ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : ପରଘରେ ମଙ୍ଗଳବାର କରିବା କଳା କେବଳ ନେତାମାନଙ୍କୁ ଜଣା, କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ କଳାକାର । କେନ୍ଦ୍ର ଯାହା କଲା ରାଜ୍ୟନେତା କହୁଛନ୍ତି ଆମର ଦାନ ଏବଂ ରାଜ୍ୟ ଯାହା କଲା କିଛି କେନ୍ଦ୍ରନେତା ବି କହୁଛନ୍ତି ଆମ ଯୋଗୁଁ ହେଲା । ନିଜନିଜ ଭିତରେ ଭିଡାଭିଡି ହୋଇ ଲୋକମାନଙ୍କୁ ଭାଲୁଲାଂଜ ଧରଉଛନ୍ତି । ଆଉକିଛି ଆଜିକାଲି ଢୋ’ଢା ଠୋ’ଠା ରାଜନୀତି ମାଧ୍ୟମରେ ନିଜକୁ ଏବେ ଉପରକୁ ଉଠେଇବାକୁ ଚେଷ୍ଟା କରୁଛନ୍ତି । ବୁଝିପାରିଲେନି ଆଜ୍ଞା! ମୋ ଜାଣିବାରେ ଏହି ଅଭିନବ ରାଜନୀତିର ଜନ୍ମଦାତା ହେଲେ ଜଣେ ସାସଂଦ । ତାଙ୍କର ରାଜନୈତିକ କ୍ଷେତ୍ର ଭିତରେ ଗଳାପୋଲ ଦୁଇଟି ଅତିରିକ୍ତ ଅଟକଳ ଭାବରେ ଅନୁମୋଦନ ହେଲା ।
ଦିନେ ସକାଳୁସକାଳୁ ସେ ଜାଣିବାକୁ ପାଇଲେ ଯେ ସେହି ଦୁଇଜାଗାରେ କିଏ ନଡିଆ ବାଡେଇ ଢୋ’ଢାଠୋ’ଠା ଶଦ୍ଦପ୍ରଦୁଷଣ କରିଛି । ତା’ଙ୍କ ଦେହରେ ଗଲାନି । ଯିବ ବା କେମିତି! ଏଗୁଡା ସବୁ ମୋଦୀ ଓ ଗଡକରି ସାହେବ ମିଶିକି ଦେଉଛନ୍ତି ଯେତେବେଳେ ସେ ଜାଗାରେ କେବଳ ଢୋ’ଢା ଠୋ’ଠା ରାଜନୀତି କରିବାକୁ ତାଙ୍କର ଅଧିକାର ଅଛି । ତାଙ୍କ ଅଗୋଚରରେ କିଏ ଏମିତି ଦୁଃସାହସ କଲା, ସିଏ କ୍ଷମାର ପାତ୍ର ନୁହେଁ । ତାକୁ ଦଣ୍ଡ ଦେବା ଅନିବାର୍ଯ୍ୟ । ସଂନ୍ଧ୍ୟାରେ ଦରବାର ବସିଲା । ଦରବାରରେ ମନ୍ତ୍ରୀ ବସନ୍ତ ସାହା ବାବୁ ଏବଂ ଅନୁଜ ପିତାସେଠୀ ମହାଶୟ କହିଲେ, “ଏସବୁ କାମରେ ଗୋଟାଏ କଟକୀ ବାହ୍ମଣଟୋକାର ହାତ ଅଛି । ସେ ଶ.. ନିତିଦିନ ଜୁବୁଲିପେଟୋ୍ରଲ ପମ୍ପ ପଛଆଡେ ବୁଲିବାକୁ ଯାଇ ଆପଣଙ୍କୁ ସମ୍ପୂର୍ଣ୍ଣ ଭୁଲି ଯାଇଛି । ଚାରିଥାକିଆ ରାସ୍ତାର ମାଲିକ ଆପଣ ।
ଆପଣ ପଦ୍ମପତିଙ୍କ ନିଜଲୋକ । ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାଳୟର ସ୍ୱତନ୍ତ୍ର ପ୍ରତିନିଧି । ଆପଣଙ୍କର ଗୋଟାଏ ହୁକୁମରେ ସେ ପ୍ରକଳ୍ପ ନିଦେ୍ର୍ଦଶକ ତେଲେଙ୍ଗା ରାଓବାବୁ ବାଲେଶ୍ୱର ମାଟି ଛାଡି ଯିବାକୁ ବାଟ ପାଇଲାନି । ଇଏ ତ ସାଧାରଣ ଘରୋଇକମ୍ପାନୀରେ ଆବାସୀୟ ଯନ୍ତ୍ରୀଟାଏ, ତାପରେ ତୁମ ବାରିପଦାରେ ରହୁଛି । ତାର ପିତ କେତେ! ଭୁବନେଶ୍ୱର ଜାତୀୟ ରାଜପଥ ଆଂଚଳିକ ଅଧିକାରୀଙ୍କୁ କହିଲେ ମିଂଟିକରେ ତାକୁ କାଢିଦେବେ । କଟକୀ ବାହ୍ମୁଣଛୁଆ ଏଠି ଆଉରି ପାଂଚବର୍ଷ ଯାଏ ରହିବ ବୋଲି କହୁଛି । ମୁଁ ଆଜ୍ଞା ମୟୁରଭଂଜିୟା ସରଳ ନିଷ୍କପଟ ସାଧାସିଧା ଲୋକ, ଆପଣଙ୍କ ସେବାରେ ମୋଟେ ହେଳା କରିବିନି । ଆପଣ ଚାହିଁଲେ ତା କମ୍ପାନୀକୁ ମଧ୍ୟ କ୍ଷଣକରେ ବିଦା କରିଦେବେ । ତା’ସାହସ ଦେଖ । ଏତେଦିନ ଧରି ଏଠି ଅଛି, ହେଲେ ଥରେ ତୁମ ପାଖକୁ ଆସିନି । ଆପଣଙ୍କ ବିଷୟରେ ବହୁତ ଓଲଟାପାଲଟା କହୁଛି । ମୁଁ ମୋଟରୁ ସହି ପାରୁନି । ଆପଣଙ୍କ ଜାତି ନାଁ ନେଇ ସେଦିନ କହୁଥିଲା ଆପଣ କିଛି ଜାଣନ୍ତିନି । ସିଏ ବାହାରିବା ଯୋଗ୍ୟ । ଆପଣଙ୍କ ପରି ଭଗବାନଙ୍କୁ ସିଏ ଅବମାନନା କରିଛି, ଅପମାନ ଦେଇଛି । ତାକୁ ଛାଡିବାନି । ତା’ ବିଷୟରେ କିସ ସବୁ କହିବି ମୁଁ କିଛି ବୁଝିପାରୁନି ।”
ଏପରି ଅନେକ କିଛି ଆଲୋଚନା ପର୍ଯ୍ୟାଲୋଚନା ହେଲାପରେ ସର୍ବସମ୍ମତି କ୍ରମେ ସଭାରେ ନିଷ୍ପତି ନିଆଗଲା ଯେ କଟକୀ ବାହ୍ମଣ ଛୁଆକୁ ବାହାର କରାଯିବ । ସେଇଆ ବି ହେଲା । ରାଜା ଚାହିଁଲେ କ’ଣ ବା ଅସମ୍ଭବ! ବିରିମାଡ ଦେଖି କୋଳଥ ଚେପା ହୋଇ ଡରିମରି ସେ ଅଧିକାରୀ ଥିଲା । ଗୋଟାଏ ଉଇକେଟ୍ ଖସିଛି ମାନେ ସାର୍ଙ୍କୁ ପ୍ରାଣେ ଭୟ । ଗୋଟାଏ ଫୋନ୍ରେ ସେ କଟକୀ ବାହ୍ମଣଟୋକା କାମ ତମାମ୍ ହୋଇଗଲା । ଏଠି ଟିକିଏ ଅଲଗା ଏକ ପ୍ରସଙ୍ଗ ଆଡକୁ ଯିବା । ଉଚ୍ଚତମ ନ୍ୟାୟଳୟ ଏବଂ ଆମ ସମ୍ବିଧାନରେ ଏମିତି ବୋଧେ କିଛି ନିୟମମାନ ଅଛି ଯାହା ଜଣେ ନୀଚ୍ଚଜାତିର ଲୋକଙ୍କୁ ତା’ର ଜାତିଗତ ଆକ୍ଷେପ କରିବାକୁ ଅନ୍ୟ ସମସ୍ତଜାତିର ଲୋକଙ୍କୁ ବାରଣ କରେ! ସେହିପରି ଜଣେ ନୀଚଜାତିର ଲୋକ ଯଦି ଉଚ୍ଚଜାତିର ବ୍ୟକ୍ତିକୁ ଆଗପଛ ଅଶାଳୀନ ବିଶେଷଣ ଯୋଡି ଗାଳିଗୁଲଜ କରେ, ତେବେ ତାହା ବି ଏକ ଧର୍ତ୍ତବ୍ୟ ଅପରାଧରେ ଗଣା ହେବକି! ଆପଣ ଠିକ୍ ଧରିଛନ୍ତି ।
ଏମିତି କିଛି ନେତା ଅଛନ୍ତି ସେମାନଙ୍କ ମୁହଁରେ ଯାହା ପଶିଲା ବକନ୍ତି, ସେମାନଙ୍କୁ କେହି କିଛି କହିପାରିବେନି । କାହା ଜିଭରେ ବା ହାଡ ଅଛି ସେମାନଙ୍କୁ କହିବ!ଅବଶ୍ୟ ଅଳ୍ପକିଛି ସେମାନଙ୍କ ଭିତରେ ଭଲ ବି ଅଛନ୍ତି, ନହେଲେ ଦୁନିଆ ଚଳିବ କେମିତି!ଏବେ ପଶ୍ଚିମବଙ୍ଗରେ ହଠାତ୍ ସମସ୍ତନେତା ରାଷ୍ଟ୍ରବାଦୀ ହୋଇଯିବାର ଏକ ଅନୋଖା ଉଦାହରଣ ସୃଷ୍ଟି ହେଲା । ନିର୍ବାଚନୀସଭା ଅପେକ୍ଷା ମିଶ୍ରଣପର୍ବ ବେଶୀ ଦେଖିବାକୁ ମିଳିଲା । ସମସ୍ତେ ଭାବୁଛନ୍ତି ଏଥର ପରିବର୍ତ୍ତନ ନିଶ୍ଚିତ । ପରିବର୍ତ୍ତନ ଅର୍ଥ ତୃଣମୂଳ ଗଡିବ ପଦ୍ମମୂଳ ଚଢିବ ।ସର୍ବସାଧାରଣଙ୍କ ସହ ଗଣମାଧ୍ୟମମାନେ ବିଶ୍ୱାସର ସହ ଡେଙ୍ଗୁରା ପିଟି କହୁଛନ୍ତି । ସତ୍ତା ବଦଳିବ ହେଲେ ବ୍ୟବସ୍ଥା!