ନୂଆଦିଲ୍ଲୀ : ଭାରତ ସରକାର ଲକଡାଉନ ସମୟକୁ ଆଉ ୨ ସପ୍ତାହ ଅର୍ଥାତ ମେ ୧୭ ପର୍ଯ୍ୟନ୍ତ ବଢାଇଦେଇଥିବାରୁ ତାହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବା ଡିଜିସିଏ ଭାରତରେ ବିମାନ ଚଳାଚଳ ନେଇ କଟକଣା ଜାରି କରିଛି । ଡିଜିସିଏ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁସାରେ ଆସନ୍ତା ମେ ୧୭ ପର୍ଯ୍ୟନ୍ତ ଭାରତରେ ବ୍ୟବସାୟିକ ଯାତ୍ରୀ ବିମାନ ସେବା ବନ୍ଦ ରହିବ । ତେବେ ଦେଶରେ କାର୍ଗୋ (ମାଲବାହୀ) ଓ ଜରୁରୀ ସରକାରୀ ବିମାନ ଚଳାଚଳ ଜାରି ରହିବ । ପୂର୍ବରୁ ଏହି କଟକଣା ମେ ୩ ପର୍ଯ୍ୟନ୍ତ ଘୋଷଣା କରାଯାଇଥିଲା ।
ଭାରତରେ ଗତ ମାର୍ଚ୍ଚ ୨୪ ମଧ୍ୟରାତ୍ରିରୁ ଲକଡାଉନ ଆରମ୍ଭ ହୋଇଥିବାବେଳେ ବିମାନ ସେବା ବନ୍ଦ ରହିଛି । ଗତକାଲି ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି ନୂଆ ଗାଇଡଲାଇନରେ ମଧ୍ୟ ସାରା ଭାରତରେ ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ତେବେ କାର୍ଗୋ (ମାଲବାହୀ) ଓ ଜରୁରୀ ସରକାରୀ ବିମାନ ଚଳାଚଳ ଜାରି ରହିବ ବୋଲି ଏଥିରେ କୁହାଯାଇଥିଲା ।
ଗତକାଲି ସରକାର ଲଜକାଉନ ସମୟ ମେ ୧୭ ପର୍ଯ୍ୟନ୍ତ ବଢାଇବା ପରେ ଭାରତୀୟ ରେଳ ମଧ୍ୟ ନିଜର ଯାତ୍ରୀ ସେବାକୁ ମେ ୧୭ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଥିଲା ।