ଯଦୁମଣି ପାଣିଗ୍ରାହୀ : ସଂସାରରେ ଯେତେବେଳେ ଅସୁର ବା ଆସୁରିକ ଶକ୍ତିର ପ୍ରାଦୁର୍ଭାବ ବଢିଯାଏ, ଅନ୍ୟାୟ, ଅନୀତି ଓ ଅତ୍ୟାଚାର ସୀମା ଅତିକ୍ରମ କରିଥାଏ ଆଉ ସାଧାରଣ ଲୋକେ ଏଥିରେ ସନ୍ତାପିତ ହୋଇ ତ୍ରାହି ତ୍ରାହି ଡାକ୍ତିଥାନ୍ତି, ଠିକ୍ ସେତିକିବେଳେ ଲୀଳାମୟ ଭଗବାନ ବିଭିନ୍ନ ଅବତାରରେ ଧରାବତରଣ କରି ଅସୁର ମାନଙ୍କୁ ବିନାଶ କରିବା ସହ ଏ ଜଗତକୁ ସେମାନଙ୍କ କବଳରୁ ରକ୍ଷା କରିଥାନ୍ତି । ତେଣୁ କୁହାଯାଇଛି ‘ଯୁଗକୁ ଯୁଗ ଏହିମତେ’ ପରମାନନ୍ଦ ଏ ଜଗତେ’ । ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି ଏହି ଚାରି ଯୁଗରେ ଆସୁରିକ ଶକ୍ତିର ପ୍ରାଦୁର୍ଭାବ ଏ ସଂସାରବାସୀଙ୍କୁ ଅତିଷ୍ଠ କରିଛି । ସତ୍ୟ ଯୁଗରେ ହିରଣ୍ୟକଶ୍ୟପୁ, ତ୍ରେତୟାରେ ମହା ପ୍ରତାପୀ ରାବଣ, ଦ୍ୱାପରରେ ମହାବଳୀ କଂସ ଓ କଳି ଯୁଗରେ କ୍ରୁର ଓ ଅତ୍ୟାଚାରୀ ମଣିଷ ମାନେ ହିଁ ଅସୁର ଭାବେ ଉଭା ହୋଇଛନ୍ତି । ଠିକ୍ ସେମିତି ସତ୍ୟଯୁଗରେ ଭଗବାନ ନରସିଂହ, ତ୍ରେତୟାରେ ଶ୍ରୀରାମ, ଦ୍ୱାପରରେ କୃଷ୍ଣ ଓ କଳିରେ ଅଦୃଶ୍ୟରେ ରହି ମହାମନ୍ତ୍ର ଓଁ ମାଧ୍ୟମରେ ଦୃଷ୍ଟ ଶକ୍ତିର ବିନାଶରେ ସହାୟକ ହୋଇଛନ୍ତି ।
ଅସୁର ମାନେ ସାଧାରଣତଃ ପାପାତ୍ମା ତଥା ଅତ୍ୟନ୍ତ କ୍ରୁର ତଥା ନିଷ୍ଠୁର ସ୍ୱଭାବର ଅଧିକାରୀ ହୋଇଥିବାରୁ ସଂସାରର ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ମଣିଷ, ସାଧୁସନ୍ଥ ଓ ଦେବତା ମାନଙ୍କୁ ବିନା କାରଣରେ ନାନା ଭାବେ ହଇରାଣ କରିବା ତଥା ଅଯଥା ବିପଦରେ ପକାଇବାରେ ହିଁ ଆନନ୍ଦ ଲାଭ କରିଥାନ୍ତି । ତେଣୁ ସେମାନଙ୍କୁ ନିପାତ କରି ସଂସାରବାସୀଙ୍କୁ ସୁଖଶାନ୍ତିରେ ରଖିବାକୁ ଦେବତା ମାନେ ବିଭିନ୍ନ ଅବତାରରେ ଏ ମର୍ତ୍ତ୍ୟମଣ୍ଡଳରେ ଜନ୍ମଲାଭ କରି ତାଙ୍କର ଲୀଳା ସମ୍ବରଣ କରିଥାନ୍ତି । ସେହି ଅନୁସାରେ ଦ୍ୱାପର ଯୁଗରେ ମହା ପରାକ୍ରମୀ କଂସର ଦୌରାତ୍ମ୍ୟରୁ ସଂସାରବାସୀଙ୍କୁ ରକ୍ଷା କରିବାକୁ ଭଗବାନ ଶ୍ରୀକୃଷ୍ଣ ଆଜକୁ ପ୍ରାୟ ୫ହଜାର ୨ଶହ ବର୍ଷ ପୂର୍ବେ ଜନ୍ମଗ୍ରହଣ କରିଥିଲେ ।
କୃଷ୍ଣଙ୍କର ଏହି ଧରାବତରଣ ଦିବସକୁ ସମଗ୍ର ଭାରତ ବର୍ଷର କୋଣ ଅନୁକୋଣରେ ହିନ୍ଦୁଧର୍ମାବଲମ୍ବୀ ମାନେ ପବିତ୍ର ଜନ୍ମାଷ୍ଟମୀ ବା ଗୋକୁଳାଷ୍ଟମୀ ଭାବେ ପାଳନ କରିଥାଆନ୍ତି । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଏହି ପର୍ବ ସର୍ବତ୍ର ପାଳନ କରାଯିବାର ମହନୀୟ ପରମ୍ପରା ରହିଛି । ଶ୍ରକୃଷ୍ଣ ହେଉଛନ୍ତି ଅବତାରୀ ପୁରୁଷ । ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଅବତାର ଭାବରେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ମଥୁରା ନରେଶ ମହା ପରାକ୍ରମୀ କଂସ ରାଜାଙ୍କ ବନ୍ଦୀ ଶାଳରେ ଦେବକୀ-ବସୁଦେବଙ୍କ ଗର୍ଭରୁ ଜନ୍ମଲାଭ କରିଥିଲେ । କୃଷ୍ଣ ଜନ୍ମ ହୋଇଥିବା ସେହି ରାତିଟି ପ୍ରବଳ ଝଡ ବର୍ଷାରେ ପରିପୂର୍ଣ୍ଣ ଥିଲା । ତେବେ କୃଷ୍ଣଙ୍କ ଜୀବନ ପ୍ରତି ବିପଦର ଆଶଙ୍କା ଥିବାରୁ ବସୁଦେବ ସେହି ରାତିରେ ହିଁ କୃଷ୍ଣଙ୍କୁ ସେଠାରୁ ନେଇ ଗୋପପୁରରେ ନନ୍ଦ-ଯଶୋଦାଙ୍କ ଦାୟିତ୍ୱରେ ଛାଡି ଆସିଥିଲେ ।
ଏକ ଆଧ୍ୟାତ୍ମିକ ସଂସ୍କୃତି ତଥା ଧର୍ମୀୟ ପରମ୍ପରାରେ ସମୃଦ୍ଧ ଏ ଭାରତବର୍ଷ । ଯେଉଁ ମାଟିରେ ପ୍ରତ୍ୟେକଟି ମଣିଷ ଈଶ୍ୱର ବିଶ୍ୱାସୀ । ଏଠି ଈଶ୍ୱରଙ୍କ ପ୍ରତି ରହିଛି ପ୍ରତ୍ୟେକଙ୍କ ମନ ଭିତରେ ଅତୁଟ ବିଶ୍ୱାସ ଓ ଭରସା । ଆଧ୍ୟାତ୍ମିକ ବଳ ହେଉଛି ଏ ଦେଶବାସୀଙ୍କ ସମ୍ବଳ । ଏ ମାଟିର ପ୍ରତ୍ୟେକ ମଣିଷର ଚିନ୍ତା ଓ ଭାବନା ସବୁ ଈଶ୍ୱରଙ୍କ ଠାରେ ହିଁ କେନ୍ଦ୍ରୀଭୂତ । ମୋଟ ଉପରେ ଏଠାକାର ମଣିଷର ଦୈନିକ ଜୀବନଚର୍ଯ୍ୟାରେ ସେହି ବିଶ୍ୱନିୟନ୍ତା ଆଉ ସର୍ବ ଶକ୍ତିମାନ ଈଶ୍ୱର ହିଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଆସିଛନ୍ତି । ଏସବୁ ଭିତରେ ଭାରତୀୟ ମାନେ ପାଳନ କରୁଥିବା ବଭିନ୍ନ ପର୍ବପର୍ବାଣୀ ମଧ୍ୟରେ କୃଷ୍ଣ ଜନ୍ମ ବା ଜନ୍ମାଷ୍ଟମୀର ଏକ ସ୍ୱତନ୍ତ୍ରତା ବୈଦିକ ଯୁଗରୁ ପୁଣି ଆଜିଯାଏଁ ରହି ଆସିଛି । ଭଗବାନ କୃଷ୍ଣ ହେଉଛନ୍ତି ମହାଭାରତ ଯୁଦ୍ଧର କର୍ଣ୍ଣଧାର । ବିଷ୍ଣୁଙ୍କର ଅଷ୍ଟମ ଅବତାର । ସେ ପାଳନକର୍ତ୍ତା । ସଂସାରର ସମସ୍ତଙ୍କୁ ଦୁଃଖସୁଖ ଓ ହାନୀଲାଭ ବୁଝିବା ସହ ମନ ଜାଣି ଫଳ ପ୍ରଦାନ କରିଥାନ୍ତି ।