ପୁରୁଣା ଶାସକମାନଙ୍କୁ ନେଇ ମୋଦୀ ମହୋଦୟ ଶାସନ କେମିତି ବଦଳେଇବେ! ଆଶା କମ୍ । କାରଣ ସେଇସବୁ ବାମପନ୍ଥି ଚିନ୍ତାଧାରାରେ ଜନ୍ମିତ ଅସଂଖ୍ୟ ଲୋକନେତା ଜ୍ୟୋତିବସୁଙ୍କ ତମ୍ବୁରୁ ଖସିଆସି ବିଗତକିଛି ବର୍ଷହେଲା ମମତାଦିଦିଙ୍କ ଛତ୍ରଛାୟା ତଳେ ଶାସନ କରୁଥିଲେ, ସେଇମାନେ ଏବେ ପଦ୍ମପତିଙ୍କ ଶରଣରେ ଆସି “ଜୟ ଶ୍ରୀରାମ” କହୁଛନ୍ତି । ଆଗରୁ “ଭାରତ ମାତା କି ଜୟ” କହିବାକୁ ଲଜ୍ଜ୍ୟା ଲାଗୁଥିଲା ।
ହେଲେ ଏବେ ଗଳା ଫଟେଇ ସେହି ସବୁ ନାରା ପ୍ରାଞ୍ଜଳ ଭାବରେ ଭକ୍ତିର ସହ ବଜାରଗଳି କନ୍ଦିରେ ବୁଲିବୁଲି କହୁଛନ୍ତି । ସବୁଜରଙ୍ଗ ପୋଷାକ ଛାଡି ଗେରୁଆ ପିନ୍ଧିଲେ କ’ଣ ଅନ୍ତର୍ମନର ବିଚାର ବଦଳିବ!
ଏବେ ସେମିତି କିଛି ନେତା ଆମରାଜ୍ୟରେ ରୁଖାଉପରକୁ ଉଠି ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି । ତନ୍ମଧ୍ୟରେ ଜଣଙ୍କୁ ଏବେ ବହୁତ ରାଗ ଆସୁଛି । ସକାଳୁ ସଞ୍ଜ ପରିକା ପୂର୍ଣ୍ଣ ନିଶାରେ ରହୁଛନ୍ତି । ବହୁତ ଯୋଗାଡିଆ ବ୍ୟକ୍ତିଗତ ସଚିବମାନଙ୍କୁ ନିଯୁକ୍ତି କରି ସବୁଦୃଷ୍ଟିରୁ ଉନ୍ନତି କରୁଛନ୍ତି । ହେଲେ ଆରଥରକୁ କ’ଣ ହେବ କିଛି କହିହେଉନି । ସେପରି ନେତାଙ୍କ ବିଷୟରେ ସମସ୍ତେ ଜାଣିବା ଉଚିତ୍ । ତାଙ୍କର ଶୁଭାକାଂକ୍ଷୀ, ଗୁରୁ ଗୁରୁଜନ ଏବଂ ପ୍ରକୃତ ସହେଯାଗୀମାନେ ଏବେ ତାଙ୍କର ପସନ୍ଦ ହେଉନାହାନ୍ତି । ସେମାନଙ୍କ ଭଲ କଥା ଗନ୍ଧଉଛି । ନୂଆ ସଚୀବମାନେ ଗୁଡମାଠିଆରେ ମୁହଁ ମାଡି ଧରିଛନ୍ତି । ତେଣୁ ମହାଶୟଙ୍କ ଆଗରେ ସ୍ୱଚ୍ଛ ଦର୍ପଣ ରଖିଲେ ବି ଧୁନ୍ଦୁଲା ଦିଶୁଛି ।
ଓଧ ସାଙ୍ଗରେ ଭୁଆଁ ବିରାଡି ବାଇ ହେଲା ପରି ଗୋଟେ ମାରୁଆଡି ବେପାରିକୁ ଧରି ରାଜନୀତିକୁ ବ୍ୟବସାୟ ବୋଲି ଭାବି ଖାଲି ଲାଭ ଦେଖିଲେ ଚଳିବ! ପ୍ରକଳ୍ପ ଅଧିକାରୀ, ଆବାସୀୟ ଯନ୍ତ୍ରୀ, ଠିକାଦାର ସମସ୍ତେ ଭାଗ ଦିଅ ନଚେତ୍ ଏଠାରୁ ପଳାଅ । ତୁମ କରାମତିରେ ଦେଖିଆ ରାଜ୍ୟ ସରକାରଙ୍କର ଗୋଟିଏ ପିଅନକୁ ବିଦା କଲ! ତୁମେ ନେତା ନା ଡାକୁ! ସେଠୀକଥାରେ ତୁମ ସହଯୋଗୀ ତୁମକୁ କୁହୁଡି ପହଁରେଇ ତୁମକୁ ଦେଲା କ’ଣ! କଟକୀବାହ୍ମଣ ଟୋକା ଚାକିରି ଗଲା, କିନ୍ତୁ ତୁମର ଲାଭ କ’ଣ ହେଲା? ଅବଶ୍ୟ ତା’ର କ୍ଷତି ହେଲା, ହେଲେ ତୁମର ତ କିଛି ଲାଭ ହେଲାପରି ଦିଶୁନି । ସିଏ ବି ତୁମ ପାଖକୁ ଆସି କିଛି ଯାଚିଲାନି, କି ତା କମ୍ପାନୀ ଯଦିଓ ମାସିକ ସତୁରି ହଜାର ଟଙ୍କାର କ୍ଷତି ସହିଲା ତଥାପି ତୁମପାଇଁ କିଛି ବି ଦାନଧର୍ମ କରିବାକୁ ପସନ୍ଦ କଲାନି ।
ଏବେ ତୁମର ପ୍ରିୟ ସେ ବସନ୍ତବାବୁକୁ ପଚାରିବା ଉଚିତ୍ । “ସହ୍ଲାକାରମାନଙ୍କୁ ଟଙ୍କା ପଇସା ମଗାଯାଏନି କି ସେମାନେ କାହାକୁ ଦିଅନ୍ତି ନି” ଏକଥା ତୁମକୁ କି ସେ ପିଏ ବସନ୍ତକୁ କିଏ ଶିଖେଇବେ? ଅଯଥା ସେ ବାହ୍ମଣ କଟକୀପାଇଁ ପଚାଶଲୋକ କହିଲେ, ତୁମେ ସମସ୍ତଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରିଛ । ସେମାନେ କ’ଣ ସହଜରେ ଭୁଲିଯିବେ! ଦୁନିଆରେ କାହାର ଗର୍ବ ରହିନି, ତେଣୁ ତୁମର ବି ରହିବନି । ଆଜି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଜଣେ ପ୍ରତିନିଧି ହୋଇ ନିଜକୁ ପ୍ରଧାନମନ୍ତ୍ରୀ ପରି ଭାବୁଛ । ସଦାବେଳେ ସମୟ ଅନୁକୁଳ ରହେନି । ଅନ୍ୟାୟ ଅନିତିର ଫଳ ନିଶ୍ଚିତ ଭୋଗିବାକୁ ହୁଏ । ଚବିଶ ମସିହା ତ ବହୁତ ଦୂରର କଥା ।
