ବୁଗୁଡ଼ା : ତା ୨୮/୦୨/୨୨ : ବୁଗୁଡ଼ା ଥାନା ଅନ୍ତର୍ଗତ ସୁବୁଦ୍ଧିପଲ୍ଲୀ ଗ୍ରାମର ଠାକୁରାଣୀ ମନ୍ଦିର ନିକଟ ରାସ୍ତାରେ ସ୍କୁଟି ଦୁର୍ଘଟଣାରେ ଆହତ ଚାଳକକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ଚାଳକ ଜଣକ ବୁଗୁଡ଼ା ଗଣ୍ଡାମଞ୍ଜି ସାହିର ଲଡୁ କିଶୋର ସାହୁ । ପ୍ରକାଶ ଯେ , ଆଜି ରାତି ସାଢ଼େ ଆଠଟା ବେଳେ ଲଡ଼ୁ ଭଞ୍ଜନଗରୁ ସ୍କୁଟି ଯୋଗେ ବୁଗୁଡ଼ା-ମୋଟାବାଡି ରାସ୍ତାରେ ଫେରୁଥିବା ବେଳେ ସୁବୁଦ୍ଧିପଲ୍ଲୀ ଠାକୁରାଣୀ ମନ୍ଦିର ନିକଟରେ ଥିବା ଏକ ଡାଇଭରସନ୍ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ସେ ସେଠାରେ ଅଚେତ ଅବସ୍ଥାରେ ପଡ଼ିଥିବା ବେଳେ ବୁଗୁଡ଼ାରୁ ବେଲଗୁଣ୍ଠାକୁ ଯାଉଥିବା ଜଣେ ବ୍ୟକ୍ତି ତାହା ଦେଖି ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ତାଙ୍କର ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପୁଣି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।