ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ପରେ ସବୁ ସେଲିବ୍ରିଟି ଏବେ ମାନସିକ ସ୍ୱାସ୍ଥ୍ୟ ବା ଜାଗରୁକତା ବିଷୟରେ ଆଲୋଚନା କରୁଛନ୍ତି । ସେଥିମଧ୍ୟରୁ କେତେକ ଇଣ୍ଡଷ୍ଟ୍ରୀରେ ମହଜୁଦ ଭାଇ ଭତିଜାବାଦ ବିରୋଧରେ ପ୍ରଶ୍ନ ଉଠାଉଛନ୍ତି । ରବିନା ଟଣ୍ଡନଙ୍କଠାରୁ ଆରମ୍ଭ କରି କଙ୍ଗନା ରନୌତ ପର୍ଯ୍ୟନ୍ତ ସମସ୍ତେ ନେପୋଟିଜମ୍ ପ୍ରସଙ୍ଗ ଉଠାଇଛନ୍ତି । ଫିଲ୍ମରୁ ଦୂରେଇ ଯାଇଥିବା ଅଭିନେତ୍ରୀ ଆଏଶା ଟକିୟା ଏକ ଲମ୍ବା ପୋଷ୍ଟ ଲେଖି ନିଜ କଥା କହିଛନ୍ତି । ସେ ଲେଖିଛନ୍ତି, ‘ଟ୍ରୋଲିଂ ଓ କାମ ବଦଳରେ ବୁଲିଙ୍ଗ୍ ସହ ମୋର ଅନୁଭବ ଅଛି । ମୁଁ ଏହା ଉପରେ ଖୋଲାଖୋଲି କଥା ହେବାକୁ ଚାହୁଁଛି ଓ କହିବାକୁ ଚାହୁଁଛି ଯଦି କେହି ଆପଣଙ୍କୁ ନୀଚା ଦେଖାଇବାକୁ ଚେଷ୍ଟା କରେ, ତାର ବିରୋଧ କରନ୍ତୁ । କାହା ସହ କଥା ହୁଅନ୍ତୁ । ଡାଏରୀରେ ମନ କଥା ଲେଖନ୍ତୁ । କିନ୍ତୁ କାହାକୁ ନିଜ ଉପରେ ଭାରି ପଡ଼ିବାକୁ ଦିଅନ୍ତୁ ନାହିଁ । ମୁଁ ଜାଣିଛି କହିବା ସହଜ । କିନ୍ତୁ ଏପରି କରିବାକୁ ହେବ, ଏପରି କରିବାର ଆବଶ୍ୟକତା ରହିଛି, କେହି ନା କେହି ଆପଣଙ୍କ କଥା ନିଶ୍ଚୟ ଶୁଣିବେ । ଲୋକଙ୍କୁ ଭଲ ବ୍ୟବହାର ଦେଖାନ୍ତୁ । କାରଣ କିଏ କେଉଁ ପରିସ୍ଥିତି ଦେଇ ଗତି କରୁଛି, ଏହାର ଅନୁମାନ କାହାକୁ ନ ଥାଏ । ଆଏଶା ‘ତାର୍ଜନ ଦ ୱଣ୍ଡର କାର୍’ ମାଧ୍ୟମରେ ବଲିଉଡ୍ ଡେବୁ୍ୟ କରିଥିଲେ । ହେଲେ ଦ୍ୱିତୀୟ ଫିଲ୍ମ ‘ୱାଣ୍ଟେଡ୍’ ପରେ ଚର୍ଚ୍ଚାକୁ ଆସିଥିଲେ । ସେ ଜଣେ ଚାଇଲï ଆର୍ଟିଷ୍ଟ ଭାବେ ବି କାମ କରିଛନ୍ତି ।