ତେଣୁ ଅନେକ ତଥ୍ୟ ଅଛି, ହେଲେ ଉଟିତ୍ ସମୟରେ ପ୍ରକାଶିତ ହେବ । କାରଣ ଅନ୍ୟାୟ ସହିବା ମଧ୍ୟ ପାପ । ଜଣେ ବ୍ୟକ୍ତିଭାରତର ସାସଂଦ ଭବନରେ ପହଁଚି ମଧ୍ୟ କଟକୀ ମୟୁରଭଂଜ ଆଂଚଳିକ ଭେଦଭାବରୁ ଉର୍ଦ୍ଧକୁ ଉଠି ନ ପାରିଲେ କେମିତି ସାଂସଦ ହେବ? ଜଣେ ବୁଦ୍ଧିମାନ ବ୍ୟକ୍ତି ତାଙ୍କୁ ତାଙ୍କର ଜଣେ ବ୍ୟକ୍ତିଗତ ସହାୟକ ମାଧ୍ୟମରେ ଭ୍ରମିତ କରେଇଅନ୍ୟ ଜଣଙ୍କର ଘୋର ଅନିଷ୍ଟ କରିବାରେ କିପରି ସକ୍ଷମ ହେଲା?କଣ ସାଂସଦ ମହାଶୟଙ୍କର ନିଜସ୍ୱ ବୁଦ୍ଧି କିଛିନାହିଁ! ସେଠୀର କ’ଣ ଅଛି, ସରକାରୀ ଖଜାନାରୁ ଲହୁଣି କାଢି ଯେତିକି ଘିଅ ଜମେଇଛି, ତା ନାତି ପଣନାତି ଚଉଦପୁରୁଷ ଖାଇଲେ ବି ସରିବନି । ତା ସାଙ୍ଗକୁ ରୋଜଗାରିଆ ସ୍ତ୍ରୀ ଅଛି ବୋଲି ସିଏ ଏପରି ଚକ୍ରାନ୍ତ କରି ଏକ ସୁଚିନ୍ତିତ ଷଡଯନ୍ତ୍ର ଉପାୟରେ ସାଂସଦଙ୍କୁ ଫୋଡି ଯାହା କରିଦେଲେ ଠିକ୍ ହେଲାନି ।
ଏତେ ସବୁ ପରେ କ’ଣ ସବୁ ବିଜେପିନେତାଙ୍କୁ ରାଷ୍ଟ୍ରବାଦୀ କହିବା ଠିକ୍ ହେବ! ଆଦୌ ନୁହେଁ । ଯେଉଁ ଭଦ୍ରବ୍ୟକ୍ତି ବିଷୟରେ ଆମେ ଆଲୋଚନା କରୁଛେ ଯଦିଓ ସେ ଏକ ରାଷ୍ଟ୍ରବାଦୀ ଦଳରେ ଅଛନ୍ତି, ପ୍ରକୃତରେ ସିଏ ଜଣେ ମାଓବାଦୀ । କିଛି ବିଷାକ୍ତ ବାମପନ୍ଥି ସ୍ୱୟଂସେବକ ନାଁରେ ନିଜର ସେବା କରିବାକୁ ସଂଘରେ ପଶି ମହତ୍ୱକାଂକ୍ଷାକୁ ଚରିତାର୍ଥ କରିଚାଲିଛନ୍ତି । ଗଳିପଶି ନିଃସ୍ୱାର୍ଥପର ସ୍ୱୟଂସେବକମାନଙ୍କ ସାଙ୍ଗରେ ବସିଉଠି ଦିନେ ନା ଦିନେ ବିଧାୟକ କି ସାସଂଦଟିଏ ହେବାର ଅସଲ ଉଦେ୍ଦଶ୍ୟ । ଥରେ ରୁଖାଉପରକୁ ଉଠିଗଲେ ଆଉ କିଏ କାହାକୁ ପଚାରେ!ପଶ୍ଚିମ ବଙ୍ଗ ରାଜନୀତିରେ ମମତା ଦିଦିଙ୍କ ଗୋଡ ଭାଙ୍ଗିଗଲା । କିଏ କହୁଛି ସିଏ ନିଜେ ଗାଡିର ପାଦବିଶ୍ରାମ ଜାଗାରେ ଛିଡାହୋଇ ପ୍ରଚାର କଲାବେଳେ ତାଙ୍କ ଗାଡିର ଦରଜା ଗୋଟିଏ ରାସ୍ତାକଡ ଖମ୍ବରେ ବାଜିଯିବାରୁ ସିଏ ଆହତ ହେଲେ । ଗୋଡ ଯେତେବେଳେ ଭାଙ୍ଗିଛି, କାନ୍ଧ ଆମ୍ପୁଡି ହୋଇଛି ଦିଦି କଣ ସହଜରେ ଛାଡିଦେବେ! ରାଜନୀତି ହେବ ନା ।
