକ୍ତ କରାଯାଉ। କିନ୍ତୁ ଏହି ଆବେଦନକୁ ତୁରନ୍ତ ତାଲିକାଭୁକ୍ତ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି ଏବଂ ବୁଧବାର କୋର୍ଟ ଖୋଲିବା ପରେ ଏହି ମାମଲା ତାଲିକାଭୁକ୍ତ ହେବ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ହୋଲି ପାଇଁ ମଙ୍ଗଳବାର କୋର୍ଟ ବନ୍ଦ ରହିବ ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଥିବା କେଜ୍ରିୱାଲ ଶନିବାର ସନ୍ଧ୍ୟା କିମ୍ବା ରବିବାର ସୁଦ୍ଧା ଏହି ମାମଲାର ତୁରନ୍ତ ଶୁଣାଣି ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗତ ଗୁରୁବାର କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା ଇଡି । ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା ଓ ବିରୋଧୀ ଦଳମାନେ ଏହାର ନିନ୍ଦା କରିଥିଲେ ।