ଅତ୍ୟନ୍ତ ଭାବ ଓ ଭକ୍ତିରେ ତାଙ୍କୁ ସ୍ମରଣ କଲେ ଭକ୍ତର ମନସ୍ମାମନା ପୂର୍ଣ୍ଣ ହୋଇଥାଏ । ଜନ୍ମାଷ୍ଟମୀ ଦିନଟି କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ଓ ଲାଳିତ ପାଳିତ ହୋଇଥିବା ସ୍ଥାନ ବୃନ୍ଦାବନରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଥିଲେ ମଧ୍ୟ ସମଗ୍ର ବିଶ୍ୱରେ ବିଭିନ୍ନ ସ୍ଥାନରେ ବସବାସ କରୁଥିବା ହିନ୍ଦୁ ଧର୍ମାବଲମ୍ବୀଙ୍କ ଲାଗି ଏହି ଦିନଟି ବେଶ ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ । ଭଗବାନ କୃଷ୍ଣ ଝଡବର୍ଷାର ରାତିରେ ଜନ୍ମ ହୋଇଥିବାରୁ ଜନ୍ମାଷ୍ଟମୀ ଦିନ ରାତିରେ ରାଧାକୃଷ୍ଣଙ୍କ ମନ୍ଦିରରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିବା ସହ ଭୋଗରାଗ କରିଥାନ୍ତି । ସେହିପରି ଉକ୍ତ ଦିନ ନରନାରୀ ମାନେ ଉପବାସ ବ୍ରତ ଆଦି ରକ୍ଷା କରିବା ସହ କୃଷ୍ଣଙ୍କ ଧ୍ୟାନରେ ସମୟ ଅତିକ୍ରାନ୍ତ କରିଥାନ୍ତି । ଅନ୍ୟପକ୍ଷେ ଉକ୍ତଦିନ ମନ୍ଦିର ଗୁଡିକରେ ଭଗବତ ପୁରାଣ ଓ ଶ୍ରୀମଦ ଭଗବତ ଗୀତା ଆଦି ପାଠ କରାଯାଇଥାଏ । ଏହି ରାତିରେ କଷ୍ଣଙ୍କୁ ନିଷ୍ଠା ଓ ଆନ୍ତରିକତାର ସହିତ ଆରାଧନା କଲେ ସାଂସାରିକ ମୋହମାୟା ପ୍ରତି ଥିବା ଆସକ୍ତିରୁ ମୁକ୍ତି ମିଳିଥାଏ ।
ତେଣୁ ଏହି ରାତିକୁ ମୋହ ରାତ୍ରୀ ମଧ୍ୟ କୁହାଯାଇଥାଏ । ଏହି ଦିନ ବିଭିନ୍ନ ସ୍ଥାନରେ ରାସଲୀଳା ବା କୃଷ୍ଣ ଲୀଳା ମାନ ଅନୁଷ୍ଠିତ ହୋଇଥାଏ । ଉତ୍ତରପ୍ରଦେଶର ବ୍ରଜ ଅଞ୍ଚଳରେ ଏହି ପର୍ବ ବେଶ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଉଥିବା ବେଳେ ମହାରାଷ୍ଟ୍ରରେ ଏହି ଦିନ ଦହି ହାଣ୍ଡି ଭଙ୍ଗା ଯାଇଥାଏ । ମୋଟ ଉପରେ ସମଗ୍ର ଭାରତ ବର୍ଷରେ ପବିତ୍ର ଜନ୍ମାଷ୍ଟମୀ ଦିନଟି ବେଶ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଥାଏ । ସକଳ ହିନ୍ଦୁ ସଂପ୍ରଦାୟର ଆରାଧ୍ୟ ଦେବତା ଭଗବାନ କୃଷ୍ଣଙ୍କ ଧରାପୃଷ୍ଠରେ ଆବିର୍ଭାବ, ମାନବୀୟ ଲୀଳା ସମ୍ବରଣ, ଅସୁର ମାନଙ୍କ ନିଧନ ଓ ସମଗ୍ର ମାନବ ଜାତିର ମଙ୍ଗଳ ଲାଗି ତାଙ୍କର ବିଭିନ୍ନ କାର୍ଯ୍ୟକୁ ସ୍ମରଣୀୟ କରି ରଖିବା ହେଉଛି ଜନ୍ମାଷ୍ଟମୀ ପାଳନର ଉଦେ୍ଦଶ୍ୟ । ଆଜିର ମାନବ ଜାତି ନିଜ ଭିତରେ ଥିବା କ୍ରୁରତା, ପାଶବିକତା ଓ ନିଷ୍ଠୁରତାକୁ ଦୂରେଇ ଦେଇ ନିଜକୁ ଦିବ୍ୟଜ୍ଞାନରେ ଅଧିକାରୀ କରିପାରିଲେ ଏ ସଂସାର ଶାନ୍ତ, ପବିତ୍ର ଓ ମଧୁମୟ ହୋଇ ଉଠିବ । ପବିତ୍ର ଜନ୍ମାଷ୍ଟମୀରେ ଏହି ଭାବନା ସମସ୍ତଙ୍କ ମଧ୍ୟରେ ପ୍ରକଟିତ ହେଉ ।