Odisha news

ସଙ୍ଘରୋଧ ଗୃହରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ମହିଳା ।

0

କୋଦଳା : ସାରା ରାଜ୍ୟ ଓ ଦେଶରେ କରୋନାକୁ ନେଇ ଲକ୍ଡ଼ାଉନ୍ ଜାରି ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ମର୍ଦ୍ଦକୋଟ କ୍ୱାରେନ୍ଟାଇନ୍ରେ ଥିବା ଜଣେ ମହିଳା ନବଜାତ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଅଣାଯାଉଥିବା ବେଳେ  ମର୍ଦ୍ଦମେଖ ପଞ୍ଚାୟତ ବଡ଼ଗୁଡ଼ିଆଳି ଗ୍ରାମର ସନ୍ତୋଷିନୀ ପ୍ରଧାନ ନାମକ ଜଣେ ଗର୍ଭବତୀ ମହିଳା ମର୍ଦ୍ଦକୋଟ ସ୍ଥିତ ହରିହର ମର୍ଦ୍ଦରାଜ ହାଇସ୍କୁଲ କ୍ୱାରେନ୍ଟାଇନ୍ ସେଣ୍ଟରରେ ଗତ ୬ ମଇରୁ ରହିଥିଲେ ।

ତେବେ ମଙ୍ଗଳବାର ସକାଳେ ତାଙ୍କର ଯନ୍ତ୍ରଣା ଅନୁଭବ ହେବାରୁ ଘରକୁ ଫୋନ୍ କରି ମାଆଙ୍କୁ ଜଣାଇଥିଲେ । ମାଆ ପହଞ୍ଚି କ୍ୱାରେନ୍ଟାଇନ୍ ବାହାରେ ଅପେକ୍ଷା କରିଥିଲେ । ଅଧିକ ଯନ୍ତ୍ରଣା ହେବା ପରେ ମାଆ ପହଞ୍ଚି ସନ୍ତୋଷିନୀକୁ ସହାୟତା କରିଥିଲେ  ଅପରାହ୍ନ ୪ଟା ପରେ ସନ୍ତୋଷିନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।

ସ୍ୱାଭାବିକ ଭାବେ ଜନ୍ମ ପ୍ରସବ ହୋଇଥିବା ବେଳେ ମର୍ଦ୍ଦକୋଟ ସରପଞ୍ଚ ପ୍ରତିନିଧି ଦିପ୍ତି ପ୍ରକାଶ ନାୟକ, ନୋଡ଼ାଲ ଅଧିକାରୀ ଦିଲ୍ଲିପ କୁମାର ବେହେରା, ବେଗୁନିଆପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ସଞ୍ଜୟ କୁମାର ସାହୁ, ସୁରେନ୍ଦ୍ର ପ୍ରଧାନ, ଜୟନ୍ତି ମଲ୍ଲ, କ୍ୱାରେନ୍ଟାଇନ୍ ଚାର୍ଜର ପ୍ରକାଶ ଚନ୍ଦ୍ର ସେଠୀ, ଇନ୍ ଚାର୍ଜର ଅନିତା କୁମାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଉଭୟ ନବଜାତ ଶିଶୁ ପୁତ୍ର ଓ ମାଆର ସହାୟତା କରିଥିଲେ ।

ମହିଳାଙ୍କ ପୂର୍ବରୁ ୨ଟି ଝିଅ ଥିବା ବେଳେ ଏହା ତାଙ୍କର ତୃତୀୟ ସନ୍ତାନ ବୋଲି ଜଣାପଡ଼ିଛି । ପ୍ରସବ ସ୍ୱାଭାବିକ ଥିଲେ ମଧ୍ୟ ମାଆ ଓ ଶିଶୁର ଅଧିକ ସୁରକ୍ଷା ପାଇଁ ଉଭୟଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ପଠାଯାଇଥିଲା  ।

Leave A Reply