ସହଜେ ପଲ୍ଲା ହାଲୁକା ହେଲାଣି, ଏପରି ସୁବର୍ଣ୍ଣ ସୁଯୋଗକୁ କିଏ ଛାଡିବ? ଆମରାଜ୍ୟରେ ବି ଚବିଶ ମସିହା ଯେତେଯେତେ ପାଖେଇ ଆସୁଛି, ନେତାମାନଙ୍କ ମନରେ ସେତେସେତେ ଛନକା ପଶି ଛାତି ଧକଧକ ହୋଇ ବେଳେବେଳେ ଝାଳ ବୋହି ଯାଉଛି । କ’ଣ କରିବେ କିଛି ବୁଝି ହେଉନି । ସେଥିପାଇଁ ଅନେକ ନେତା ଘରୁ ବାହାରିଲେଣି । ରାଜ୍ୟ ସରକାରଙ୍କର ଯୋଜନା ଅସଂଖ୍ୟ, ତେଣୁ ଶଙ୍ଖନେତାଙ୍କୁ କିଛି ଅସୁବିଧା ନାହିଁ । କାର୍ଯ୍ୟକ୍ରମର ଅଗଣିତ ବାହାନାରେ ଲୋକଙ୍କ ଭିଡଜମେଇ ଭାଷଣ ଦେଇହେଉଛି । ହେଲେ କେନ୍ଦ୍ର ସରକାରଙ୍କର ଯେଉଁ ନେତା କେଇଟା ମୋଦିଜୀଙ୍କ ହାୱାରେ ନିର୍ବାଚନ ବୈତରଣୀ ପାରି ହୋଇଯାଇଥିଲେ, ଏବେ ତାଙ୍କୁ କିଛି ବୁଦ୍ଧିବାଟ ଦିଶୁନି । ଗତଥର ଲୋକେ ଜାଣି ନଥିଲେ ବୋଲି ଭୋଟ ଦେଇଦେଲେ । ଏବେ ତ ଜାଣିଗଲେ ।
ସେ ଦଲର ନେତା ବି ମାଗୁଥିଲା ଯାହା, ତୁମର ବି ସେଇ ଏକା ଆଶା । ତେବେ ଦେଲାବେଳେ ଯାହାକୁ ଇଚ୍ଛା ହେବ ଦିଆଯିବ । କାରଣ ତୁମ ତାଙ୍କ ଭିତରେ ଫରକ କେଉଁଠି ରହିଲା? ତେଣୁ କିଛି ନେତା ଏବେ କେନ୍ଦ୍ରିୟ ଅନୁଦାନରେ ଆସୁଥିବା ସମସ୍ତ କାର୍ଯ୍ୟକୁ ନିଜ ହାତରେ ପୂଜନ, ଉଦ୍ଘାଟନ ଏବଂ ବଂଟନ ଆଦି କରୁଛନ୍ତି । ସେହି ସବୁ ସମୟରେ ନଡିଆ ଫଟେଇ ଢୋ’ଢା ଠୋ’ଠା ରାଜନୀତି ମାଧ୍ୟମରେ ଚବିଶମସିହାରେ ମଙ୍ଗ ସଳଖି ପାରିହେବାକୁ ଭାବିଛନ୍ତି । ହେଲେ ଲୋକଗୁଡା କଣ ଏଡେ ଗୁଡ୍ବକ୍ ବୁଦ୍ଦୁ! ପ୍ରକୃତରେ କିଏ ପରିଶ୍ରମ କରି ଜନ ହିତକର କାମ ଆଣୁଛି ପବ୍ଲିକ୍ କ’ଣ ଜାଣି ପାରିବେନି! ପରଘରେ ମଙ୍ଗଳବାର ଉଜେଇଁଲେ କ’ଣ ଲୋକଙ୍କ ମନ କିଣି ନିର୍ବାଚନ ଜିଣିହୁଏ!