Odisha news

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ପ୍ରଶିକ୍ଷଣ ଶିବିର

0

ଭୁବନେଶ୍ୱର: ମହିଳା ସଶକ୍ତୀକରଣର ଅଂଶ ସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍ କଂପାନି ଆଦିତ୍ୟ ଆଲୁମିନିୟମ ପକ୍ଷରୁ ମହିଳା ସ୍ୱୟଂ ସହାୟକ
ଗୋଷ୍ଠୀ (ଏସଏଚଜି)ଗୁଡ଼ିକର ମୁଖ୍ୟମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା ବିକଶିତ କରିବା ଲାଗି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ
କରାଯାଇଥିଲା ।
ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଏହାର ସିଏସ୍ଆର୍ ଅଭିଯାନ ଅଧୀନରେ ଫେବ୍ରୁଆରି ୨୪-୨୫ରେ ଆୟୋଜନ କରାଯାଇଥିବା ଏହି
ଦୁଇ ଦିନିଆ କାର୍ଯ୍ୟକ୍ରମରେ ୧୫ଟି ଏସଏଚଜିର ପ୍ରାୟ ୩୦ ନେତୃତ୍ୱ ନେଉଥିବା ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ଦିର୍ଘ ୧୭ ବର୍ଷରୁ
ଅଧିକ ସମୟ ଧରି ଏସଏଚଜିଗୁଡ଼ିକୁ ପ୍ରଶିକ୍ଷଣ ପ୍ରଦାନ କରୁଥିବା ରିସୋର୍ସ ପର୍ସନ ସୁଧୀର ଦାଶ ମହିଳାମାନଙ୍କୁ ତାଲିମ ପ୍ରଦାନ
କରିଛନ୍ତି ।

କଂପାନି ବିଶ୍ୱାସ କରୁଛି ଯେ ଉପଯୁକ୍ତ ସହଯୋଗ ଦ୍ୱାରା ଏହି ଏସଏଚଜି ସଦସ୍ୟ ଯେଉଁମାନେ ସମାଜରେ “ପରିବର୍ତନର ଦୂତ’ ଭାବେ
ଏବଂ ବିଭିନ୍ନ ସାମାଜିକ ସମସ୍ୟା ଉପରେ କାର୍ଯ୍ୟ କରୁଛନ୍ତି ସେମାନେ ସଫଳ ଉଦ୍ୟୋଗୀରେ ପରିଣତ ହୋଇପାରିବେ ଏବଂ ବେକାର
ଯୁବପିଢ଼ିଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ସହିତ ନିଜ ପରିବାରର ଆର୍ଥିକ ସ୍ଥିରତା ପ୍ରତି ସହଯୋଗ ପ୍ରଦାନ କରିପାରିବେ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏସଏଚଜି ବନ୍ଦନାରୁ ଆରମ୍ଭ ହୋଇଥିଲା ଏବଂ ବିଶ୍ୱାସ ଗଠନକାରୀ ପଦକ୍ଷେପର ଅଂଶ ସ୍ୱରୂପ
ଅଂଶଗ୍ରହଣକାରୀମାନେ ନିଜର ପରିଚୟ ପ୍ରଦାନ କରିଥିଲେ । ଅଂଶଗ୍ରହଣକାରୀମାନଙ୍କୁ ଜଡ଼ିତ ରଖିବା ଲାଗି ଏହି ପ୍ରଶିକ୍ଷଣ ଅବଧି
ଅବସରରେ ବିଭିନ୍ନ ଅଭିଯାନ, କାର୍ଯ୍ୟକ୍ରମ ଏବଂ ଦଳଗତ ଆଲୋଚନା ଆୟୋଜନ କରାଯାଇଥିଲା ।
ମାନବ ସମ୍ବଳ ମୁଖ୍ୟ ବିବେକାନ୍ଦ ମିଶ୍ର ଓ କ୍ଲଷ୍ଟର ସିଏସ୍ଆର୍ ମୁଖ୍ୟ ଏ ସତ୍ୟନାରାୟଣଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଆଦିତ୍ୟ ଆଲୁମିନିୟମର
ସିଏସଆର ଟିମ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପରିଚାଳନା କରିଥିଲା ।

ଏସଏଚଜି ହେଉଛି ଏକ ସାଧାରଣ ଗୋଷ୍ଠୀ ଭିତିକ ସଂଗଠନ ଯାହା ପ୍ରତିଟି ଗ୍ରାମରେ ରହିଛି ଏବଂ ମହିଳା ସଶକ୍ତୀକରଣର ଏକ
ଉପକରଣ ଭାବେ ଏହାକୁ ବ୍ୟାପକ ଭାବେ ବ୍ୟବହାର କରାଯାଉଛି । ଆଦିତ୍ୟ ଆଲୁମିନିୟମ ପକ୍ଷରୁ ୧୫ଟି ଗ୍ରାମର ୭୦ରୁ ଅଧିକ
ଏସଏଚଜିକୁ ସହାୟତା ପ୍ରଦାନ କରାଯାଉଛି । ଏହି ଏସଏଚଜିଗୁଡ଼ିକରେ ୧୦-୧୫ ମହିଳା ସଦସ୍ୟ ରହିଛନ୍ତି ଏବଂ ସେଗୁଡ଼ିକୁ
ସମନ୍ୱିତ ଶିଶୁ ବିକାଶ ବିଭାଗ, ଏହି ଅଂଚଳରେ କାର୍ଯ୍ୟ କରୁଥିବା ନାଗରିକ ସମାଜ କିମ୍ବା ଏକ କର୍ପୋରେଟ ସଂସ୍ଥା ଦ୍ୱାରା ଗଠନ
କରାଯାଇଛି । ଏହି ଏସଏଚଜିଗୁଡ଼ିକର ନେତୃତ୍ୱ ମଣ୍ଡଳୀରେ ରହିଛନ୍ତି ସଭାନେତ୍ରୀ, ସଂପାଦିକା ଏବଂ କୋଷାଧ୍ୟକ୍ଷା ଯେଉଁମାନେ
ବୈଠକ ଡକାଇଥାନ୍ତି, ଆନ୍ତଃ-ଋଣ ବ୍ୟବସ୍ଥା କରନ୍ତି, କାଗଜପତ୍ର ବଜାୟ ରଖନ୍ତି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଆରମ୍ଭ କରନ୍ତି ଏବଂ
ସରକାାରଙ୍କ କଲ୍ୟାଣମୂଳକ ସ୍କିମ୍ର ଲାଭ ହାସଲ କରିବା ଲାଗି କାର୍ଯ୍ୟ କରନ୍ତି । ଯେହେତୁ ଏହି ଗ୍ରାମୀଣ ମହିଳାମାନଙ୍କ ଶିକ୍ଷାର ସ୍ତର
କମ୍ ରହିଛି, ତେଣୁ ନେତୃତ୍ୱର ବିଭିନ୍ନ ଦିଗ, ଦଳ ପରିଚାଳନା ଏବଂ ଆୟ ସୃଷ୍ଟିକାରୀ କାର୍ଯ୍ୟକଳାପ ଉପରେ ସେମାନଙ୍କୁ ପ୍ରଶିକ୍ଷଣ
ପ୍ରଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

Leave A Reply

Your email address will not be published.