Odisha news

ଅନୁଗୋଳ ଓ ଢେଙ୍କାନାଳରେ ସାମାଜିକ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ଓ ଶୁଭାରମ୍ଭ , ସାମାଜିକ ଭିତ୍ତିଭୂମିର ବିକାଶ ଲୋକଙ୍କ ଜୀବନଯାପନକୁ ସୁଗମ କରିବ :  ଧର୍ମେନ୍ଦ୍ର ପ୍ରଧାନ

0

ସନ୍ତ୍ରି ଛକରୁ ମହିଧର ଦେଇ ହାତୁରା ପର୍ଯ୍ୟନ୍ତ ୨୦ କିମି ବ୍ୟାପୀ ସୌରଶକ୍ତି ପରିଚାଳିତ ରାସ୍ତା ଆଲୋକୀକରଣ ପାଇଁ ଭୂମିପୂଜନ
ଏନଏଚ୍ -୫୫ର ଇଟାପଠାରୁ ନୂଆହତା ପର୍ଯ୍ୟନ୍ତ ୩ କିମି ବ୍ୟାପୀ ଆଲୋକୀକରଣ ବ୍ୟବସ୍ଥାର ଶିଳାନ୍ୟାସ
ବଅଁରପାଳ ବ୍ଲକ ନୂଆହତାରେ ସିମେଣ୍ଟ କଂକ୍ରିଟ ରାସ୍ତା ଓ ଡ୍ରେନ୍ ନିର୍ମାଣ, ଗୋଷ୍ଠୀ କେନ୍ଦ୍ର, ହାଇମାଷ୍ଟ ଓ ଷ୍ଟ୍ରିଟଲାଇଟର ବ୍ୟବସ୍ଥାର ଶୁଭାରମ୍ଭ
ହିନ୍ଦୋଳ ଓ ଓଡ଼ାପଡ଼ା ବ୍ଲକରେ ସୂଚନା କେନ୍ଦ୍ର, ନରେନ୍ଦ୍ରପୁର ବିଦ୍ୟାଳୟ, ହାଇମାଷ୍ଟ ଓ ଷ୍ଟ୍ରିଟଲାଇଟ୍ ସୁବିଧା
ଢେଙ୍କାନାଳ ଶିବପୁର ଟାଟା ଷ୍ଟିଲ ମେରାମଣ୍ଡଳୀ ଜୈବବିବିଧତା ପାର୍କରେ ବୃକ୍ଷରୋପଣ କଲେ
ଗଛ ଲଗାଇବା ମାନେ ଗୋଟିଏ ଜୀବନ ତିଆରି କରିବା ବୋଲି କହିଲେ କେନ୍ଦ୍ରମନ୍ତ୍ରୀ
ଅନୁଗୋଳ/ଢେଙ୍କାନାଳ, ଅଗଷ୍ଟ ୨୭ – ପବିତ୍ର ‘ଗଣେଶ ପୂଜା’ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଓ ଡେଙ୍କାନାଳରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ବିଭିନ୍ନ ସାମାଜିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ସହ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ।  
କେନ୍ଦ୍ରମନ୍ତ୍ରୀ ପ୍ରଧାନ ଅନୁଗୋଳ ବଅଁରପାଳ ଠାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ସାମାଜିକ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସନ୍ତ୍ରି ଛକରୁ ମହିଧର ଦେଇ ହାତୁରା ପର୍ଯ୍ୟନ୍ତ ୨୦ କିମି ବ୍ୟାପୀ ସୌରଶକ୍ତି ପରିଚାଳିତ ରାସ୍ତା ଆଲୋକୀକରଣ ଏବଂ ଏନଏଚ୍ -୫୫ର ଇଟାପଠାରୁ ନୂଆହତା ପର୍ଯ୍ୟନ୍ତ ୩ କିମି ବ୍ୟାପୀ ଆଲୋକୀକରଣ ବ୍ୟବସ୍ଥାର ଭୂମିପୂଜନ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ଅନୁଗୋଳ ବଅଁରପାଳ ବ୍ଲକ ନୂଆହତାରେ ସିମେଣ୍ଟ କଂକ୍ରିଟ ରାସ୍ତା ଓ ଡ୍ରେନ୍ ନିର୍ମାଣ, ଗୋଷ୍ଠୀ କେନ୍ଦ୍ର, ହାଇମାଷ୍ଟ ଓ ଷ୍ଟ୍ରିଟଲାଇଟର ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା । ସେହିପରି ଢେଙ୍କାନାଳର ହିନ୍ଦୋଳ ଏବଂ ଓଡ଼ାପଡ଼ା ବ୍ଲକରେ ସୂଚନା କେନ୍ଦ୍ର, ନରେନ୍ଦ୍ରପୁର ବିଦ୍ୟାଳୟ, ହାଇମାଷ୍ଟ ଏବଂ ଷ୍ଟ୍ରିଟ ଲାଇଟ୍ ସୁବିଧା ମଧ୍ୟ ଲୋକାର୍ପିତ ହୋଇଯାଇଛି । ଏହି ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ଟାଟା ଷ୍ଟିଲ ଫାଉଣ୍ଡେସନକୁ ଶୁଭେଚ୍ଛା ଜଣାଇବା ସହ ଆଲୋକୀକରଣ ପ୍ରକଳ୍ପ ଦ୍ୱାରା ଲୋକମାନଙ୍କ ଯାତାୟତ ସହଜ ଓ ସୁରକ୍ଷିତ ହେବ ବୋଲି କହିଛନ୍ତି । ଏହାବ୍ୟତୀତ ଉଦଘାଟିତ ସାମାଜିକ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋକମାନେ ବିଶେଷ ଉପକୃତ ହେବେ । ସେମାନଙ୍କ ଜୀବନଯାପନ ସୁଗମ ହେବ ।
ଏହି କାର୍ଯ୍ୟକ୍ରମ ପୂର୍ବରୁ ଶ୍ରୀ ପ୍ରଧାନ ଢେଙ୍କାନାଳ ଶିବପୁର ସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ଜୈବବିବିଧତା ପାର୍କ ପରିସରରେ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଅଧୀନରେ ବୃକ୍ଷରୋପଣ କରିଥିଲେ । ଶିଳ୍ପାଞ୍ଚଳ ଢେଙ୍କାନାଳରେ ପର୍ଯ୍ୟାବରଣକୁ ସୁରକ୍ଷିତ ରଖିବା ପାଇଁ ଜଙ୍ଗଲ ସୃଷ୍ଟି କରିବାର ଅଭିନବ ପ୍ରୟାସ କରିଥିବାରୁ ଟାଟା ଷ୍ଟିଲ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଆରମ୍ଭ ହୋଇଥିବା “ଏକ୍ ପେଡ୍ ମା’ କେ ନାମ୍” ଏକ ଭାବନାତ୍ମକ ବିଚାର । ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଗଛ ଲଗାଇବା ମାନେ ଗୋଟିଏ ଜୀବନ ତିଆରି କରିବା । ଆମେ ସମସ୍ତେ ଆମର ଘର ଠାରୁ ଆରମ୍ଭ କରି ସବୁଠି ଗଛ ଲଗାଇବା ଏବଂ ଏହି ବୃକ୍ଷରୋପଣ ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

Leave A Reply